ବିଧବାଙ୍କ ମୁଣ୍ଡ ଉପରେ ୪ ସନ୍ତାନ ବୋଝ: ସହାୟତା ପାଇଁ ଦାବି

କର୍ଲାମୁଣ୍ଡା,୨।୧୦(ପ୍ରଦୀପ କୁମାର ସାହୁ):ଜଣେ ଅଳ୍ପ ବୟସ୍କ ମହିଳାଙ୍କ କାନ୍ଧରେ ୪ ସନ୍ତାନର ବୋଝ। କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଂଜା ଗାଁର ସ୍ବର୍ଗତ ଚୁଡାମଣୀ ସେଲମା (୩୫) ସ୍ତ୍ରୀ ସୁମିତ୍ରା ସେଲମା( ୩୦) ବଡ଼ ଝିଅ ପ୍ରତିଜ୍ଞା ସେଲମା( ୧୩) ସପ୍ତମ ଶ୍ରେଣୀ ଛାତ୍ରୀ,ଦ୍ୱିତୀୟ ଝିଅ ନିହାରିକା ସେଲମା (୯) ତୃତୀୟ ଶ୍ରେଣୀ ଛାତ୍ରୀ, ତୃତୀୟ ଝିଅ ସିଦ୍ଧିଦାତ୍ରୀ ସେଲମା (୪) କନିଷ୍ଠ ପୁତ୍ର ଆହ୍ବାନ ସେଲମା (୨)କୁ ନେଇ ବେଶ ହସ ଖୁସିରେ ସଂସାର ଚାଲିଥିଲା। ଚୂଡ଼ାମଣି ଚପଲ ଦୋକାନ କରି ପରିବାର ପୋଷୁଥିଲେ। ତେବେ ଗତ ଡିସେମ୍ବର ମାସରେ ଚୂଡ଼ାମଣି ହଠାତ ଅସୁସ୍ଥ ଅନୁଭବ କରିବାରୁ ପରିବାର ଲୋକେ ବିଶାଖାପାଟଣା ଏକ ଘରୋଇ ଡାକ୍ତରଖାନାରେ ବିଜୁ ସ୍ବାସ୍ଥ୍ୟ କାର୍ଡ ଜରିଆରେ ଚିକିତ୍ସା ଆରମ୍ଭ କରାଇଥିଲେ। ସେଠାରେ ତାଙ୍କର ଲିଭର ନଷ୍ଟ ହୋଇଥିବା ଜଣାପଡିବା ପରେ ଘରର ଜମିକୁ ବିକ୍ରି କରି ୬ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ ହେଁ, ରୋଗ ଠିକ ହୋଇ ପାରି ନ ଥିଲା। ଶେଷରେ ଚଳିତ ବର୍ଷ ଅଗଷ୍ଟ ମାସରେ ଚୂଡ଼ାମଣି ମୃତ୍ୟୁବରଣ କରିଥିଲେ।

ସ୍ବାମୀଙ୍କ ମୃତ୍ୟୁ ପରେ ୪ ସନ୍ତାନକୁ କିପରି ପୋଷିବେ ଓ ପାଠ ପଢେଇବେ ସେନେଇ ଭାଙ୍ଗି ପଡିଛନ୍ତି ସୁମିତ୍ରା ସେଲମା। ଏହା ବ୍ୟତୀତ ସୁମିତ୍ରାଙ୍କ ଶ୍ୱଶୁର ଦାଶରଥି ସେଲମା ପଞ୍ଚାୟତର ଚତୁର୍ଥ ଶ୍ରେଣୀ କର୍ମଚାରୀ। ତାଙ୍କର ଦରମା ମାସିକ ୨୨୦୦ ଟଙ୍କା। ଅଳ୍ପ ଦରମାରେ ଏତେ ବଡ଼ ପରିବାରକୁ କେମିତି ଖାଇବାକୁ ଦି ମୁଠା ଯୋଗାଡ଼ କରିବେ, ସେନେଇ ଦାଶରଥି ଭାଙ୍ଗି ପଡିଛନ୍ତି। ଅନ୍ୟପଟେ ଶ୍ୱଶୁର ଦାଶରଥିଙ୍କ ମୁଣ୍ଡ ଉପରେ ଦ୍ୱିତୀୟ ପୁଅ ଓ ବୋହୁ, ତାଙ୍କ ପତ୍ନୀ ସାନ ପୁଅ ତା’ ସାଙ୍ଗକୁ ବୃଦ୍ଧ ବାପା ଏପରି କି ୧୧ ସଦସ୍ୟ ବିଶିଷ୍ଟ ପରିବାରକୁ ନେଇ ସଂସାର। ସରକାରୀ ସହାୟତା କହିଲେ ସୁମିତ୍ରାଙ୍କ ବିଧବା ଭତ୍ତା ଏକ ହଜାର। ଶ୍ୱଶୁରଙ୍କ ମାସିକ ଦରମା ୨୨ ଶହ ଓ ଅଜା ଶଶୁରଙ୍କ ବାର୍ଦ୍ଧକ୍ୟ ଭତ୍ତା ଏକ ହଜାର ଟଙ୍କା ସାଙ୍ଗକୁ ରାସନ କାର୍ଡ ଜରିଆରେ ମିଳୁଥିବା ୫୫କେଜି ଚାଉଳ। ଏଣୁ ବାପ ଛେଉଣ୍ଡ ଏହି ୪ରି ପିଲାଙ୍କୁ ଜିଲା ଶିଶୁ ସୁରକ୍ଷା ସମିତି ପକ୍ଷରୁ ସହାୟତା ଯୋଗାଇଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

Share