ବୁଲୁ ମହାରଣାଙ୍କ ଚନ୍ଦ୍ରାୟାନ ୩ ମେଢ଼କୁ ନେଇ ଚର୍ଚ୍ଚା

କୋରାପୁଟ,୧୯।୯(ଅମିତାଭ ବେହେରା ) କୋରାପୁଟ ଜ଼ିଲାର ସେମିଳିଗୁଡା ସହରରେ ବିଶ୍ୱକର୍ମା ପୂଜା ମହା ଆଡମ୍ବର ସହକାରେ ଚାଲିଥିବାବେଳେ ସହରର ନନ୍ଦପୁର ରୋଡରେ ଥିବା ମହାରଣା ଗ୍ଲାସ ହାଉସ ଠାରେ ଚଳିତ ବର୍ଷ ହୋଇଥିବା ବିଶ୍ୱକର୍ମା ପୂଜା ମଣ୍ଡପର ଚନ୍ଦ୍ରାୟାନ ୩ ଆକାରର ମେଢ଼ ଏବେ ସମଗ୍ର ଜିଲାରେ ଚର୍ଚ୍ଚାର ବିଷୟ ପାଲଟିଛି । ଗ୍ଲାସ ହାଉସ ମାଲିକ ବୁଲୁ ମହାରଣାଙ୍କ ପ୍ରଚେଷ୍ଟା ଓ ତାଙ୍କ ସହଯୋଗୀଙ୍କ ପ୍ରୟାସରେ ଚନ୍ଦ୍ରାୟାନ ୩ ମେଢ଼ କରି ଚନ୍ଦ୍ର ଉପରେ ବିଶ୍ୱକର୍ମା ମୂର୍ତ୍ତି ବସିବା ଓ ତାଙ୍କ ଚାରି ପଟେ ଲ୍ୟାଣ୍ଡର ବୁଲିବା ଚନ୍ଦ୍ରପୃଷ୍ଠରେ ଦେବ ଶିଳ୍ପୀ ବିଶ୍ୱକର୍ମା ପୂଜା ପାଇବା ପରି ଏକ ସୁନ୍ଦର ମେଢ଼ କରି ସୁନାମ ଅର୍ଜନ କରିଛନ୍ତି । ବୁଲୁ ମହାରଣାଙ୍କ ହାତ ତିଆରି ଚନ୍ଦ୍ରାୟାନ ୩ ବହୁତ ଆକର୍ଷଣୀୟ ହୋଇଛି l ଏହି ମେଢ଼କୁ ଦେଖିବା ପାଇଁ ବହୁ ସଂଖ୍ୟାରେ ଲୋକଙ୍କ ଭିଡ଼ ଜମିଥିବା ବେଳେ ସମସ୍ତେ ବୁଲୁଙ୍କୁ ପ୍ରଶଂସା କରିଛନ୍ତି ।

ବୁଲୁ ଷଷ୍ଠ ଶ୍ରେଣୀ ପର୍ଯ୍ୟନ୍ତ ପଢିବା ପରେ ଅଧାରୁ ପାଠ ଛାଡି ନିଜର କୌଳିକ ବୃତ୍ତି କାଠ କାମକୁ ଆଦରି ନେଇଛନ୍ତି । ପ୍ରତି ବର୍ଷ ବିଶ୍ୱକର୍ମା ପୂଜାରେ ନିଜ ମହାରଣା ଗ୍ଲାସ ହାଉସରେ ନିଆରା ଭାବେ ପୂଜା କରିଥାନ୍ତି । ବୁଲୁଙ୍କ ସହ ତାଙ୍କ ଭାଇ ସଞ୍ଜୟ ଏବଂ ଅନ୍ୟ ୧୫ଜଣ ଶିଳ୍ପୀ ମିଶି ଏହି ସୁନ୍ଦର ପ୍ରକଳ୍ପକୁ ତିଆରି କରିଛନ୍ତି। ଚନ୍ଦ୍ରାୟାନ-୩ମେଢ ବନାଇବା ପାଇଁ ଏକ ଲକ୍ଷରୁ ଉର୍ଦ୍ଧ ଟଙ୍କା ଖର୍ଚ୍ଚ ହୋଇଥିବା ବୁଲୁ ପ୍ରକାଶ କରିଛନ୍ତି । ପ୍ରତିବର୍ଷ ଦେଶରେ ଚର୍ଚ୍ଚିତ ଘଟଣା ଉପରେ ଏହି ଭଳି ଭାବେ ସେ ମେଢ଼ ପ୍ରସ୍ତୁତ କରୁଥିବା କହିଛନ୍ତି l ପୂର୍ବରୁ ପୁଲଓ୍ବାମା ଆକ୍ରମଣ ଆକାର ମେଢ଼ ଓ ୨୦୨୧ରେ କରୋନା ସମସ୍ୟା ଉପରେ ମଧ୍ୟ ମେଢ଼ କରିଥିବା ବୁଲୁ କହିଛନ୍ତି।