Categories: ଜାତୀୟ

‘ଭାଜପା ଅଫିସ୍‌ ଉପରେ ବୁଲଡୋଜର ଚଳାଯାଉ’

ନୂଆଦିଲ୍ଲୀ,୨୧।୪: ଦିଲ୍ଲୀରେ ସାମ୍ପ୍ରଦାୟିକ ହିଂସାକାଣ୍ଡ ଘଟିଥିବା ଜାହାଙ୍ଗିରପୁରୀରୁ ଜବରଦଖଲ ଉଚ୍ଛେଦ ସମ୍ପର୍କରେ ଉତ୍ତର ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେଶନ ପକ୍ଷରୁ ଘୋଷଣା କରାଯାଇଥିଲା। କିନ୍ତୁ ସୁପ୍ରିମକୋର୍ଟ ଏହା ଉପରେ ରୋକ ଲଗାଇଛନ୍ତି। ଏନେଇ ରାଜନୀତି ସରଗରମ ହୋଇଛି। ଏହି ଘଟଣାରେ ବିଭିନ୍ନ ଦଳ ପକ୍ଷରୁ ଭାଜପାକୁ ଟାର୍ଗେଟ୍‌ କରିଯାଇଛି। ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡ଼ିଆ ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି, ଭାଜପା କାରଣରୁ ଦେଶର ସବୁଆଡେ ଗଣ୍ଡଗୋଳ ଘଟୁଛି। ଯେଉଁ ଆଡେ ବି ଦେଖିବେ, ଭାଜପା ଶିକ୍ଷା, ରୋଜଗାର ଏବଂ ମୁଦ୍ରାସ୍ଫୀତି ବିଷୟରେ କଥାବାର୍ତ୍ତା ନ କରି ଗୁଣ୍ଡାଗର୍ଦ୍ଦି ବିଷୟରେ ଆଲୋଚନା କରୁଛି। ଭାଜପା ଏକ ଅରାଜକତାର ବାତାବରଣ ସୃଷ୍ଟି କରିଛି। ଏହି ଅରାଜକତାକୁ ବନ୍ଦ କରିବାର ସରଳ ଉପାୟ ହେଉଛି ଭାଜପା ମୁଖ୍ୟାଳୟରେ ବୁଲଡୋଜର ଚଳାଇବା।
ସୂଚନା ଅନୁଯାୟୀ, ଦିଲ୍ଲୀରେ ସାମ୍ପ୍ରଦାୟିକ ହିଂସାକାଣ୍ଡ ଘଟିଥିବା ଜାହାଙ୍ଗିରପୁରୀରୁ ଜବରଦଖଲ ଉଚ୍ଛେଦ ସମ୍ପର୍କରେ ଉତ୍ତର ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେଶନ ପକ୍ଷରୁ ଘୋଷଣା କରାଯାଇଥିଲା। ଏପ୍ରିଲ ୨୦ ଏବଂ ୨୧ ଦୁଇଦିନ ଧରି ସ୍ବତନ୍ତ୍ର ଯୁଗ୍ମ ବେଆଇନ ଉଚ୍ଛେଦ କାର୍ଯ୍ୟକ୍ରମ ଜରିଆରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ କୁହାଯାଇଥିଲା। ଏହି ନୋଟିସ ଆସିବା ପରେ ମାମଲାକୁ ନେଇ ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିଲା। ତେବେ ଆବଶ୍ୟକ ସମୟ ନ ଦେଇ ଉଚ୍ଛେଦ କାର୍ଯ୍ୟକ୍ରମ ପାଇଁ ମ୍ୟୁନିସିପାଲିଟି ସଜବାଜ ହେଉଥିବା ବେଳେ ଏହା ଉପରେ ସୁପ୍ରିମକୋର୍ଟ ବୁଧବାର ରୋକ ଲଗାଇଛନ୍ତି।

 

Share