Categories: ଜାତୀୟ

ଓ୍ବାଇସିଙ୍କ ଗାଡ଼ି ଉପରେ ଗୁଳି ମାଡ଼

ନୂଆଦିଲ୍ଲୀ,୩।୨: ଉତ୍ତରପ୍ରଦେଶରୁ ଦିଲ୍ଲୀ ଫେରୁଥିବା ବେଳେ କାର ଉପରେ ଗୁଳି ମାଡ଼ କରାଯାଇଥିବା ଅଭିଯୋଗ ଆଣିଛନ୍ତି ଏଆଇଏମ୍‌ଆଇଏମ୍‌ ନେତା ଅସାଦୁଦ୍ଦିନ ଓ୍ବାଇସି। ତେବେ ଏହି ଘଟଣାରେ କେହି ମୃତାହତ ହୋଇନାହାନ୍ତି। କିନ୍ତୁ ତାଙ୍କ କାର ଟାୟାର ପଙ୍କଚର ହୋଇଯାଇଛି।

“ଆମେ ସବୁ ସୁରକ୍ଷିତ ଅଛୁ” ବୋଲି ସେ ଟୁଇଟ୍‌ କରିଛନ୍ତି। ଦିଲ୍ଲୀ ଟୋଲ ପ୍ଲାଜା ପାଖରେ ଉତ୍ତରପ୍ରଦେଶର ହାପୁର ଅଞ୍ଚଳରେ ଏହି ଘଟଣା ଘଟିଛି। ଶୁଟରମାନେ ଘଟଣାସ୍ଥଳରେ ସେମାନଙ୍କ ଅସ୍ତ୍ର ଛାଡ଼ି ଫେରାର ହୋଇଯାଇଥିବା ହାଇଦ୍ରାବାଦ୍‌ ଏମ୍‌ପି କହିଛନ୍ତି।

“ମିରଟର କିଥାଉର ଅଞ୍ଚଳରେ ନିର୍ବାଚନ ପ୍ରଚାର ସାରି ଦିଲ୍ଲୀ ଯାଉଥିଲି। ଛିଜାରସ ଟୋଲ ପ୍ଲାଜା ପାଖରେ ମୋ ଗାଡ଼ି ଉପରେ ୩ରୁ ୪ ରାଉଣ୍ଡ ଗୁଳି ଚଳା ଯାଇଥିଲା। ୩ରୁ ୪ ଜଣ ଆକ୍ରମଣକାରୀ ଥିଲେ। ମୋ ଗାଡ଼ିର ଚକା ପଙ୍କଚର ହୋଇଯାଇଛି” ବୋଲି ସେ ଲେଖିଛନ୍ତି। ଏଥିସହ ଗୁଳି ବାଜିଥିବା ଏସ୍‌ୟୁଭିର ଫଟୋ ମଧ୍ୟ ଛାଡ଼ିଛନ୍ତି।

Share