Categories: ଜାତୀୟ

ଭଙ୍ଗାଯିବ ୧୦୦ ବର୍ଷ ତଳର ବିଲ୍ଡିଂ, ହାଇକୋର୍ଟ ଦେଲେ ନିର୍ଦ୍ଦେଶ…

ମୁମ୍ବାଇ, ୧୬।୮ : ଦକ୍ଷିଣ ମୁମ୍ବାଇର ବ୍ୟସ୍ତବହୁଳ ଭୁଲେଶ୍ୱର ଅଞ୍ଚଳରେ ଥିବା ୧୦୦ ବର୍ଷ ପୁରୁଣା ବିଲ୍ଡିଂକୁ ଭାଙ୍ଗିବା ପାଇଁ ବମ୍ବେ ହାଇକୋର୍ଟ ବ୍ରିହନମୁମ୍ବାଇ ମ୍ୟୁନିସିପାଲ କର୍ପୋରେଶନ (ବିଏମସି)କୁ ଅନୁମତି ଦେଇଛନ୍ତି। ଏହା ସହିତ ବିଲ୍ଡିଂ ବାସିନ୍ଦାଙ୍କୁ ଘର ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅଗଷ୍ଟ ୧୧ ରେ ହାଇକୋର୍ଟ ସମ୍ପୃକ୍ତ ଆଦେଶ ପାସ କରିଥିଲେ, ଯାହାର ନକଲ ସୋମବାର ଉପଲବ୍ଧ ହୋଇଥିଲା।

କୋର୍ଟ କହିଛନ୍ତି ଯେ ଏଚ.ଏନ ପେଟିଟ ଓ୍ବିଡୋ ହୋମ୍‌ ନାମକ କୋଠା ଏକ ବ୍ୟସ୍ତବହୁଳ ରାସ୍ତାରେ ଅବସ୍ଥିତ। ଏହା ପୁରୁଣା ହୋଇ ଯାଇଥିବାରୁ କୌଣସି ଅଘଟଣ ଘଟିବାର ଆଶଙ୍କା ରହିଛି। ଫଳରେ ବହୁ ଧନଜୀବନ ହାନି ହୋଇପାରେ।

ଜଷ୍ଟିସ ଆରଡି ଧନୁକା ଏବଂ ଜଷ୍ଟିସ କମଲ ଖାତାଙ୍କ ନେତୃତ୍ୱରେ ଗଠିତ ଏକ ବେଞ୍ଚ ବିଏମସିର ବୈଷୟିକ ପରାମର୍ଶଦାତା କମିଟି (ଟିଏସସି)ର ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି। ବେଞ୍ଚ ଅନୁଯାୟୀ କୋଠାଟି ପୁରୁଣା ଏବଂ ବିପଜ୍ଜନକ ଅବସ୍ଥାରେ ଥିବାରୁ ଏହାକୁ ଭଙ୍ଗାଯିବା ଆବଶ୍ୟକ।

କମିଟିର ରିପୋର୍ଟକୁ ଭିତ୍ତି କରି ବିଏମସି ଚଳିତ ବର୍ଷ ଏପ୍ରିଲରେ ବିଲ୍ଡିଂ ମାଲିକଙ୍କୁ ଘର ଖାଲି କରିବାକୁ ନୋଟିସ ଜାରି କରିଥିଲା। ତେବେ ବିଲ୍ଡି୍‌ଂରେ ରହୁଥିବା କିଛି ଲୋକ ଏବଂ ତଳ ମହଲାରେ ଏକ ଦୋକାନ ଚଳାଉଥିବା କିଛି ଭଡ଼ାଟିଆଙ୍କୁ ବିଲ୍ଡିଂ ଖାଲି କରିବାକୁ ମନା କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସେମାନେ ଯୁକ୍ତି କରିଥିଲେ ଯେ ବିଲ୍ଡିଂର କିଛି ଛୋଟମୋଟ ମରାମତି ଆବଶ୍ୟକ।

ସୂଚନାଯୋଗ୍ୟ ଯେ ତଳ ମହଲା ସମେତ ଛଅ ମହଲା ବିଶିଷ୍ଟ ବିଲ୍ଡିଂ ଟି ପ୍ରାୟ ୧୦୦ ବର୍ଷ ପୁରୁଣା । ବିଲ୍ଡିଂ ଅବସ୍ଥାକୁ ଦୃଷ୍ଟିରେ ରଖି ଏଥିରେ ରହୁଥିବା ବିଧବାମାନଙ୍କୁ ୨୦୧୯ରେ ଅନ୍ୟ ଏକ ଘରକୁ ସ୍ଥାନାନ୍ତର କରାଯାଇଥିଲା।

ଅକ୍ଟୋବର ୨୦୨୧ ରେ, ନାଗରିକ ସଂସ୍ଥାର ଟିଏସି ଏକ ଗଠନମୂଳକ ଅଡିଟ କରିଥିଲା। ସିଦ୍ଧାନ୍ତରେ ପହଞ୍ଚିଥିଲା ଯେ ବିଲ୍ଡିଂଟି ଖରାପ ଅବସ୍ଥାରେ ଅଛି ଏବଂ ଏହା ଭୁଶୁଡି ପଡିପାରେ। ତେଣୁ, ଏହା କେବଳ ଏଥିରେ ବାସ କରୁଥିବା ଲୋକଙ୍କ ପାଇଁ ନୁହେଁ ବରଂ ସେହି ବାଟ ଦେଇ ଯାଉଥିବା ଲୋକଙ୍କ ପାଇଁ ମଧ୍ୟ ବିପଦ ସୃଷ୍ଟି କରିପାରେ। ଏହି କୋଠାକୁ ଯଥାଶୀଘ୍ର ଭାଙ୍ଗିବା ଉଚିତ ବୋଲି ରିପୋର୍ଟରେ ଦର୍ଶାଯାଇଥିଲା।

ହାଇକୋର୍ଟ ତାଙ୍କ ଆଦେଶରେ ଦର୍ଶାଇଛନ୍ତି ଯେ ଟିଏସି ଏକ ସଠିକ ମତ ଦେଇଛି ଏବଂ କୋର୍ଟ ମଧ୍ୟ ଭିନ୍ନ ମତ ଦେବାକୁ ଚାହାନ୍ତି ନାହିଁ। ତେଣୁ ଶୀଘ୍ର ବିଲ୍ଡିଂ ଭଙ୍ଗାଯିବା ଆବଶ୍ୟକ ବୋଲି କୋର୍ଟ କହିଛନ୍ତି।

Share