ଘର ଖୋଳୁଥିଲେ ପାଇପ୍‌ ମିସ୍ତ୍ରୀ, ଭିତରୁ ମିଳିଲା ଖାଲି ବିଡ଼ା ବିଡ଼ା ଟଙ୍କା; ଆଉ ତା’ ପରେ…

ଓ୍ବାଶିଂଟନ,୧୧ା୧୨: ଆମେରିକାର ଜଣେ ପାଇପ ମିସ୍ତ୍ରୀ ବାଥ୍‌ରୁମ ମରାମତି କରୁଥିବା ସମୟରେ ଭିତରୁ ଖାଲି ବିଡ଼ା ବିଡ଼ା ଟଙ୍କା ବାହାରିଥିଲା। ମାତ୍ର ସେ ସଚ୍ଚୋଟତା ଦେଖାଇ ଏହି ପଇସାକୁ ଫେରାଇ ଦେବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ଟେକ୍ସାସ ସହରରେ ରହୁଥିବା ଜଷ୍ଟିନ୍‌ କଲଙ୍କ ଏପରି ସଚ୍ଚୋଟ ପଣିଆ ଏବେ ଚର୍ଚ୍ଚାରେ ରହିଛି। ଏକ ଚର୍ଚ୍ଚର ବାଥ୍‌ରୁମ୍‌ ମରାମତି ପାଇଁ ଜଷ୍ଟିନ ଆସିଥିଲେ। ମରାମତି କରୁଥିବା ସମୟରେ ଏହା ଭିତରୁ ୪.୫ କୋଟି ଟଙ୍କା ମିଳିଥିଲା। ଏତେ ଟଙ୍କା ଦେଖି ତାଙ୍କ ହୋସ୍‌ ଉଡ଼ିଗଲା। ମାତ୍ର ସେ ସଚ୍ଚୋଟତା ଦେଖାଇ ଏହି ସମସ୍ତ ଟଙ୍କା ଚର୍ଚ୍ଚର ପରିଚାଳକଙ୍କୁ ଫେରାଇ ଦେଇଛନ୍ତି। ଏହି ଟଙ୍କା କାନ୍ଥ ଭିତରେ ଗର୍ତ୍ତ କରାଯାଇ ରହିଥିଲା। କୁହାଯାଉଛି, ୭ ବର୍ଷ ପୂର୍ବରୁ ଉକ୍ତ ଚର୍ଚ୍ଚରୁ ଏକ ବଡ଼ ଧରଣର ଚୋରି ହୋଇଥିଲା। ନଗଦ ଟଙ୍କା ଏବଂ ଚେକ୍‌ ନେଇ ଯାଇଥିଲେ ଦୁର୍ବୃତ୍ତ। ସେତେବେଳେ କେହି ଖୋଜି ଆଣିଦେଲେ ୩ ଲକ୍ଷରୁ ଅଧିକ ପୁରସ୍କାର ଦିଆଯିବ ବୋଲି ଚର୍ଚ୍ଚ ପକ୍ଷରୁ ଘୋଷଣା କରାଯାଇଥିଲା। ପରେ ଏହି ପୁରସ୍କାର ରାଶି ୧୫ ଲକ୍ଷ ଟଙ୍କାକୁ ମଧ୍ୟ ବଢ଼ାଇ ଦିଆଯାଇଥିଲା। ମାତ୍ର ସେ ଟଙ୍କା ମିଳି ନ ଥିଲା।

ନଭେମ୍ବର ୧୦ ତାରିଖରେ ଜଷ୍ଟିନ୍‌ ପାଚେରି ଖୋଳୁଥିବା ବେଳେ ପାଇଥିଲେ। ଜଷ୍ଟିନ୍‌ କୁହନ୍ତି, ମୁଁ ଯେତେବେଳେ ବାଥରୁମ୍‌ କାମ କରୁଥିଲି, ମୋତେ ଲାଗିଲା ପାଚେରିରେ କିଛି ଅଛି। ସେତେବେଳେ ମୁଁ କାନ୍ଥ ଖୋଳିଥିଲି। ଏଠାରୁ ଖାଲି ଟଙ୍କା ମିଳିଥିଲା। ଏହା ପରେ ମୁଁ ଗଣିନି ଏଥିରେ କେତେ ଟଙ୍କା ଥିଲା। ସିଧା ନେଇ ଚର୍ଚ୍ଚର ପରିଚାଳକଙ୍କୁ ଦେଇଥିଲି।

ଜଷ୍ଟିନ୍‌ଙ୍କ ଏପରି ସଚ୍ଚୋଟତା ଦେଖି ଚର୍ଚ୍ଚର ପରିଚାଳକ ତାଙ୍କୁ ସେହି ଟଙ୍କା ପୁଣି ଦେଇଦେବା ସହ ଚର୍ଚ୍ଚର ଦେଖାଶୁଣା କରିବା ଦାୟିତ୍ୱ ଦେଇଥିଲେ। ଜଷ୍ଟିନ୍‌ ବହୁତ ଖୁସି। ଏହି ଟଙ୍କାରେ ସେ ନିଜ ପାଇଁ ଏକ ଭଲ ଘର ତିଆରି କରିବେ ବୋଲି କହିଛନ୍ତି।

Share