Categories: ଜାତୀୟ

ବର୍ଷାରେ ଧସିଲା ବୁନ୍ଦେଲଖଣ୍ଡ ଏକ୍ସପ୍ରେସ୍‌ଓ୍ବେ: ପ୍ରଧାନମନ୍ତ୍ରୀ ଉଦ୍‌ଘାଟନ କରିଥିଲେ ୫ ଦିନ ଗଲାନି

ଲକ୍ଷ୍ନୌ, ୨୨ା୭:ଗତ ୧୬ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତରପ୍ରଦେଶରେ ଉଦ୍‌ଘାଟନ କରିଥିବା ବୁନ୍ଦେଲଖଣ୍ଡ ଏକ୍ସପ୍ରେସ୍‌ଓ୍ବେର କିଛି ଅଂଶ ବର୍ଷାରେ ଧସିଯାଇଛି। ଚିତ୍ରକୂଟର ଭରତକୋପରୁ କୁର୍ଦ୍ଦେଲକୁ ସଂଯୋଗ କରୁଥିବା ଏହି ୨୯୬ କିଲୋମିଟର ଦୀର୍ଘ ୪ ଲେନ୍‌ ବିଶିଷ୍ଟ ଏକ୍ସପ୍ରେସ୍‌ ଓ୍ବେର କେତେକ ସ୍ଥାନରେ ଖାଲ ହୋଇଯାଇଛି। ରାସ୍ତା ଦବିଯାଇଥିବାରୁ ସାଲେମପୁର ନିକଟ ଛିରିୟାଠାରେ ଦୁଇଟି କାର୍‌ ଏବଂ ଏକ ବାଇକ୍‌ ମଧ୍ୟରେ ଧକ୍କା ହେବା ଫଳରେ ଦୁର୍ଘଟଣା ଘଟିଥିବା ସ୍ଥାନୀୟ ବାସିନ୍ଦା କରିଛନ୍ତି। ଏହାକୁ ନେଇ ବିରୋଧୀ ଯୋଗୀ ଆଦିତ୍ୟନାଥଙ୍କ ସରକାରକୁ ସମାଲୋଚନା କରିଛନ୍ତି।
ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ନଷ୍ଟ ହୋଇଥିବା ରାସ୍ତାର କିଛି ଅଂଶକୁ ନେଇ ଏକ ଭିଡିଓ ଶେୟାର କରିଛନ୍ତି। ଏଥିରେ ସେ ଲେଖିଛନ୍ତି, ‘ଭାଜପାର ଅଧୁରା ବିକାଶର ନମୁନା। ବୁନ୍ଦେଲଖଣ୍ଡ ଏକ୍ସପ୍ରେସଓ୍ବେକୁ ବଡ଼ ଲୋକ (ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦ୍ଦେଶ୍ୟରେ) ଉଦ୍‌ଘାଟନ କରିଥିଲେ। ମାତ୍ର ସପ୍ତାହକ ଭିତରେ ଖାଲ ରୂପି ଦୁର୍ନୀତି ସାମ୍‌ନାକୁ ଆସିଗଲା। ଭଲ ହେଲା ଏହା ଉପରେ ରନ୍‌ଓ୍ବେ ତିଆରି ହୋଇନି।’ ଆମ୍‌ ଆଦ୍‌ମୀ ପାର୍ଟି(ଏଏପି) ପକ୍ଷରୁ ମଧ୍ୟ ଭାଜପା ସରକାରଙ୍କୁ ଟାର୍ଗେଟ କରି ରାସ୍ତାର ଭିଡିଓ ଶେୟାର କରାଯାଇଛି। ୟୁପି ଏକ୍ସପ୍ରେସ୍‌ଓ୍ବେ ଔଦୋଗିକ ବିକାଶ ପ୍ରାଧିକରଣର ଲୋକ ସମ୍ପର୍କ ଅଧିକାରୀ ଦୁର୍ଗେଶ ଉପାଧ୍ୟାୟ କହିଛନ୍ତି, ପ୍ରବଳ ବର୍ଷା ଯୋଗୁ ରାସ୍ତାର କିଛି ସ୍ଥାନରେ ଖାଲ ହୋଇଯାଇଛି। ମରାମତି କାର୍ଯ୍ୟ ସରିଥିବାବେଳେ ସେଠାରେ ଯାତାୟାତ ସ୍ବାଭାବିକ ହୋଇଛି। ବୁନ୍ଦେଲଖଣ୍ଡ ଏକ୍ସପ୍ରେସ୍‌ଓ୍ବେ ପ୍ରୋଜେକ୍ଟ ପାଇଁ ପ୍ରାୟ ୮ ହଜାର କୋଟି ଟଙ୍କା ବ୍ୟୟ ହୋଇଥିବାବେଳେ ଏହାକୁ ୬ ଲେନ୍‌ ବିଶିଷ୍ଟ କରାଯାଇପାରିବ।

Share