ଛତ୍ରପୁର, ୪।୩(ସନ୍ତୋଷ ପାଢ଼ୀ/(ଦିଲ୍ଲୀପ ସାମଲ)): ଗଞ୍ଜାମ ଜ଼ିଲା ଛତ୍ରପୁର ବ୍ଲକ ଆର୍ଯ୍ୟପଲ୍ଲୀ ନିକଟରେ ଥିବା ମସ୍ଥ୍ୟ ବିଭାଗର ମାଛଧରା ଜେଟିର ସମୁଦ୍ର ମୁହାଣ ପୋତି ହୋଇଯାଇଛି । ଦୀର୍ଘବର୍ଷ ଧରି ଏପରି ସ୍ଥିତି ଲାଗି ରହିଛି । ଏଥିଲାଗି ମତ୍ସ୍ୟଜୀବୀମାନେ ମଧ୍ୟ ସମୁଦ୍ର କୂଳକୁ ମାଛ ଧରି ଡଙ୍ଗାରେ ଆସି ପାରୁନାହାନ୍ତି । ଲହଡାରେ ଡଙ୍ଗା ଭାଙ୍ଗିବା ସହ ମାଛ ନଷ୍ଟ ହେଉଛି। ଏଥିସହ ଏହି ଦୁର୍ଘଟଣାରେ ମତ୍ସ୍ୟଜୀବୀମାନେ ଆହତ ହେଉଥିବା ଅନେକ ସମୟରେ ଦେଖିବାକୁ ମିଳୁଛି। ଏପରିକି ସେମାନଙ୍କ ଜୀବନଜୀବିକା ବିଶେଷ ପ୍ରଭାବିତ ହୋଇଛି।
ଏହାଫଳରେ ବହୁ ମତ୍ସ୍ୟଜୀବୀ ପେଟପାଟଣା ପାଇଁ ଗାଁ ଛାଡି ସୁଦୂର ଗୋଆ, କେରଳ, ବମ୍ବେ, ମାଡ୍ରାସ ଆଦି ସ୍ଥାନକୁ ଯାଇ ସେଠାରେ ଫିସିଂ ହାରବରରେ କାମ କରିବାକୁ ପଡୁଛି। ଏବେ ଯେଉଁ ମାଛଧରା ଜେଟି ଗୋପାଳପୁର ପୋର୍ଟ ପରିସରରେ ଅଛି। ମୁହାଣ ପୋତି ହୋଇଯିବାରୁ ମତ୍ସ୍ୟଜୀବୀଙ୍କୁ ସେମାନଙ୍କ ଡଙ୍ଗାଗୁଡିକୁ ସୁରକ୍ଷିତ ସ୍ଥାନକୁ ଆଣିବାରେ ଅସୁବିଧା ହେଉଛି।
ଗୋପାଳପୁର ପୋର୍ଟକୁ ଏହି ମୁହାଣକୁ ଖନନ କରିବା ପାଇଁ ଦୀର୍ଘ ବର୍ଷ ହେଲା ବିଭିନ୍ନ ସମୟରେ ସରକାର ନିର୍ଦ୍ଦେଶ ଦେଉଥିଲେ ମଧ୍ୟ ଏହା ଖନନ କରାଯାଉନି। ବାରମ୍ବାର ଏନେଇ ପ୍ରତିଶ୍ରୁତି ମିଳୁଛି। ଏଥିସହ ଏଠାରେ ସମୁଦ୍ର କୁଳ ଖାଉଥିବାରୁ ଲୋକେ ବିପଦର ସମ୍ମୁଖୀନ ହେବାରେ ଲାଗିଛନ୍ତି। ସମୁଦ୍ର କୁଳ ଖାଇ ଏହା ଆର୍ଯ୍ୟପଲି ପଂଚାୟତର ବିଭିନ୍ନ ଗାଁ ଆଡ଼କୁ ମାଡି ଆସୁଥିବା ଦେଖିବାକୁ ମିଳିଛି। ଏହାର ନିରାକରଣ ଲାଗି ସମୁଦ୍ରରେ ପଥର ବନ୍ଧେଇର ଜରୁରୀ ହୋଇପଡିଛି। ମାଛଧରା ଜେଟିର ସମୁଦ୍ର ମୁହାଣ ଖନନ କରିବା ଏବଂ ଉପକୂଳ ସୁରକ୍ଷା ପାଇଁ ସମୁଦ୍ରରେ ପଥର ବନ୍ଧେଇ କରିବାକୁ ସାନ ଆର୍ଯ୍ୟପଲିର ଶ୍ରୀ ମୁତ୍ୟାଲୁ ପୋଲ୍ଲାମ୍ମା ଗ୍ରାମ୍ୟ କମିଟି ପକ୍ଷରୁ ଦାବି ହୋଇଛି । ଏହାର ସମାଧାନ ନ ହେଲେ ଗୋପାଳପୁର ପୋର୍ଟ ଫାଟକରେ ତାଲା ପକାଇବା ସହ ରାସ୍ତାରୋକୋ କରାଯିବ ବୋଲି ଖବରଦାତା ସମ୍ମିଳନୀରେ ମଙ୍ଗଳବାର ସୂଚନା ଦିଆଯାଇଛି।