Categories: ଜାତୀୟ

ଯବାନଙ୍କ ପାଇଁ ବିନା ବୁଲେଟ୍‌ ପ୍ରୁଫ୍‌ ଟ୍ରକ୍‌, ମୋଦିଙ୍କ ଲାଗି ୮୪୦୦ କୋଟିର ବିମାନ: ପ୍ରଶ୍ନ କଲେ ରାହୁଲ

ନୂଆଦିଲ୍ଲୀ, ୧୦।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଂଗ୍ରେସ ପକ୍ଷରୁ ଲଗାତାର ଘେରିବା ଉଦ୍ୟମ ଜାରି ରହିଛି। ଏପରିସ୍ଥଳେ ରାହୁଲ ଗାନ୍ଧୀଙ୍କର ଏକ ଭିଡ଼ିଓ ଟୁଇଟରରେ ଅପଲୋଡ୍‌ କରାଯାଇଛି। ଏଥିରେ ରାହୁଲ ମୋଦିଙ୍କୁ ଟାର୍ଗେଟ୍‌ କରିଛନ୍ତି। ରାହୁଲ ପ୍ରଶ୍ନ କରିଛନ୍ତି ଯେ, ଦେଶରେ ସୀମାରେ ସୁରକ୍ଷା କବଚ ଭଳି ମୁତୟନ ହୋଇଥିବା ଯବାନଙ୍କ ପାଇଁ ବିନା ବୁଲେଟ୍‌ ପ୍ରୁଫ୍‌ ଟ୍ରକ୍‌ର ବ୍ୟବସ୍ଥା ଥିବାବେଳେ ମୋଦିଙ୍କ ଲାଗି ୮୪୦୦ କୋଟି ଟଙ୍କାର ବିମାନ କିଣାଯାଇଛି। ୨ ମିନିଟ୍‌ ୧୯ ସେକେଣ୍ଡର ଏହି ଭିଡ଼ିଓରେ ରାହୁଲ କହିଛନ୍ତି ଯେ, ବିମାନ କିଣାଯାଇଥିବା ଟଙ୍କାରେ ଯବାନଙ୍କ ପାଇଁ ବହୁ ସରଞ୍ଜାମ କିଣି ହୋଇଥାନ୍ତା। ତେବେ ମୋଦିଙ୍କର ଯବାନଙ୍କ ଲାଗି ଚିନ୍ତା ନାହିଁ। ସେ ଏଭଳି କରି ନାହାଁନ୍ତି। ସେ କେବଳ ନିଜ ସୁରକ୍ଷାକୁ ସୁଦୃଢ଼ କରିଛନ୍ତି। ବିମାନ ପାଇଁ ଖର୍ଚ୍ଚ ହୋଇଥିବା ଟଙ୍କାରେ ସିଆଚେନ୍‌ରେ ମୁତୟନ ଥିବା ୩୦ ଲକ୍ଷ ଗରମ ପୋଷାକ, ୬୦ ଲକ୍ଷ ଜ୍ୟାକେଟ, ୬୭ ଲକ୍ଷ ୨୦ ହଜାର ହାତ ଗ୍ଲୋଭସ୍‌, ୧୬ ଲକ୍ଷ ୮୦ ହଜାର ଅକ୍ସିଜେନ୍‌ ସିଲିଣ୍ଡର କିଣି ହୋଇଥାନ୍ତା ବୋଲି ରାହୁଲ ଅଭିଯୋଗ କରିଛନ୍ତି। ଏବେ ଏହି ଭିଡ଼ିଓ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।

Share