ମୁମ୍ବାଇ, ୪।୧(ପି.ଟି.): ଶ୍ରୀଲଙ୍କା ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଅନ୍ତର୍ଜାତୀୟ ଦିନିକିଆ ସିରିଜ ପାଇଁ ଷ୍ଟାର ପେସ୍ ବୋଲର ଯଶପ୍ରୀତ୍ ବୁମ୍ରାଙ୍କୁ ମଙ୍ଗଳବାର ଭାରତୀୟ ଦିନିକିଆ କ୍ରିକେଟ ଦଳରେ ସାମିଲ କରାଯାଇଛି। ଜାନୁୟାରୀ ୧୦ରୁ ଆରମ୍ଭ ହେବାକୁଥିବା ଏହି ସିରିଜ ପାଇଁ ନ୍ୟାଶନାଲ କ୍ରିକେଟ ଏକାଡେମୀ (ଏନ୍ସିଏ) ତାଙ୍କୁ ଫିଟ୍ ଘୋଷଣା କରିଛି। ବୁମ୍ରା ଭାରତ ପାଇଁ ଶେଷ ଥର ପାଇଁ ସେପ୍ଟେମ୍ବରରେ ଖେଳିଥିଲେ। ପିଠିରେ ଇଞ୍ଜୁରି ଯୋଗୁ ଅଷ୍ଟ୍ରେଲିଆରେ ଖେଳାଯାଇଥିବା ଟି୨୦ ବିଶ୍ୱକପ୍ ଖେଳିବାରୁ ସେ ବଞ୍ଚତ୍ତ ହୋଇଥିଲେ। ଶ୍ରୀଲଙ୍କା ବିପକ୍ଷ ସିରିଜ ପାଇଁ ସିଲେକ୍ସନ କମିଟି ବୁମ୍ରାଙ୍କୁ ମନୋନୀତ କରିଛି। ଏହି ପେସ୍ ବୋଲର ଜଣକ ଏନ୍ସିଏରେ ରିହାବିଲିଟେଶନରେ ଥିଲେ। ସେ ଖୁବ୍ ଶୀଘ୍ର ଭାରତୀୟ ଦଳରେ ଯୋଗଦେବେ ବୋଲି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) କହିଛି। ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଅନ୍ତର୍ଜାତୀୟ ଦିନିକିଆ ଜାନୁୟାରୀ୧୦ରେ ଗୁଆହାଟୀରେ ଖେଳାଯିବାକୁଥିବା ବେଳେ କୋଲକାତାରେ ଦ୍ୱିତୀୟ ଦିନିକିଆ ଜାନୁୟାରୀ ୧୨ରେ ଏବଂ ତ୍ରିଭେନ୍ଦ୍ରମରେ ତୃତୀୟ ଦିନିକିଆ ଜାନୁୟାରୀ ୧୫ରେ ଖେଳାଯିବ। ବୁମ୍ରା ୨୦୧୬ରେ ଭାରତ ତରଫରୁ ପ୍ରଥମ ଥର ଖେଳିଥିଲେ।