Categories: ଗଞ୍ଜାମ

ପୋତି ହୋଇଛି ଡ୍ରେନ୍‌,ବିପଦସଙ୍କୁଳ ଜନ କଲ୍ୟାଣ କେନ୍ଦ୍ର

ବ୍ରହ୍ମପୁର ଅଫିସ୍‌,୯।୫: ବ୍ରହ୍ମପୁର ମହାନଗର ନିଗମ ଅନ୍ତର୍ଗତ ବିଭିନ୍ନ ୱାର୍ଡରେ ଡ୍ରେନ୍‌ ଗୁଡିକ ପୋତିହୋଇ ରହିଥିବା ନେଇ ଦୀର୍ଘ ଦିନରୁ ଅଭିଯୋଗ ହୋଇଆସୁଛି। ବର୍ଷା ଦିନ ପ୍ରାରମ୍ଭରୁ ୱାର୍ଡଗୁଡିକର ଡ୍ରେନେଜ ସମସ୍ୟା ସମାଧାନ କରିବାକୁ ଦାବି ହେଉଛି।
ବିଏମସି ୩୯ ନଂ ୱାର୍ଡ ଅନ୍ତର୍ଗତ କୁମ୍ଭାରପଲୀଠାରେ ଦୀର୍ଘ ଦିନ ଧରି ଡ୍ରେନ୍‌ ପୋତି ହୋଇ ରହିଥିବା କାରଣରୁ ବର୍ତ୍ତମାନ ସାହି ବାସିନ୍ଦା ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସେମାନଙ୍କ ଅଭିଯୋଗ ଯେ, ଡ୍ରେନ ପୋତି ହୋଇପଡିବାରୁ ନର୍ଦ୍ଦମା ପାଣି ନିଷ୍କାସିତ ହୋଇପାରୁ ନାହିଁ। ଡ୍ରେନ ଉପରେ କଂକ୍ରିଟ ପ୍ଲେଟ ପଡିଥିବା ବେଳେ ଏହାକୁ ଉଠାଇ ସଫେଇ କରାଯାଉ ନ ଥିବା ଅଭିଯୋଗ ହୋଇଛି। ଡ୍ରେନ ନିକଟରେ ଏକ ଷ୍ଟାଣ୍ଡ ପୋଷ୍ଟ ରହିଛି। ତାହା ବି ଭଗ୍ନ ଅବସ୍ଥାରେ ରହିଛି। ଷ୍ଟାଣ୍ଡପୋଷ୍ଟର ପାଇପ ଡ୍ରେନ ମଧ୍ୟରେ ଯାଇଥିବା କାରଣରୁ ଅନେକ ସମୟରେ ନର୍ଦ୍ଦମା ପାଣି ଷ୍ଟାଣ୍ଡ ପୋଷ୍ଟରେ ଆସୁଥିବା ଅଭିଯୋଗ ହୋଇଛି। ବିଏମସି କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଏ ବାବଦରେ ଅବଗତ କରାଯାଇଥିଲେ ସୁଦ୍ଧା କାୈଣସି ପଦକ୍ଷେପ ଗ୍ରହଣ କରାଯାଉ ନ ଥିବା ସ୍ଥାନୀୟ ବାସିନ୍ଦା କହିଛନ୍ତି। ସେହିପରି ସାହି ମଧ୍ୟରେ ବହୁମୁଖୀ ଜନକଲ୍ୟାଣ କେନ୍ଦ୍ର ରହିଛି। ଏହି କେନ୍ଦ୍ରଟି ସର୍ବସାଧାରଣଙ୍କ ବିଭିନ୍ନ କାର୍ଯ୍ୟରେ ବ୍ୟବହୃତ ହେଉଛି। କିନ୍ତୁ କେନ୍ଦ୍ରଟି ଦୀର୍ଘ ଦିନ ଧରି ଜରାଜୀର୍ଣ୍ଣ ଓ ଭଗ୍ନ ଅବସ୍ଥାରେ ପଡି ରହିଛି।
ଥାଉ କି, ୨୦୦୬ ମସିହାରେ ପୂର୍ବତନ ଏମପି ଅନାଦି ସାହୁଙ୍କ ୫୦ ହଜାର ଟଙ୍କା ଅନୁଦାନ ଓ ବ୍ରହ୍ମପୁର ପାୈରପାଳିକା ଅନୁଦାନରୁ ୨୫ ହଜାର ଟଙ୍କା ବ୍ୟୟରେ ଜନ କଲ୍ୟାଣ କେନ୍ଦ୍ର ନିର୍ମିତ ହୋଇଥିଲା। ଉଦଘାଟନ ପରେ ସ୍ଥାନୀୟ ବାସିନ୍ଦା ଏହାକୁ ବିବାହ, ବ୍ରତ ଭଳି ବିଭିନ୍ନ କାର୍ଯ୍ୟ ନିମନ୍ତେ ବ୍ୟବହାର କରୁଥିଲେ। କିନ୍ତୁ ପରେ ଏହାର ଉଚିତ ରକ୍ଷଣାବେକ୍ଷଣ ଅଭାବ କାରଣରୁ ବର୍ତ୍ତମାନ କୋଠାଟି ବିପଦ ସଙ୍କ୍‌ୁଳ ଅବସ୍ଥାରେ ରହିଛି। ଅନ୍ୟପଟେ କୋଠାର ଚର୍ତୁତ୍ଃପାର୍ଶ୍ୱରେ କୁଢ କୁଢ ଅଳିଆ ଆବର୍ଜନା ପଡି ରହିଛି। କୋଠା ପରିସର ପରିଷ୍କାର ପରିଚ୍ଛନତା କ୍ଷେତ୍ରରେ କାୈଣସି ପଦକ୍ଷେପ ଗ୍ରହଣ କରାଯାଉ ନ ଥିବା ଅଭିଯୋଗ ହୋଇଛି। ଏ ନେଇ ଉକ୍ତ ୱାର୍ଡର କର୍ପୋରେଟର ସାବିତ୍ରୀ କର୍ପୋରେଟର ସାବିତ୍ରୀ ନାୟକଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ, ଶିଳ୍ପାଞ୍ଚଳଠାରୁ ସୂର୍ଯ୍ୟ ନଗର ଯାଏଁ ରାସ୍ତା ଓ ଡ୍ରେନେଜ ମରାମତି ପାଇଁ ବିଏମସି ପକ୍ଷରୁ ଟେଣ୍ଡର ହୋଇଛି। ଖୁବ ଶୀଘ୍ର କାର୍ଯ୍ୟ ଆରମ୍ଭ ହେବ ବୋଲି ସେ କହିଛନ୍ତି।