ନୂଆଦିଲ୍ଲୀ,୧୯ା୭: ଆଫଗାନିସ୍ତାନରେ ହତ୍ୟାର ଶିକାର ହୋଇଥିବା ପୁଲିଜର ପୁରସ୍କାରପ୍ରାପ୍ତ ଭାରତୀୟ ଫଟୋ ଜର୍ନାଲିଷ୍ଟ ଡାନିଶ୍ ସିଦ୍ଦିକିଙ୍କ ମୃତଦେହକୁ ନୂଆଦିଲ୍ଲୀର ଜାମିଆ କବରସ୍ଥାନରେ ସମାଧି ଦିଆଯିବ। ଏ ନେଇ ଜାମିଆ ମିଲିଆ ଇସ୍ଲାମିଆ ୟୁନିଭର୍ସିଟି ପକ୍ଷରୁ ରବିବାର ସୂଚନା ଦିଆଯାଇଛି। ରଏଟର୍ସ ପାଇଁ କାମ କରିଥିବା ଡାନିଶ୍ ଏହି ବିଶ୍ୱବିଦ୍ୟାଳୟର ପୂର୍ବତନ ଛାତ୍ର। ବିଶ୍ୱବିଦ୍ୟାଳୟର କର୍ମଚାରୀ, ସେମାନଙ୍କ ସ୍ତ୍ରୀ ବା ସ୍ବାମୀ ଏବଂ ନାବାଳକ ସନ୍ତାନଙ୍କ ମୃତଦେହକୁ ସ୍ବତନ୍ତ୍ର ଭାବେ ଜାମିଆ କବରସ୍ଥାନରେ ସମାଧି ଦିଆଯାଇଥାଏ। ଜାମିଆ ସହ ଡାନିଶ୍ଙ୍କ ବହୁ ପୁରୁଣା ସମ୍ପର୍କ ରହିଛି। ବାପା ମହମ୍ମଦ ଅଖତର ସିଦ୍ଦିକି ଜାମିଆନଗରରେ ରହୁଥିବାବେଳେ ଜାମିଆ ଶିକ୍ଷା ବିଭାଗରେ ପ୍ରଫେସର ଥିଲେ। ଡାନିଶ୍ ନିଜେ ଜାମିଆ ମିଲିଆ ଇସ୍ଲାମିଆ ବିଶ୍ୱବିଦ୍ୟାଳୟରେ ଅର୍ଥନୀତିରେ ସ୍ନାତକ ଏବଂ ମାସ୍ କମ୍ୟୁନିକେଶନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ। ଶୁକ୍ରବାର କାନ୍ଦାହାରରେ ଆଫଗାନ୍ ସୁରକ୍ଷା ବଳ ଓ ତାଲିବାନ ଆତଙ୍କବାଦୀଙ୍କ ମଧ୍ୟରେ ସଂଘର୍ଷବେଳେ ଡାନିଶ୍ ଆକ୍ରମଣର ଶିକାର ହୋଇଥିଲେ। ଡାନିଶ୍ଙ୍କ ମୃତ୍ୟୁରେ ତାଲିବାନ୍ ନିଜ ଭୂମିକା ନ ଥିବା କହିଛି।