ପ୍ରବଳ ବର୍ଷାରେ ପୂର୍ତ୍ତ ବିଭାଗ କୋଠା ଛାତ ପଡ଼ିଲା

ଭଞ୍ଜନଗର, ୬ା୪(ଡି.ଏନ.ଏ): ଭଞ୍ଜନଗର କଲେଜ ରୋଡରେ ପ୍ରାୟ ସାଢେ ୩ କୋଟି ଟଙ୍କା ବ୍ୟୟରେ ପୂର୍ତ୍ତ ବିଭାଗ ପକ୍ଷରୁ ଏକ କୋଠା ନିର୍ମାଣ ଚାଲିଛି। ମଙ୍ଗଳବାର ଅପରାହ୍ନରେ ଦ୍ୱିତୀୟ ମହଲା ଛାତ ପଡୁଥିବା ସମୟରେ ପ୍ରବଳ ବର୍ଷା ହୋଇଥିଲା। ଏହି ସମୟରେ କାମ ଅଧା ହୋଇଥିଲା। ଉକ୍ତ ଛାତ ଉପରେ ପଲିଥିନ ଘୋଡା ଯିବା କଥା କିନ୍ତୁ ଠିକାଦାର ଏ ନେଇ ପ୍ରସ୍ତୁତ ହୋଇ ନ ଥିବାରୁ ଘୋଡାଇ ପାରି ନ ଥିଲେ। ପରେ ପଲିଥିନ ନେଇ ପକାଇଥିଲେ କିନ୍ତୁ ତାହା ସବୁ ଆଡ ଘୋଡାଇ ହୋଇ ନ ଥିଲା। ବର୍ଷାରେ ସିମେଣ୍ଟ ବାଲି ଗୋଡି ଧୋଇ ହୋଇ ଯାଇଥିଲା। ବର୍ଷା ଛାଡୁ ଛାଡୁ ପୁଣି ତା ଉପରେ ବଳକା ଛାତ କାମ ହୋଇଥିଲା। କିନ୍ତୁ ଛାତ ଉପରେ ଥିବା ପାଣିକୁ ବାହାର କରାଯାଇ ନ ଯାଇ ତା ଉପରେ ହିଁ ପୁଣି ଛାତ ପକାଯାଇଥିଲା। ଛାତ ପଡୁଥିବା ସମୟରେ ସନ୍ଧ୍ୟାରେ ପୁଣି ବର୍ଷା ହୋଇଥିଲା। ବାରମ୍ବାର ବର୍ଷା ହେବା ଦ୍ୱାରା ଛାତର ସ୍ଥାୟିତ୍ୱ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏ ନେଇ ପୂର୍ତ୍ତ ବିଭାଗ କନିଷ୍ଠ ଯନ୍ତ୍ରୀ ଗୋପାଳ ଚନ୍ଦ୍ର ବେହେରାଙ୍କ ସହ ଯୋଗାଯୋଗ କରିବାରୁ ବର୍ଷା ପାଣି ପଡ଼ିଲେ ମଧ୍ୟ ଛାତର କୌଣସି ଅସୁବିଧା ହେବନାହିଁ। ବର୍ଷା ସମୟରେ ଚାରିଆଡ଼େ ପଲିଥିନ ଘୋଡା ଯାଇଥିଲା। ଅପରପକ୍ଷେ ସେଠାରେ ଦାୟିତ୍ୱରେ ଥିବା ପୂର୍ତ୍ତ ବିଭାଗର ଜଣେ କର୍ମଚାରୀ କହିଛନ୍ତି, ପଲିଥିନ ଥିଲେ ତ ଛାତ ଘୋଡାଇବୁ।

Share