Categories: ଖେଳ

ବୁମ୍‌ରାଙ୍କ ଚମକିଲା ଭାଗ୍ୟ, ହେଲେ କୋହଲିଙ୍କ ସମକକ୍ଷ

ନୂଆଦିଲ୍ଲୀ,୭।୨: ଭାରତର ଏକ ନମ୍ବର ବ୍ୟାଟ୍ସମ୍ୟାନ ବିରାଟ କୋହଲି ଯାହା କରିଥିଲେ ତାହା କରିଦେଖାଇଛନ୍ତି ଜଶପ୍ରୀତ ବୁମ୍‌ରା। ବିରାଟ କୋହଲିଙ୍କ ପରେ ବୁମ୍‌ରା ଦ୍ୱିତୀୟ ଖେଳାଳି ଭାବେ ତିନୋଟି ଫର୍ମାଟରେ ଏକ ନମ୍ବର ସ୍ଥାନ ହାସଲ କରିବାରେ ସଫଳ ହୋଇଛନ୍ତି। ବୁଧବାର ସର୍ବଶେଷ ଆଇସିସି ଟେଷ୍ଟ ର଼୍ୟାଙ୍କିଂ ପ୍ରକାଶ ପାଇବା ପରେ ବୁମ୍‌ରା ଏହି ମାଇଲଖୁଣ୍ଟ ହାସଲ କରିଛନ୍ତି। ବୁମରା ବର୍ତ୍ତମାନ ଦୁନିଆର ଏକ ନମ୍ବର ଦ୍ରୁତ ବୋଲର ହୋଇପାରିଛନ୍ତି। ଏହାପୂର୍ବରୁ ବୁମ୍‌ରା ଆଇସିସି ଟି-୨୦ ଏବଂ ଦିନିକିଆ ର଼୍ୟାଙ୍କିଙ୍ଗରେ ଏକ ନମ୍ବର ସ୍ଥାନ ହାସଲ କରିଛନ୍ତି। ଅଦ୍ୟାବଧି କେବଳ ଦୁଇଜଣ ଏସୀୟ କ୍ରିକେଟର ଏହି ତିନୋଟି ଫର୍ମାଟରେ ଏକ ନମ୍ବର ହେବାରେ ସକ୍ଷମ ହୋଇଛନ୍ତି ଏବଂ ଏହି ଉଭୟ ଖେଳାଳି ଭାରତର।
ସମସ୍ତ ତିନୋଟି ଫର୍ମାଟରେ ଏକ ନମ୍ବର ସ୍ଥାନ ହାସଲ କରିଥିବା ବିରାଟ କୋହଲି ପ୍ରଥମ ଏସୀୟ ବ୍ୟାଟ୍ସମ୍ୟାନ ହୋଇଥିଲେ। ବର୍ତ୍ତମାନ ଜସପ୍ରୀତ ବୁମ୍‌ରା ଦ୍ୱିତୀୟ ଏସୀୟ କ୍ରିକେଟର ଭାବରେ ତିନୋଟି ଫର୍ମାଟରେ ଏକ ନମ୍ବର ସ୍ଥାନ ଅଧିକାର କରିଛନ୍ତି। ତେବେ ବୁମ୍‌ରା ହେଉଛନ୍ତି ପ୍ରଥମ ଏସୀୟ ବୋଲର ଯିଏ ତିନୋଟି ଫର୍ମାଟରେ ଏକ ନମ୍ବର ସ୍ଥାନ ହାସଲ କରିବାରେ ସଫଳ ହୋଇଥିଲେ। ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ୯ ଉଇକେଟ ନେବା ପରେ ବୁମ୍‌ରା ଏହି ପଦ ପାଇଛନ୍ତି। ବର୍ତ୍ତମାନ ବୁମ୍‌ରା ୮୮୧ ପଏଣ୍ଟ ସହ ଆଇସିସି ଟେଷ୍ଟ ର଼୍ୟାଙ୍କିଂରେ ଏକ ନମ୍ବର ରହିଛନ୍ତି। ବୁମ୍‌ରା ଆର ଅଶ୍ୱିନଙ୍କୁ ପରାସ୍ତ କରି ଏକ ନମ୍ବର ସ୍ଥାନ ହାସଲ କରିଥିଲେ।

Share