ଉଦଳା,୨୧।୨(ସନ୍ତୋଷ କୁମାର ବାଛିନି): ମୟୂରଭଞ୍ଜ ଜିଲା ଶରତ ଥାନା ହଦଗୁଠ ଛକ ନିକଟରେ ଶୁକ୍ରବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବସ୍-ବୋଲେରୋ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇ ୬ଜଣ ଗୁରୁତର ହୋଇଛନ୍ତି। ଗୁରୁତରମାନଙ୍କୁ ଶରତ ଏବଂ ଉଦଳା ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ମିଳିଥିବା ସୂଚନା ମୁତାବକ, ଏକ ଘରୋଇ ଯାତ୍ରୀବାହୀ ବସ୍ ଭୁବନେଶ୍ୱରରୁ ଶରତ ଅଭିମୁଖେ ଯାଉଥିଲା। ହେଲେ ହଦଗୁଠ ଛକ ନିକଟରେ ବିପରିତ ଦିଗରୁ ଆସୁଥିବା ଏକ ବୋଲେରୋ ଗାଡ଼ି ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ବୋଲେରୋ ଗାଡିରେ ଥିବା ୫ଜଣଙ୍କ ସହ ବସ୍ ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି।
ଦୁର୍ଘଟଣା ଏତେ ଜୋରଥିଲା ଯେ, ବୋଲେରୋ ଗାଡିର ସମ୍ମୁଖ ଭାଗ ଭାଙ୍ଗି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ସ୍ଥାନୀୟ ଲୋକେ ଗୁରୁତରଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଶରତ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେମାନଙ୍କ ମଧ୍ୟରୁ ୩ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଉଦଳା ମେଡିକାଲରେ ଭର୍ତ୍ତି କରାଯାଇଛି। ପୋଲିସ ଦୁର୍ଘଟଣାଗ୍ରସ୍ତ ଗାଡ଼ି ଦ୍ୱୟକୁ ଜବତ କରି ଘଟଣାରେ ତଦନ୍ତ ଆରମ୍ଭ କରିଛି।