Categories: ଜାତୀୟ

ମଣିପୁରରେ ୨ ବସ୍‌ ଜାଳିଦେଲେ

ଇମ୍ଫାଲ,୨୭।୭: ମଣିପୁରରେ ଜାତିଆଣ ହିଂସା ଥମିବାର ନାଁ ନେଉନାହିଁ। କାଙ୍ଗପୋକ୍‌ପି ଜିଲାରେ ସୁରକ୍ଷାକର୍ମୀଙ୍କ ଯାତାୟାତରେ ବ୍ୟବହାର ହେଉଥିବା ଦୁଇଟି ବସ୍‌କୁ ଉତ୍ତ୍ୟକ୍ତ ଲୋକେ ଜାଳ ଦେଇଛନ୍ତି। ମଙ୍ଗଳବାର ସନ୍ଧ୍ୟାରେ ବସ୍‌ଗୁଡ଼ିକ ଦିମାପୁରରୁ ସପୋରମେଇନା ଆସୁଥିବାବେଳେ କେତେଜଣ ଲୋକ ଗାଡ଼ିକୁ ଅଟକାଇଥିଲେ। ସେମାନେ ବସ୍‌ ଭିତରେ ଯାଞ୍ଚ କରୁଥିବାବେଳେ ଆଉ କେତେଜଣ ନିଆଁ ଲଗାଇ ଦେଇଥିଲେ। ମେଇତି ଓ କୁକି-ଜି ସମ୍ପ୍ରଦାୟ ମଧ୍ୟରେ ଲାଗି ରହିଥିବା ବିବାଦକୁ ନେଇ ରାଜ୍ୟବ୍ୟାପୀ ଦେଖାଯାଇଥିବା ହିଂସାରେ ମୋଟ ୧୬୦ ଜଣଙ୍କ ମୃତ୍ୟୁ ଘଟିଛି।
ଅନ୍ୟପକ୍ଷେ ଦୁଇ ମହିଳାଙ୍କୁ ଉଲଗ୍ନ ପରେଡ୍‌ କରାଯିବା ନେଇ ଭାଇରାଲ ଭିଡିଓ ଅତ୍ୟନ୍ତ ଭୟଙ୍କର ବୋଲି ଆମେରିକା ପକ୍ଷରୁ କୁହାଯାଇଛି। ତେବେ ମେ ୪ରେ ଦୁଇ ମହିଳାଙ୍କୁ ନ୍ୟାୟ ଦେବା ଲାଗି ସରକାରଙ୍କ ପ୍ରୟାସକୁ ବାଇଡେନ୍‌ ସରକାର ପ୍ରଶଂସା କରିଛନ୍ତି। ସୋସିଆଲ ମିଡିଆରେ ବହୁଳ ପ୍ରସାରିତ ଭିଡିଓକୁ ନେଇ ବିରୋଧୀ ଓ କେନ୍ଦ୍ର ସରକାର ମୁହାଁମୁହିଁ ହୋଇଥିବାବେଳେ ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ ଚାଲିଛି।

Share