Categories: ଖେଳ

ଇତିହାସ ରଚିଲେ ବୁମ୍‌ରା: ପ୍ରଥମ ଭାରତୀୟ ଭାବେ…

ବିଶାଖାପାଟନମ୍‌,୬।୨: ଇଂଲଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ଭାରତ ଦୃଢ ପ୍ରତ୍ୟାବର୍ତ୍ତନ କରି ଦ୍ୱିତୀୟ ମ୍ୟାଚକୁ ୧୦୬ ରନ୍‌ରେ ଜିତିଥିଲା। ବିଶାଖାପାଟନମରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟରେ ଜସପ୍ରୀତ ବୁମରାଙ୍କ ଜଲଓ୍ବା ଦେଖିବାକୁ ମିଳିଥିଲା। ପ୍ରଥମ ଇନିଂସରେ ଇଂରାଜୀ ବ୍ୟାଟ୍ସମ୍ୟାନ୍ମାନେ ତାଙ୍କ ବଲ ବୁଝପାରି ନ ଥିଲେ, ଦ୍ୱିତୀୟ ଇନିଂସରେ ସେ ଏବଂ ରବିଚନ୍ଦ୍ରନ ଅଶ୍ୱିନ ଟିମ ଇଣ୍ଡିଆର ବିଜୟର ପ୍ରକୃତ ହିରୋ ଥିଲେ। ବିଶାଖାପାଟନମ ଟେଷ୍ଟର ପ୍ରଥମ ଇନିଂସରେ ବୁମ୍‌ରା ୬ଟି ଓ ଦ୍ୱିତୀୟ ଇନିଂସରେ ୩ଟି ଉଇକେଟ ନେଇଥିଲେ। ସେ ମ୍ୟାଚର ଖେଳାଳି ଭାବରେ ମନୋନୀତ ହୋଇଥିଲେ। ଏହା ସହିତ ଏହି ତାରକା ଭାରତୀୟ ଦ୍ରୁତ ବୋଲର ମଧ୍ୟ ଏକ ସ୍ବତନ୍ତ୍ର ମାଇଲଖୁଣ୍ଟ ହାସଲ କରିଛନ୍ତି।
୨୦୧୯ରେ ଆରମ୍ଭ ହୋଇଥିବା ବିଶ୍ୱ ଟେଷ୍ଟ ଚାମ୍ପିଅନସିପରେ ସେ ୧୦୦ରୁ ଅଧିକ ଉଇକେଟ ନେଇଥିବା ପ୍ରଥମ ଭାରତୀୟ ଦ୍ରୁତ ବୋଲର ତଥା ଦ୍ୱିତୀୟ ଭାରତୀୟ ବୋଲର ହୋଇଛନ୍ତି। ତାଙ୍କ ଆଗରେ କେବଳ ଅଶ୍ୱିନ ଅଛନ୍ତି, ଯିଏ ଏହି ପ୍ରତିଯୋଗିତାରେ ତାଙ୍କ ନାମରେ ୧୫୭ ଉଇକେଟ ନେଇଛନ୍ତି। ପ୍ରଥମ ଇନିଂସରେ ଷଷ୍ଠ ଉଇକେଟ ନେଇ ବୁମରା ଏକ ସ୍ବତନ୍ତ୍ର ମାଇଲଖୁଣ୍ଟ ହାସଲ କରିଥିଲେ। ବର୍ତ୍ତମାନ ବିଶ୍ୱ ଟେଷ୍ଟ ଚାମ୍ପିଅନସିପରେ ୨୪ଟି ମ୍ୟାଚରେ ତାଙ୍କ ନାମରେ ମୋଟ ୧୦୬ ଉଇକେଟ ରହିଛି। ଏହି ପ୍ରତିଯୋଗିତାରେ ସେ ୧୦୦+ ଉଇକେଟ ନେଇ ମୋଟ ନବମ ବୋଲର ଅଟନ୍ତି। ଏଥି ସହିତ ସେ ଦ୍ରୁତ ବୋଲରଙ୍କ ମଧ୍ୟରେ ସପ୍ତମ ସ୍ଥାନରେ ରହିଛନ୍ତି। ତାଙ୍କ ପୂର୍ବରୁ ପ୍ୟାଟ କମିନ୍ସ, ମିଚେଲ ଷ୍ଟାର୍କ, ଷ୍ଟୁଆର୍ଟ ବ୍ରଡ, କାଗିସୋ ରାବାଡା, ଟିମ ସାଉଥୀ ଏବଂ ଜେମ୍ସ ଆଣ୍ଡରସନ ଏହି ସ୍ଥାନ ହାସଲ କରିଛନ୍ତି। ଏହା ବ୍ୟତୀତ ଦୁଇଜଣ ସ୍ପିନର ନାଥନ ଲିଅନ ଏବଂ ଅଶ୍ୱିନ ଅଛନ୍ତି। ଡବ୍ଲୁଟିଏସିରେ ସର୍ବାଧିକ ଉଇକେଟ ନେଇଥିବା ତାଲିକାରେ ଲିଅନ ଶୀର୍ଷରେ ରହିଛି। ତାଙ୍କ ନାମରେ ୧୭୪ ଉଇକେଟ ଅଛି।
ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ରେ ଜନି ବେୟାରଷ୍ଟୋ ବୁମରାଙ୍କ ୧୦୦ତମ ଶିକାର ହୋଇଥିଲେ। କେବଳ ଏତିକି ନୁହେଁ, ବୁମ୍‌ରା ଟେଷ୍ଟରେ ୧୫୦ ଉଇକେଟ ମଧ୍ୟ ନେଇଛନ୍ତି ଏବଂ ଏହି ମାଇଲଖୁଣ୍ଟରେ ପହଞ୍ଚିବା ପାଇଁ ସେ ଭାରତୀୟ ଦ୍ରୁତ ବୋଲରଙ୍କ ମଧ୍ୟରେ ସର୍ବନିମ୍ନ ସମୟ ନେଇଛନ୍ତି। ୩୪ଟି ଟେଷ୍ଟରେ ବୁମରା ମୋଟ ୧୫୫ ଉଇକେଟ ନେଇଛନ୍ତି ଏବଂ ତାଙ୍କର ଶ୍ରେଷ୍ଠ ବୋଲିଂ ପ୍ରଦର୍ଶନ ହେଉଛି ୨୬ ରନ ପାଇଁ ୬ଟି ଉଇକେଟ ନେଇଛି।

Share