ବର୍ମାର ବୀରା କନ୍ୟା

ମ୍ୟାନ୍‌ମାର (ବର୍ମା)ରେ ଗଣତାନ୍ତ୍ରିକ ଉପାୟରେ ନିର୍ବାଚିତ ସରକାରକୁ ୧ ଫେବୃୟାରୀ ୨୦୨୧ରେ ପ୍ରତ୍ୟାଖ୍ୟାନ କରି ସେନା ଶାସନକୁ ହାତକୁ ନେବା ପରଠାରୁ ସେଠାକାର ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଗଣତାନ୍ତ୍ରିକ ସପକ୍ଷବାଦୀ ନେତାଙ୍କୁ ଗିରଫ କରାଯିବା ସହ ସେନାକୁ ସମାଲୋଚନା କରୁଥିବା ବ୍ୟକ୍ତିଙ୍କୁ ନିର୍ଯାତନା ଦିଆଯାଉଛି ଓ ସ୍ଥଳବିଶେଷରେ ଅନେକଙ୍କୁ ହତ୍ୟା କରାଗଲାଣି। ନିକଟରେ ସେନା ଅଧିକାରୀଙ୍କ ସମ୍ମୁଖରେ ଜଣେ ନନ୍‌ ଆଣ୍ଠୁମାଡ଼ି ଦୁଇ ହାତ ପ୍ରସାରିତ କରି ଶିଶୁମାନଙ୍କୁ ନିର୍ଯାତନା କିମ୍ବା ହତ୍ୟା ନ କରିବାକୁ ନିବେଦନ କରିଥିଲେ। ଏପରି କି ସେନା ତାଙ୍କ ଜୀବନ ନେଇଯାଉ ପଛେ ଏଭଳି ହିଂସା ବନ୍ଦ କରାଯାଉ ବୋଲି କହୁଥିବା ଭିଡିଓ ବିଶ୍ୱବ୍ୟାପୀ ଭାଇରାଲ ହୋଇଥିଲା। ଏହା ସତ୍ତ୍ୱେ ସେନା ଲୋକଙ୍କୁ ନିର୍ଯାତନା ଦେଇଚାଲିଛି। ଏଭଳି ସମୟରେ ଯେଉଁମାନେ ଦେଶ ପାଇଁ ଲଢ଼େଇ କରୁଛନ୍ତି, ସେମାନଙ୍କୁ ଅନ୍ତର୍ଜାତୀୟ ସ୍ତରରେ ସମର୍ଥନ ଓ ସ୍ବୀକୃତି ମିଳୁଛି। ଏବେ ଯୁବପିଢ଼ିଙ୍କ ମଧ୍ୟରେ ଫିଓ ଫିଓ ଅଙ୍ଗ୍‌ଙ୍କ ନାମ ଆଗରେ ରହିଛି। ମାନବ ଅଧିକାର କର୍ମୀ ଫିଓଙ୍କ ସଂଗ୍ରାମୀ ଜୀବନ ଆମେରିକା ପରରାଷ୍ଟ୍ର ବିଭାଗର ଦୃଷ୍ଟି ଆକର୍ଷଣ କରିବାରୁ ସେ ୨୦୨୧ ମସିହା ପାଇଁ ଅନ୍ତର୍ଜାତୀୟ ସହସିନୀ ମହିଳା ପୁରସ୍କାର ପାଇଛନ୍ତି। ଉଲ୍ଲେଖଯୋଗ୍ୟ, ୨୦୦୭ରେ ଅନ୍ତର୍ଜାତୀୟ ମହିଳା ଦିବସରେ ଏହି ସମ୍ମାନ ତତ୍କାଳୀନ ପରରାଷ୍ଟ୍ର ସଚିବ କଣ୍ଡୋଲିଜା ରାଇସ୍‌ଙ୍କ ଦ୍ୱାରା ପ୍ରତିଷ୍ଠା କରାଯାଇଥିଲା। ନିଃସ୍ବାର୍ଥପର ଭାବେ ସାହସ ଦେଖାଇ ଅନ୍ୟମାନଙ୍କ ପାଇଁ ବିଶେଷକରି ମହିଳାଙ୍କ ଅଧିକାର ସକାଶେ ଜୀବନକୁ ଉତ୍ସର୍ଗ କରୁଥିବା ମହିଳାଙ୍କ ନେତୃତ୍ୱକୁ ଏହି ସମ୍ମାନ ଦିଆଯାଇଆସୁଛି।
