ଗୋରୁ ଚମଡ଼ା ବୋଝେଇ ମିନିଟ୍ରକକୁ ପୋଡ଼ି ଦେଲେ

କଳିଙ୍ଗନଗର,୧୮।୭(ଶୁଭାଶିଷ ରାଉତ): ସୋମବାର ରାତିରେ କୋରେଇ ଥାନା ଅଞ୍ଚଳରୁ ଆସୁଥିବା ଏକ ୪୦୭ ମିନିଟ୍ରକରେ ଗୋଚମଡ଼ା ଓ ହାଡ଼ କଲିକତା ଅଭିମୁଖେ ଯାଉଥିଲା । ଲୋକେ ଏ ସଂକ୍ରାନ୍ତରେ ଖବର ପାଇବା ପରେ ସେହି ଗାଡ଼ିରେ ନିଆଁ ଲଗାଇ ଦେଇଥିଲେ । ଖବର ପାଇ ପାଣିକୋଇଲି ପୋଲିସ ପହଞ୍ଚି ଚାଳକ ସମେତ ମୋଟ ୪ଜଣଙ୍କୁ ଅଟକ ରଖିଛ। ଏହି ଖବର ଲେଖାହେବା ବେଳକୁ ଉକ୍ତ ଗାଡ଼ିଟି ଜଳୁଥିବା ଦେଖିବାକୁ ମିଳିଛି।

ସୂଚନା ଅନୁଯାୟୀ, ଗତ ୨ଦିନ ତଳେ ଯାଜପୁରରୋଡ଼ରେ ଏକ ଗୋରୁ ଚମଡ଼ା ଗାଡ଼ି ଧରାପଡିଥିଲା । ସେହି ଘଟଣା ମନରୁ ନ ଲିଭୁଣୁ ସୋମବାର କୋରେଇରୁ ଏକ ମିନିଟ୍ରକ( ନଂ.ଓବ୍ଲ୍ୟୁ ବି ୧୧ଡି୪୮୩୮)ରେ ଗୋରୁ ଚମଡ଼ା ଓ ହାଡ଼ କଲିକତା ଅଭିମୁଖ୍ୟ ଯାଉଥିଲା । ଉକ୍ତ ଗାଡ଼ିଟି କୋରେଇ-ପାଣିକୋଇଲି ରାସ୍ତାରେ ଆସୁଥିବା ସମୟରେ ପଥରପଦା ପଞ୍ଚାୟତ ଓଛିନ୍ଦ ଛକ ହମ୍ପସ୍‌ ନିକଟରେ ଗାଡ଼ିରୁ ଦୁର୍ଗନ୍ଧ ବାହାରିବାରୁ ସେଠାରେ ଥିବା ଯୁବକମାନେ ଗାଡ଼ିଟିକୁ ଅଟକାଇଥିଲେ। ଗାଡ଼ିରେ ଥିବା ପଶ୍ଚିମବଙ୍ଗ ଉଲବେରିଆ ଅଞ୍ଚଳର ରାଜେଶ ସାହା(୧୬), ହାସିତୁମ(୨୭), ଜୟ ଲାଲ ସାହା(୪୦)ଓ ବାବା ଆଲମ(୩୫)ଙ୍କୁ ଲୋକମାନେ ଗାଡ଼ିରୁ ଓହ୍ଲାଇ ଅଟକ ରଖିବା ସହ ପୋଲିସକୁ ଖବର ଦେଇଥିଲେ । ପାଣିକୋଇଲି ପୋଲିସ ସେମାନଙ୍କୁ ଥାନା ଗାଡ଼ିରେ ବସାଇଥିଲା ା ଏହି ଖବର ଜଣାପଡିବା ପରେ ବହୁ ଲୋକ ସେଠାରେ ରୁଣ୍ଡ ହୋଇଥିଲେ । ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା। ଏହାର ସୁଯୋଗ ନେଇ କେହି ଉକ୍ତ ଚମଡ଼ା ବୋଝେଇ ମିନିଟ୍ରକରେ ନିଆଁ ଲଗାଇଦେଇଥିଲେ । ଫଳରେ ଗାଡ଼ିଟି ହୁତୁହୁତୁ ହୋଇ ଜଳିବାକୁ ଲାଗିଥିଲା। ଏ ସଂକ୍ରାନ୍ତରେ ଦମକଳ କେନ୍ଦ୍ରକୁ ଖବର ଦିଆଯାଇଥିଲା ।