ବସ୍‌ ସହ କାଠ ବୋଝେଇ ଟ୍ରକ୍‌ର ମୁହାଁମୁହିଁ ଧକ୍କା: ୨୭ ଯାତ୍ରୀ ଆହତ, ଡ୍ରାଇଭର ସଙ୍କଟାପନ୍ନ

ଲକ୍ଷ୍ମୀପୁର,୨ା୧୦: କୋରାପୁଟ ଜିଲା ଲକ୍ଷ୍ମୀପୁର ବ୍ଲକ ଡୁମୁରିପଦର ଛକ ରେଲଓ୍ବେ ଓଭରବ୍ରିଜ୍‌ ନିକଟ ୩୨୬ ନଂ ଜାତୀୟ ରାଜପଥରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ବୁଧବାର ଏମ୍‌ଏସ୍‌ବି ବସ୍‌ ସହ ଏକ କାଠ ବୋଝେଇ ଟ୍ରକ୍‌ର ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ୨୭ ଜଣ ଯାତ୍ରୀ ଆହତ ହୋଇଥିବାବେଳେ ଡ୍ରାଇଭରଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଆହତ ଯାତ୍ରୀମାନଙ୍କୁ ଲକ୍ଷ୍ମୀବସ୍‌ ଯୋଗେ ଲକ୍ଷ୍ମୀପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରି ତାଙ୍କ ଅବସ୍ଥା ଗୁରୁତର ଥିବାରୁ କୋରାପୁଟ ଏସ୍‌ଏଲ୍‌ଏନ୍‌ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି। ଉଭୟ ଡ୍ରାଇଭର ଗାଡ଼ି ଭିତରେ ଚାପି ହୋଇ ରହିଥିବା ବେଳେ ଅଗ୍ନିଶମ ବାହିନୀଙ୍କ ସହାୟତାରେ କରାଯାଇଥିଲା। ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥବାରୁ ଆମ୍ବୁଲାନ୍ସ ଯୋଗେ ତାଙ୍କୁ କୋରାପୁଟ ଏସ୍‌ଏଲ୍‌ଏନ ମେଡିକାଲ କଲେଜକୁ ନିଆଯାଇଥିଲା।
ସୂଚନାନୁଯାୟୀ,ଏମ୍‌ଏସ୍‌ବି ବସ୍‌ ରାୟଗଡ଼ାରୁ ଜୟପୁରକୁ ଯାତ୍ରୀ ନେଇଯାଉଥିବା ସମୟରେ ବିପରୀତ ଦିଗରୁ ଟ୍ରକ୍‌ଟି ରାୟଗଡ଼ା ଜେକେ ପେପର୍‌ ମିଲକୁ କାଠ ବୋଝେଇ ଯାଉଥିଲା। ବସ୍‌ଟି ଦ୍ରୁତଗତିରେ ଆସି ଟ୍ରକ୍‌ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଲକ୍ଷ୍ମୀପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।