ଫିଓ ୨୫ ଅଗଷ୍ଟ ୧୯୮୮ରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କ ପିତା ନି ଉଇନ୍‌ ମଧ୍ୟ ଜଣେ ମାନବ ଅଧିକାରୀ କର୍ମୀ। ସେନା ଶାସନକୁ ବିରୋଧ କରିଥିବାରୁ ୧୯୮୯ରେ ଉଇନ୍‌ଙ୍କୁ ଦୀର୍ଘ ୨୦ ବର୍ଷ ଜେଲଦଣ୍ଡ ଭୋଗିବାକୁ ପଡ଼ିଥିଲା। ସେଭଳି ଏକ ପରିବାରରୁ ଆସିଥିବାରୁ ଫିଓ ଅନ୍ୟାୟ ଓ ଅତ୍ୟାଚାର ବିରୋଧରେ ସ୍ବର ଉତ୍ତୋଳନ କରିଚାଲିଛନ୍ତି। ୨୦୦୭ରେ ଗୈରିକ ବିପ୍ଳବରେ ସେ ନିଜକୁ ସାମିଲ କରିବା ପରେ ତାଙ୍କ ନାମ ବେଶ୍‌ ଚର୍ଚ୍ଚାକୁ ଆସିଥିଲା। ୨୦୦୮ରେ ଯେତେବେଳେ ଡେଲ୍‌ଟା ଅଞ୍ଚଳରେ ବାତ୍ୟା ଘଟି ବହୁ ଲୋକଙ୍କ ଜୀବନ ଯାଇଥିଲା, ସେତେବେଳେ ସେ ପିତାଙ୍କ ସହ ମିଶି ଉଦ୍ଧାର କାର୍ଯ୍ୟରେ ଲାଗି ପଡ଼ିଥିଲେ। ପରେ ପିତାଙ୍କ ସହ ୟାଙ୍ଗୁନ୍‌ ଫେରୁଥିବା ବେଳେ ସେନା ଦ୍ୱାରା ଗିରଫ ହୋଇଥିଲେ। ସେହି ସମୟରେ ଫିଓ ସିଭିଲ୍‌ ଇଞ୍ଜିନିୟରିଂ ପଢ଼ୁଥିଲେ। ୨୦୧୧ ଅକ୍ଟୋବରରେ ମାଓଲାମିଇଙ୍ଗ ଜେଲରୁ ସେ ମୁକ୍ତ ହୋଇଥିଲେ। ସେହି ସମୟରୁ ତାଙ୍କ ସଂଘର୍ଷମୟ ଜୀବନ ଅନ୍ତର୍ଜାତୀୟ ସ୍ତରରେ ଦୃଷ୍ଟି ଆକର୍ଷଣ କରିଥିଲା। ଫଳରେ ତାଙ୍କୁ ଅଲ୍‌ ବର୍ମା ଫେଡେରେଶନ ଅଫ୍‌ ଷ୍ଟୁଡେଣ୍ଟ ୟୁନିୟନସ୍‌ (ଏବିଏଫ୍‌ଏସ୍‌ୟୁ)ର ସାଧାରଣ ସମ୍ପାଦକ କରାଯାଇଥିଲା। ୨୭ ବର୍ଷ ବୟସରେ ଡେମୋକ୍ରାଟିକ୍‌ ଏଜୁକେଶନ ମୁଭ୍‌ମେଣ୍ଟ ଲିଡରିଂ କମିଟିର ସଦସ୍ୟ ହେବା ମଧ୍ୟ ଥିଲା