ବୃଦ୍ଧଙ୍କ ଉପରେ ବୋଝ: ରୋଗଣା ସ୍ତ୍ରୀ, ମାନସିକ ବିକୃତ ଝିଅପୁଅ

ଆଳି,୨୮ା୯(ବନମାଳୀ ସେନାପତି): ହସଖୁସିରେ ପୂରି ଉଠୁଥିବା ସଂସାର ଉପରେ ଏବେ ଦୁଃଖର କଳା ବାଦଲ ଘୋଟିଯାଇଛି। ବୃଦ୍ଧ ଅବସ୍ଥାରେ ରୋଗଣା ସ୍ତ୍ରୀ, ମାନସିକ ବିକୃତ ଝିଅପୁଅଙ୍କ ସେବାଯତ୍ନ କରିବାରେ ଲାଗିଛନ୍ତି। ଏଭଳି ଏକ ପରିବାର କେନ୍ଦ୍ରାପଡ଼ା ଜିଲା ଆଳି ବ୍ଲକ ମହାଦେଇପାଟଣା ଗଁାର ହୃଷୀକେଶ ସାହୁ (୭୦)ଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି।
ପରିବାର କହିଲେ ହୃଷୀକେଶ, ସ୍ତ୍ରୀ କନକଲତା, ପୁଅ ମଣୀରାମ ଓ ଝିଅ ସବିତା। ହୃଷୀକେଶ ଦିନ ମଜୁରିଆ ଭାବେ କାର୍ଯ୍ୟ କରି ପରିବାର ପ୍ରତିପୋଷଣ କରିଥାନ୍ତି। ତାଙ୍କ ଝିଅ ସବିତା ୨୦ ବର୍ଷର ହୋଇଥିବାବେଳେ ଦେହ ଖରାପ ହେବାରୁ ସ୍ଥାନୀୟ ଡାକ୍ତରଖାନାରେ ତାଙ୍କୁ ଚିକିତ୍ସା କରାଇଥିଲେ। ମାତ୍ର ଦେହ ଭଲ ହୋଇ ନ ଥିଲା। ଆର୍ଥତ୍କ ସ୍ଥିତି ଖରାପ ଥିବାରୁ ଅଧିକ ଚିକିତ୍ସା କରାଇ ନ ପାରିବାରୁ ସବିତା ଅଧିକ ଅସୁସ୍ଥ ହେବା ସହ ମାନସିକ ବିକୃତି ଦେଖାଦେଇଥିଲା। ସବିତାଙ୍କୁ ଏବେ ୪୨ବର୍ଷ ହେଲାଣି। ପ୍ରାୟ ୨୦ ବର୍ଷରୁ ଊର୍ଦ୍ଧ୍ୱ ହେବ ସବିତା ଗୋଟିଏ ସ୍ଥାନରେ ପଡ଼ିଛନ୍ତି। ସବିତାଙ୍କ ମା’ କନକଲତା ଦୀର୍ଘବର୍ଷ ହେବ ଝିଅର ସେବା ଶୁଶ୍ରୂଷା କରୁଥିଲେ। ସେ୨ ବର୍ଷ ହେବ ପକ୍ଷାଘାତ ରୋଗରେ ପୀଡ଼ିତ। କନକଲତା ଏବେ ଝିଅର ଦେଖାଶୁଣା କରିପାରୁନାହାନ୍ତି। ସବିତା ଗୋଟିଏ ସ୍ଥାନରେ ପଡ଼ି ରହି ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ସୃଷ୍ଟି ହୋଇଥିବା ହୃଷୀକେଶ କହିଛନ୍ତି। ପୁଅ ମଣୀରାମ ମାନସିକ ବିକୃତ ଯୋଗୁ କେତେବେଳେ କେମିତି କାମ କରୁଛି ନଚେତ୍‌ ସବୁ ବେଳେ ଏଣେତେଣେ ବୁଲୁଛି। କନକଲତା ପକ୍ଷାଘାତରେ ପୀଡ଼ିତ ହୋଇଥିବାରୁ ପରିବାରର ଦୁଃଖ ବଢ଼ିଯାଇଛି। ତାଙ୍କ ପାଖରେ ଅର୍ଥର ଅଭାବ ଥିବାରୁ ସ୍ତ୍ରୀଙ୍କୁ ମଧ୍ୟ ଚିକିତ୍ସା ଯୋଗାଇ ପାରୁନାହାନ୍ତି। ବୃଦ୍ଧ ଅବସ୍ଥାରେ ଦିନ ମଜୁରି କରି ହୃଷୀକେଶ ପରିବାର ମୁହଁରେ ସବୁଦିନ ଦାନାମୁଠେ ଦେବାକୁ ଅକ୍ଷମ। ତେଣୁ ରାଜ୍ୟ ସରକାର ଏହି ପରିବାର ଉପରେ ସ୍ବତନ୍ତ୍ର ଦୃଷ୍ଟି ଦେଇ ସହାୟତା ଯୋଗାଇ ଦେବା ସହ ତାଙ୍କ ଝିଅର ଚିକିତ୍ସା ନିମନ୍ତେ ସ୍ବତନ୍ତ୍ର ଦୃଷ୍ଟିଦେବାକୁ ହୃଷୀକେଶ ଗୁହାରି କରିଛନ୍ତି। ଏଥିସହ ସେମାନେ ରହୁଥିବା ଘରର କାନ୍ଥ ଲଗାଣ ବର୍ଷାରେ ଭାଙ୍ଗି ଯାଇଛି। ଛପର ହୋଇ ନ ଥିବାରୁ ବର୍ଷା ପାଣି ପଡ଼ୁଛି। ଆବାସ ଖଣ୍ଡେ ପାଇବା ନିମନ୍ତେ ଆବେଦନ କରିଥିଲେ ମଧ୍ୟ ତାହା ମିଳିପାରିନି। ଏ ନେଇ ଆଳି ବିଡିଓ ମିନତି ଜଗଦ୍ଦେବଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେ ସରକାରୀ ସହାୟତା ଯୋଗାଇ ଦେବା ସହ ଝିଅଙ୍କ ଚିକିତ୍ସା ପାଇଁ ଉପରିସ୍ଥ ଅଧିକାରୀଙ୍କ ସହ ଆଲୋଚନା କରିବେ ବୋଲି କହିଛନ୍ତି।

Share