ବୁର୍କିନା ଫାସୋରେ ୯ ମାସରେ ଦ୍ୱିତୀୟ କ୍ଷମତା ଦଖଲ…

ଓଗାଡୋଗୁ, ୧।୧୦ : ଗତ ୯ ମାସ ମଧ୍ୟରେ ବୁର୍କିନା ଫାସୋରେ ଦ୍ୱିତୀୟ ଥର ପାଇଁ କ୍ଷମତା ଦଖଲ ହୋଇଛି। ସୈନ୍ୟବାହିନୀ ଶୁକ୍ରବାର ବିଳମ୍ବିତ ରାତିରେ ଦେଶର ସରକାରୀ ପ୍ରସାରଣ ସେବାକୁ ନିଜ ନିୟନ୍ତ୍ରଣରେ ନେଇଛି। ସୈନ୍ୟବାହିନୀ ରାଷ୍ଟ୍ରପତି ଲ୍ୟୁଟନାଟ କର୍ନେଲ ପଲ ହେନେରୀ ସାଣ୍ଡାଗୋ ଦାମିବାଙ୍କୁ କ୍ଷମତାରୁ ବେଦଖଲ କରିଛନ୍ତି। ଜଣେ ସାମରିକ ମୁଖପାତ୍ର କହିଛନ୍ତି ଯେ ଇସଲାମୀୟ ଉଗ୍ରବାଦ ସହ ଲଢୁୁଥିବା କ୍ୟାପଟେନ ଇବ୍ରାହିମ ତ୍ରାଓରେ ଦେଶର ନୂତନ ରାଷ୍ଟ୍ରପତି ଭାବେ ଅବସ୍ଥାପିତ ହୋଇଛନ୍ତି।

ଦାମିବା ଏବଂ ତାଙ୍କ ସହଯୋଗୀମାନେ ନଅ ମାସ ପୂର୍ବରୁ ଗଣତାନ୍ତ୍ରିକ ଉପାୟରେ ନିର୍ବାଚିତ ରାଷ୍ଟ୍ରପତିଙ୍କୁ ବହିଷ୍କାର କରିଥିଲେ। ଦେଶକୁ ଅଧିକ ସୁରକ୍ଷିତ କରିବାକୁ ପ୍ରତିଶ୍ରୁତି ଦେଇ ସେ କ୍ଷମତାକୁ ଆସିଥିଲେ। ତେବେ ଦେଶରେ ହିଂସା ଜାରି ରହିଥିଲା। ଗତ କିଛି ମାସ ମଧ୍ୟରେ ତାଙ୍କ ନେତୃତ୍ୱ ବିରୋଧରେ ଅସନ୍ତୋଷର ସ୍ବର ବଢ଼ିବାରେ ଲାଗିଥିଲା।

ଦେଶର ନିରାପତ୍ତା ପରିସ୍ଥିତିକୁ ଦୃଷ୍ଟିରେ ରଖି ସୁରକ୍ଷା ପ୍ରସଙ୍ଗରେ ପରିବର୍ତ୍ତନକୁ ଧ୍ୟାନ ଦେବା ପାଇଁ ଆମେ ବାରମ୍ବାର ଉଦ୍ୟମ କରିଛୁ ବୋଲି ମୁଖପାତ୍ର କ୍ୟାପ୍ଟେନ କିସ୍ବେଦସିଦା ଫାରୁକ ଆଜରିଆ ସୋରଘୋ କହିଛନ୍ତି। ସୈନ୍ୟବାହିନୀ ଅନ୍ତର୍ଜାତୀୟ ସମୁଦାୟକୁ ସ୍ଥିତିରେ ସୁଧାର ଆଣିବା ଲାଗି ଦେଇଥିବା ପ୍ରତିଶ୍ରୁତିକୁ ପୂରଣ କରିବା ଲାଗି କାର୍ଯ୍ୟ କରିବେ ବୋଲି ସେ ସୂଚନା ପ୍ରଦାନ କରିଛନ୍ତି। ଶାନ୍ତିପୂର୍ଣ୍ଣ ଭାବରେ ସେମାନଙ୍କ କାର୍ଯ୍ୟରେ ଧ୍ୟାନ ଦେବାକୁ ସେ ଦେଶବାସୀଙ୍କୁ ନିବେଦନ କରିଛନ୍ତି।

Share