ତାଙ୍କ ପାଇଁ ଏକ ବଡ଼ ଉପଲ୍‌ଧି। ୨୦୧୪-୧୫ରେ ହୋଇଥିବା ଶିକ୍ଷା ସଂସ୍କାର ଅଭିଯାନର ସେ ମଧ୍ୟ ପ୍ରମୁଖ ନେତ୍ରୀ ପାଲଟି ଯାଇଥିଲେ। ସେତେବେଳେ ନୂତନ ଜାତୀୟ ଶିକ୍ଷା ବିଲ୍‌କୁ ଦେଶବ୍ୟାପୀ ବିରୋଧ କରାଯାଇଥିଲା। ଏଥିପାଇଁ ମାଣ୍ଡଲୟଠାରୁ ୟାଙ୍ଗୁନ ପର୍ଯ୍ୟନ୍ତ ହୋଇଥିବା ଯାତ୍ରାରେ ସେ ଅନ୍ୟତମ ଛାତ୍ର ନେତା ଭାବେ ନେତୃତ୍ୱ ନେଇଥିଲେ। ସେହି ସମୟରେ ଏହି ଯାତ୍ରାକୁ ଦବାଇ ଦେବା ଲାଗି ସରକାରଙ୍କ ପକ୍ଷରୁ ଉଦ୍ୟମ କରାଯାଇଥିଲା। ପରବର୍ତ୍ତୀ ସମୟରେ ସରକାରଙ୍କ ସହ ଶିକ୍ଷା ବିଲ୍‌କୁ ନେଇ ହୋଇଥିବା ବୈଠକରେ ଦେଶର ବିଭିନ୍ନ ବର୍ଗର ବ୍ୟକ୍ତିଙ୍କ ସହ ତାଙ୍କୁ ମଧ୍ୟ ଡକାଯାଇଥିଲା। ହେଲେ ତାଙ୍କୁ ଗିରଫ ହେବାକୁ ପଡ଼ିଥିଲା।
ସେନା ଶାସନଠାରୁ ଆରମ୍ଭ କରି ଗଣତାନ୍ତ୍ରିକ ସରକାର ଯାଏ ଯେଉଁଠାରେ ବ୍ୟବସ୍ଥାରେ ତ୍ରୁଟି ଦେଖିଛନ୍ତି, ସେହି ସମୟରେ ଫିଓ ନ୍ୟାୟ ପ୍ରତିଷ୍ଠା ପାଇଁ ନେତୃତ୍ୱ ନେଇଛନ୍ତି। ସେଥିପାଇଁ ୨୦୧୫ରେ ତାଙ୍କୁ ସିଟିଜେନ୍‌ ଅଫ୍‌ ବର୍ମା ସମ୍ମାନରେ ସମ୍ମାନିତ କରାଯାଇଛି। ମାନବ ଅଧିକାର କର୍ମୀ ଭାବେ ଆମ୍‌ନେଷ୍ଟି ଇଣ୍ଟରନ୍ୟାଶନାଲ ତାଙ୍କୁ ‘ବିବେକର ବନ୍ଦୀ’ ଭାବେ ଘୋଷଣା କରିଛି। ଯୁବାବସ୍ଥାରୁ ଜନକଲ୍ୟାଣ ପାଇଁ ନିଜକୁ ଉତ୍ସର୍ଗ କରିଥିବାରୁ ଫିଓଙ୍କୁ ଆମେରିକାର ତତ୍କାଳୀନ ରାଷ୍ଟ୍ରପତି ଜର୍ଜ. ଡବ୍ଲ୍ୟୁ ବୁଶ୍‌ ଉଚ୍ଚ ପ୍ରଶଂସା କରିଥିଲେ। ଏବର ବାଇଡେନ୍‌ ପ୍ରଶାସନ ତାଙ୍କ କାର୍ଯ୍ୟ ଓ ନେତୃତ୍ୱର ଗୁଣଗାନ କରି ଦେଇଥିବା ସମ୍ମାନ ଫିଓଙ୍କୁ ଯୁବପିଢ଼ିଙ୍କ ପାଇଁ ଆଦର୍ଶ ସ୍ଥାନକୁ ନେଇଯାଇଛି।
-ଜିତେନ୍ଦ୍ର କୁମାର ନାୟକ