୩୮ ପିଲାଙ୍କୁ ଜାଳିଦେଲେ

କାମ୍ପାଲା,୧୮।୬: ଆଇଏସ୍‌ ସଂଗଠନ ସହ ଜଡ଼ିତ ଆତଙ୍କବାଦୀମାନେ ଉଗାଣ୍ଡାର କାସେସେସ୍ଥିତ ଏକ ଘରୋଇ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କୁ ଜିଅନ୍ତା ଜାଳି ହତ୍ୟା କରିଛନ୍ତି। ଏଥିରେ ୪୧ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ସେମାନଙ୍କ ମଧ୍ୟରେ ୩୮ ଜଣ ଛାତ୍ରଛାତ୍ରୀ ଥିବା ଉଗାଣ୍ଡା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। କଙ୍ଗୋ ସୀମାଠାରୁ ୨ କି.ମି. ଦୂରରେ ଏହି ସ୍କୁଲ ଅବସ୍ଥିତ। ଶୁକ୍ରବାର ରାତିରେ ଆତଙ୍କବାଦୀମାନେ ସ୍କୁଲ ଉପରେ ଆକ୍ରମଣ କରିଥିବାବେଳେ ୬ ଜଣଙ୍କୁ ଅପହରଣ କରିନେଇଛନ୍ତି। ଆଲିଡ୍‌ ଡେମୋକ୍ରାଟିକ୍‌ ଫୋର୍ସେସ୍‌ (ଆଇଡିଏଫ୍‌) ଆତଙ୍କବାଦୀ ଛାତ୍ରୀଛାତ୍ରଙ୍କ ବ୍ୟତୀତ ସ୍କୁଲ ଗାର୍ଡ ଓ ୨ ଜଣ ସ୍ଥାନୀୟ ଲୋକଙ୍କୁ ମଧ୍ୟ ହତ୍ୟା କରିଛନ୍ତି।
ଛାତ୍ରଙ୍କ ହଷ୍ଟେଲରେ ତାଲା ପକାଇ ନିଆଁ ଲଗାଇଥିବାବେଳେ ଛାତ୍ରୀଙ୍କ ହଷ୍ଟେଳରେ ତାଲା ଦେଇ ନ ଥିଲେ। ପ୍ରାଣ ରକ୍ଷା ପାଇଁ ହଷ୍ଟେଲରୁ ବାହାରକୁ ଦୌଡ଼ି ପଳାଉଥିବା ଛାତ୍ରୀଙ୍କୁ ଆତଙ୍କବାଦୀମାନେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ହତ୍ୟା କରିଛନ୍ତି। ଜଳିଯାଇଥିବା ଛାତ୍ରୀଛାତ୍ରଙ୍କ ପରିଚୟ ମିଳିନାହିଁ। ଶୁକ୍ରବାର ରାତି ପ୍ରାୟ ୧୧ଟା ୩୦ମିନିଟ୍‌ରେ ୫ ଜଣ ବିଦ୍ରୋହୀ ସେନା ସ୍କୁଲ ଉପରେ ଆକ୍ରମଣ କରିଥିବା ଉଗାଣ୍ଡା ମିଲିଟାରି ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷେ ବିଦ୍ରୋହୀ ସେନା ସ୍କୁଲର ଖାଦ୍ୟ ସଂରକ୍ଷଣ କକ୍ଷରୁ ସାମଗ୍ରୀ ସବୁ ଲୁଟି ନେଇଛନ୍ତି।
ସମ୍ପର୍କରେ ନିକଟସ୍ଥ ବ୍ରିଗେଡ୍‌ ସୂଚନା ପାଇ ସେଠାରେ ପହଞ୍ଚତ୍ଥିଲେ। ୮ ଗୁରୁତର ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅପହୃତ ଛାତ୍ରୀଛାତ୍ରଙ୍କ ଉଦ୍ଧାର ପାଇଁ ଉଗାଣ୍ଡା ସେନା ପକ୍ଷରୁ ଉଦ୍ୟମ ଆରମ୍ଭ କରାଯାଇଛି। ଡେମୋକ୍ରାଟିକ୍‌ ରିପବ୍ଲିକ୍‌ କୋଙ୍ଗୋର ପୂର୍ବାଞ୍ଚଳରେ ଏଡିଏଫ୍‌ ବିଦ୍ରୋହୀ ସେନା ସବୁଠୁ ଘାତକ ଆତଙ୍କବାଦୀ ସଙ୍ଗଠନ। ସୋମାଲିଆ ଅଲ-ଶାବାବ ସଙ୍ଗଠନ ପକ୍ଷରୁ ୨୦୧୦ରେ ଉଗାଣ୍ଡାର କାମ୍ପାଲାରେ ହୋଇଥିବା ୨ଟି ପ୍ରାଣଘାତୀ ବିସ୍ଫୋରଣରେ ୭୬ ଜଣଙ୍କ ପ୍ରାଣହାନି ଘଟିଥିଲା। ଏହାପରେ ଶୁକ୍ରବାର ବିଳମ୍ବିତ ରାତିର ଆକ୍ରମଣ ଉଗାଣ୍ଡାରେ ଦ୍ୱିତୀୟ ବଡ଼ କାଣ୍ଡ ବୋଲି ସେନା କହିଛି।

Share