ମହାକାଳପଡ଼ା,୨୪ା୬ (ଡି.ଏନ୍.ଏ.): ସମାଜର ମୁଖ୍ୟ ସ୍ରୋତରେ ଜନଜାତି ସମ୍ପ୍ରଦାୟ ଲୋକମାନଙ୍କୁ ସାମିଲ କରିବାକୁ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ଉପାନ୍ତ ଗ୍ରାମାଞ୍ଚଳରେ ତ୍ରୁଣମୂଳ ସ୍ତରରେ ବସବାସ କରୁଥିବା ଅନୁସୂଚିତ ଜନଜାତି ସମ୍ପ୍ରଦାୟ ପିଲାମାନେ କିପରି ପାଠ ପଢ଼ିପାରିବେ, ସେଥିପାଇଁ ସରକାରଙ୍କ ପକ୍ଷରୁ ସେମାନଙ୍କ ପାଇଁ ଆବାସିକ ବିଦ୍ୟାଳୟଗୁଡ଼ିକ ଖୋଲାଯାଇଛି। ମାଗଣାରେ ଭୋଜନ, ପୋଷାକ, ଷ୍ଟାଇପେଣ୍ଡ, ପାଠ୍ୟପୁସ୍ତକ ଆଦି ଯୋଗାଇ ଦେଉଛନ୍ତି। ବିଦ୍ୟାଳୟଗୁଡ଼ିକରେ ଏହି ପିଲାମାନେ ପାଠ ପଢିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଅଭାବୀ, ଦାରିଦ୍ର୍ୟ ସୀମାରେଖା ତଳେ ବସବାସ କରୁଥିବା ଆଦିବାସୀ ଶବର ସମ୍ପ୍ରଦାୟର ପିଲାମାନେ କିପରି ଶିକ୍ଷାକ୍ଷେତ୍ରରେ ଅଗ୍ରସର ହେବେ ସରକାରଙ୍କ ତହବିଲରୁ ଅର୍ଥ ବ୍ୟୟ ବରାଦ କରାଯାଇଛି। ତୃଣମୂଳ ସ୍ତରରେ ଏହା କେତେ କାର୍ଯ୍ୟକାରୀ ହେଉଛି ତାହାକୁ ନେଇ ଉଠିଛି ପ୍ରଶ୍ନ। ଗରିବୀ ଓ ନିରକ୍ଷରତା ପାଇଁ ବାଧକ ସାଜିଛି ପାଠପଢ଼ା। ଏହାର ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ପେଟଛେଲା ପଞ୍ଚାୟତର ଜଙ୍ଗଲଘେରି ଗଁାର ଶବର ପିଲାଙ୍କ କ୍ଷେତ୍ରରେ।
ପିଲାଟି ଯେଉଁ ବୟସରେ କାନ୍ଧରେ ବହି ବସ୍ତାନି ପକାଇ ବିଦ୍ୟାଳୟକୁ ଯିବା କଥା, ସେତେବେଳେ କାନ୍ଧରେ ବ୍ୟାଗ ପକାଇ କଙ୍କଡା ଧରିବାକୁ ନଦୀକୂଳ ଅବା ଚାଷ ଜମି ହିଡ ମୂଳେ ଗାତ ଭିତରେ ହାତ ପୂରାଇ ଅଣ୍ଡାଳୁଛି। ଅଦୃଶ୍ୟ ଗାତ ଭିତରେ ବିଷଧର ସାପ, ସରୀସୃପ ଅବା କଙ୍କଡ଼ା ଅଛି ତାହା ନ ଜାଣି ପେଟର ଭୋକ ମେଣ୍ଟାଇବାକୁ ଚେଷ୍ଟା କରୁଛି। ଅଗଭୀର ଗାତ ଭିତରେ ହାତ ପୂରାଇ କଙ୍କଡା ଧରୁଥିବା ଦୃଶ୍ୟ ଦେଖିବାକୁ ମିଳିଛି। ଏହି କୁନି କୁନି ପିଲାମାନେ ବିଦ୍ୟାଳୟକୁ ନ ଯାଇ ଏବେ କଙ୍କଡା ଗାତରେ ହାତ ପୂରେଇବାକୁ ନେଇ ଉଠିଛି ବଡ଼ ପ୍ରଶ୍ନ। ଗୋଟେ ପଟେ ସଚେତନତା ଅଭାବ, ଅନ୍ୟପକ୍ଷେ ଦାରିଦ୍ର୍ୟ ତାଡ଼ନା ଏହି ପିଲାମାନଙ୍କୁ ସଜେଇ ଦେଉଛି କଙ୍କଡ଼ାଧରାଳି ଭାବେ। ସକାଳ ହେଲା ମାତ୍ରେ ପିଲାମାନେ କାନ୍ଧରେ ବ୍ୟାଗ ପକାଇ ପାଖ ନଦୀ, ନାଳକୁ ଛୁଟି ଯାଉଛନ୍ତି। ଦିନ ତମାମ ଅକ୍ଳାନ୍ତ ପରିଶ୍ରମ କରି ଯାହା କିଲେ ଦୁଇ କିଲୋ କଙ୍କଡା ମିଳେ, ତାକୁ ପାଖ ବଜାରରେ ବିକ୍ରି କରି ଯାହା ଦି’ ପଇସା ମିଳେ ନିଜ ଖର୍ଚ୍ଚ ପାଇଁ ରଖି ବଳକା ପଇସା ମା’ବାପାଙ୍କୁ ଦେଇଥାନ୍ତି। ଏଭଳି ଅନେକ ପିଲା ବିଦ୍ୟାଳୟକୁ ନ ଯାଇ ମାଛ, କଙ୍କଡା ଧରିବାରେ ନିମଗ୍ନ ରହୁଛନ୍ତି। ଛାତ୍ରୀଛାତ୍ର ଓ ଅଭିଭାବକମାନଙ୍କ ନିରକ୍ଷରତା, ଦାରିଦ୍ର୍ୟ ଏମାନଙ୍କ ପାଇଁ ବିଦ୍ୟାଳୟକୁ ଯିବାରେ ବାଧକ ସାଜିଛି। ଅନ୍ୟପକ୍ଷେ ପିଲାମାନେ ଯେଉଁ ବିଦ୍ୟାଳୟରେ ପାଠ ପଢ଼ୁଛନ୍ତି, ସେଠାକାର ଶିକ୍ଷୟିତ୍ରୀ ଶିକ୍ଷକ ଉପସ୍ଥାନ ଓ ପାଠପଢ଼ାର ଅଗ୍ରଗତି ନିମନ୍ତେ ଅଭିଭାବକମାନଙ୍କୁ ଡାକି ସଚେତନ କରୁନାହାନ୍ତି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।