ଫଡି ଘରେ ନିଆଁ ଲଗାଇ ଦେଲେ ଦୁର୍ବୃତ୍ତ

ଅମରପାଲି,୨୧ା୫(ଡି.ଏନ.ଏ.): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ବହଳପଦର କେନ୍ଦୁପତ୍ର ରେଞ୍ଜ ଅଧୀନ ବଡବର୍ଡାକଟା କେନ୍ଦୁପତ୍ର ଫଡି ଘରେ ଦୁର୍ବୁତ୍ତମାନେ ନିଆଁ ଲଗାଇ ଦେଇଛନ୍ତି। ଫଳରେ ଉକ୍ତ କେନ୍ଦୁପତ୍ର ଫଡିରେ ଥିବା ଲକ୍ଷାଧିକ ଟଙ୍କାର କେନ୍ଦୁପତ୍ର ଜଳି ପୋଡି ନଷ୍ଟ ହୋଇଯାଇଛି। ରବିବାର ରାତି ପ୍ରାୟ ସାଢେ ୧୦ଟା ସମୟରେ କେତେକ ଦୁର୍ବୃତ୍ତ ଉକ୍ତ ଫଡିରେ ନିଆଁ ଲଗାଇ ଦେଇଥିଲେ। ଏବେ ପତ୍ର ତୋଳା ସମୟ ହୋଇଥିବାରୁ କେନ୍ଦୁପତ୍ର ତୋଳାଳିଙ୍କଠାରୁ ଖରଦି ପରେ ଉକ୍ତ ଫଡିଘରେ ରଖାଯାଉଥିଲା। ଫଡିଘରେ ଉକ୍ତ ଫଡିର ମୁନସୀ ମଧ୍ୟ ଜଗୁଥିଲେ। ନିଆଁ ଲାଗିବାରୁ ଗଚ୍ଛିତ ରଖାଯାଇଥିବା କେନ୍ଦୁପତ୍ର ଜଳିଯାଇଛି ା ଏଥିସହିତ ମୁନସୀଙ୍କ ଖଟରେ ନିଆଁ ଲାଗିଯାଇ ସେ ଆହତ ହୋଇଥିବା ସୂଚନା ମିଳିଛି। ଏ ସମ୍ପର୍କରେ ତୁରନ୍ତ ବୀରମହାରାଜପୁର ଦମକଳ ବାହିନୀକୁ ଖବର ଦିଆଯାଇଥିଲା। ଦମକଳ ବାହିନୀ ଯାଇ ନିଆଁକୁ ଆୟତ୍ତ କଲା ବେଳକୁ ସବୁ ପତ୍ର ପୋଡି ଯାଇଥିବା ଜଣାପଡିଛି।