Categories: ଜାତୀୟ

ମୁଖ୍ୟ ଶାସନ ସଚିବଙ୍କ ସହ ମାରପିଟ୍‌ ମାମଲାରେ କେଜରିଓ୍ବାଲ, ସିସୋଡିଆ ନିର୍ଦ୍ଦୋଷ ସାବସ୍ତ୍ୟ

ନୂଆଦିଲ୍ଲୀ,୧୧।୮: ଦିଲ୍ଲୀର ତତ୍କାଳୀନ ମୁଖ୍ୟ ଶାସନ ସଚିବ ଅଂଶୁ ପ୍ରକାଶଙ୍କ ଉପରେ ହୋଇଥିବା ଆକ୍ରମଣ ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ, ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କ ସମେତ ଅନ୍ୟ ଲୋକଙ୍କୁ ଆଶ୍ୱସ୍ତି ମିଳିଛି। ବୁଧବାର ଦିଲ୍ଲୀର ରୁଜ ଏଭେନ୍ୟୁ କୋର୍ଟ ଏହି ମାମଲାର ଶୁଣାଣି କରିଛନ୍ତି। ଶୁଣାଣି ସମୟରେ କୋର୍ଟ ଅରବିନ୍ଦ କେଜରିଓ୍ବାଲ ଓ ମନୀଷ ସିସୋଡିଆଙ୍କ ସମେତ ୯ଜଣ ବିଧାୟକଙ୍କୁ ନିର୍ଦ୍ଦୋଷରେ ମୁକ୍ତ କରିଛନ୍ତି। କିନ୍ତୁ କୋର୍ଟ ଅନ୍ୟ ୨ଜଣ ଏଏପି ବିଧାୟକ ଅମାନତୁଲ୍ଲା ଖାନ ଓ ପ୍ରକାଶ ଜାରୱାଲଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟଙ୍କ ଏହି ନିଷ୍ପତ୍ତି ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଟୁଇଟ କରି ପ୍ରତିକ୍ରିୟା ରଖିଛନ୍ତି। ଏଥିସହ କ୍ୟାପସନ୍‌ରେ ଲେଖିଛନ୍ତି, ସତ୍ୟମେବ ଜୟତେ। ଅନ୍ୟପଟେ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଆଜି ସତ୍ୟର ଜୟ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ହୋଇଥିବା ସମସ୍ତ ଅଭିଯୋଗ ମିଥ୍ୟା ବୋଲି କୋର୍ଟ ସ୍ବୀକାର କରିଛନ୍ତି। ଏହା ଏକ ଷଡ଼ଯନ୍ତ୍ର ବୋଲି ମୂଳରୁ ଆମେ କହିଆସୁଥିଲୁ ବୋଲି ସିସୋଡିଆ କହିଛନ୍ତି। ସୂଚନାଯୋଗ୍ୟ, ୨୦୧୮ ଫେବୃଆରୀରେ ତତ୍କାଳୀନ ମୁଖ୍ୟ ଶାସନ ସଚିବ ଅଂଶୁ ପ୍ରକାଶ ଅଭିଯୋଗ ଆଣିଥିଲେ ଯେ, ମଧ୍ୟରାତ୍ରିରେ ମୁଖ୍ୟମନ୍ତ୍ରୀ ତାଙ୍କୁ ଡକାଇଥିଲେ। ଏହାପରେ ତାଙ୍କୁ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ଏବଂ ଅନ୍ୟ ୧୧ ଜଣ ବିଧାୟକ ଆକ୍ରମଣ କରିଥିଲେ। ପରେ ଏହି ମାମଲା ହାଇକୋର୍ଟ ଏବଂ ସୁପ୍ରିମକୋର୍ଟରେ ପହଞ୍ଚିଥିଲା।

 

Share