ଅମ୍ବିକାପୁର(ଛତିଶଗଡ଼), ୨୧।୫:ବଜ୍ରପାତରେ ପ୍ରାଣ ହରାଇଥିବା ଜଣେ ୩୭ ବର୍ଷୀୟ ବ୍ୟକ୍ତିଙ୍କୁ ବଞ୍ଚାଇବା ପାଇଁ ତାଙ୍କ ମୃତଦେହକୁ ଗୋବର ଭର୍ତ୍ତି ଖାତରେ ପୋତିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଛତିଶଗଡ଼ର ସୁରଗୁଜା ଜିଲାରେ ଏଭଳି ଅନ୍ଧବିଶ୍ୱାସ ଦେଖିବାକୁ ମିଳିଛି। ମୃତବ୍ୟକ୍ତି ହେଲେ ଲଖନପୁର ମୁଟ୍କି। ସାମୁଦ୍ରିକ ଝଡ଼ ତଉକତାଏ ପ୍ରଭାବରେ ସୁର୍ଗୁଜା ଜିଲାରେ ବର୍ଷା ଲାଗି ରହିଥିବାବେଳେ ବୁଧବାର ସନ୍ଧ୍ୟାରେ ବଜ୍ରପାତ ହୋଇଥିଲା। ବଜ୍ରପାତରେ ଗୁରୁତର ମୁଟ୍କିଙ୍କୁ ହସ୍ପିଟାଲ ନିଆଯାଇଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁନର୍ବାର ବଞ୍ଚତ୍ବା ଆଶାରେ ପରିବାର ସଦସ୍ୟମାନେ ତାଙ୍କ ମୃତଦେହକୁ ଗୋବର ଖାତରେ ପୋତି ଦେଇଥିଲେ। ସେମାନଙ୍କ ବିଶ୍ୱାସ ଯେ, ବଜ୍ରପାତରେ ମୃତ ବ୍ୟକ୍ତିଙ୍କୁ ଗୋବରରେ ସମ୍ପୂର୍ଣ୍ଣ ପୋତିଦେଲେ ସେ ପୁନର୍ଜୀବନ ଲାଭ କରିପାରନ୍ତି।