Categories: ଖେଳ

ବର୍ନିଲଙ୍କୁ ୧୫ ବର୍ଷରୁ କମ୍‌ରେ ସ୍ବର୍ଣ୍ଣ

ନୂଆଦିଲ୍ଲୀ, ୨୩ା୧୦ (ପି.ଟି.): ଯୁବ ବ୍ୟାଡ୍‌ମିଣ୍ଟନ ଖେଳାଳି ବର୍ନିଲ ଆକାଶ ଚାଙ୍ଗମାଇ ଏଠାରେ ଚାଲିଥିବା ବ୍ୟାଡ୍‌ମିଣ୍ଟନ ଏସିଆ ଜୁନିୟର ଚାମ୍ପିୟନଶିପ୍‌ ୧୫ ବର୍ଷରୁ କମ୍‌ ବାଳକ ସିଙ୍ଗଲ୍ସ ବିଭାଗରେ ସ୍ବର୍ଣ୍ଣ ଜିତିଛନ୍ତି। ୧୩ ବର୍ଷୀୟ ବର୍ନିଲ ଫାଇନାଲରେ ଫାନ୍‌ ହଙ୍ଗ୍‌ ଜୁଆନଙ୍କୁ ୨୧-୧୯, ୨୧-୧୩ରେ ହରାଇ ଦେଇଥିଲେ। ରବିବାର ଖେଳାଯାଇଥିବା ଏହି ମ୍ୟାଚ ମାତ୍ର ୩୪ ମିନିଟରେ ଶେଷ ହୋଇଥିଲା। ୨୦୧୩ରେ ସିରିଲ ବର୍ମାଙ୍କ ପରେ ଆସାମର ବର୍ନିଲ ଭାରତର ଦ୍ୱିତୀୟ ଜୁନିୟର ଖେଳାଳି ଭାବେ ଏହି ମର୍ଯ୍ୟାଦାପୂର୍ଣ୍ଣ ଟୁର୍ନାମେଣ୍ଟରେ ଟପ୍‌ ପୋଡିୟମ ଫିନିଶ କରିଛନ୍ତି। ଭାରତୀୟ ଖେଳାଳି ଟୁର୍ନାମେଣ୍ଟ ସାରା ଭଲ ପ୍ରଦର୍ଶନ କରିଆସୁଛନ୍ତି। ଶନିବାର ସେମିଫାଇନାଲରେ ସେ ନିଜ ଦେଶର ଜାଗଶେର ସିଂ ଖାଙ୍ଗୁରାଙ୍କୁ ହରାଇ ଦେଇଥିଲେ।
ଅନ୍ୟପକ୍ଷରେ ୧୭ ବର୍ଷରୁ କମ୍‌ ବାଳିକା ଫାଇନାଲରେ ଭାରତର ତନ୍‌ଭି ଶର୍ମା ହାରିଯାଇଛନ୍ତି। ଚେଙ୍ଗ୍‌ଡୁ ଓ୍ବେନ୍‌ଜିଆଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ସେ ଥାଇଲାଣ୍ଡର ୟାତାଓ୍ବିମିନ୍‌ କେତକ୍ଲିଙ୍ଗ୍‌ଙ୍କଠାରୁ ୧୭-୨୧, ୨୧-୧୧, ୧୯-୨୧ରେ ପରାଜିତ ହୋଇଥିଲେ। ପରାଜୟ ସତ୍ତ୍ୱେ ଉନ୍ନତି ହୁଦାଙ୍କ ପରେ ତନ୍‌ଭି ଦ୍ୱିତୀୟ ଭାରତୀୟ ବାଳିକା ଭାବେ ୧୭ ବର୍ଷରୁ କମ୍‌ ଟୁର୍ନାମେଣ୍ଟର ଫାଇନାଲରେ ପ୍ରବେଶ କରିଥିଲେ। ଉନ୍ନତି ଗତବର୍ଷ ଥାଇଲାଣ୍ଡରେ ନନ୍ଥାବୁରିଠାରେ ଫାଇନାଲ ଖେଳିଥିଲେ। ମାତ୍ର ସେ ହାରିଯିବାରୁ ରୌପ୍ୟ ଜିତିଥିଲେ। ବର୍ନିଲଙ୍କ ଏହି ପ୍ରଦର୍ଶନ ଭାରତୀୟ ବ୍ୟାଡ୍‌ମିଣ୍ଟନ ପାଇଁ ଜୁନିୟର ସର୍କିଟରେ ଆଉ ଏକ ଉଲ୍ଲେଖନୀୟ ସଫଳତା। ଚଳିତ ମାସ ପ୍ରାରମ୍ଭରେ ଯୁକ୍ତରାଷ୍ଟ୍ର ଆମେରିକାରେ ଅନୁଷ୍ଠିତ ବିଡବ୍ଲ୍ୟୁଏଫ୍‌ ବିଶ୍ୱ ଜୁନିୟର ଚାମ୍ପିୟନଶିପ୍‌ରେ ଆୟୁଷ ଶେଟ୍ଟି ଏକ ବ୍ରୋଞ୍ଜ ପଦକ ହାସଲ କରିଥିଲେ। ନିକଟରେ ହାଙ୍ଗ୍‌ଝୋଠାରେ ଅନୁଷ୍ଠିତ ହୋଇଯାଇଥିବା ଏସିଆନ ଗେମ୍ସରେ ଭାରତର ଟପ୍‌ ବ୍ୟାଡ୍‌ମିଣ୍ଟନ ଖେଳାଳିମାନେ ଉତ୍ତମ ପ୍ରଦର୍ଶନ କରିଛନ୍ତି। ପୁରୁଷ ଡବଲ୍ସ ଯୋଡ଼ି ଚିରାଗ ଶେଟ୍ଟି ଓ ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଐତିହାସିକ ସ୍ବର୍ଣ୍ଣ ସହ ବିଶ୍ୱର ନମ୍ବର ଓ୍ବାନ ଯୋଡ଼ି ହୋଇଯାଇଥିଲେ। ବ୍ୟାଡ୍‌ମିଣ୍ଟନ ଷ୍ଟଲଓ୍ବାର୍ଟ ଏଚ୍‌ଏସ୍‌ ପ୍ରଣୟଙ୍କ ପ୍ରଦର୍ଶନ ମଧ୍ୟ ପ୍ରଭାବୀ ରହିଥିଲା। ସେ ଏହି ମହାଦେଶୀୟ ଇଭେଣ୍ଟରେ ବ୍ରୋଞ୍ଜ ପଦକ ହାସଲ କରିଥିଲେ।

Share