Categories: ଜାତୀୟ

ଠେଲି ଠେଲି ନେଉଛନ୍ତି ଟିକା ଭର୍ତ୍ତି ଗାଡ଼ି

ପାଟନା, ୯ା୪- ଦେଶରେ ହୁ ହୁ ହୋଇ ବଢ଼ୁଛି କରୋନା ଆକ୍ରନ୍ତଙ୍କ ସଂଖ୍ୟା ଓ ଟିକା ଅଭାବ ନେଇ କେନ୍ଦ୍ର ଏବଂ ବିଭିନ୍ନ ରାଜ୍ୟ ସରକାର ଏବେ ମୁହଁାମୁହିଁ ସ୍ଥିତିରେ। ଏଭଳି ପରିସ୍ଥିତିରେ ସାମ୍ନାକୁ ଆସିଛି ଏକ ଲଜ୍ଜାଜନକ ଦୃଶ୍ୟ। ବିହାର ରାଜଧାନୀ ପାଟନା ବିମାନ ବନ୍ଦରରୁ ଶୁକ୍ରବାର ନାଳନ୍ଦା ମେଡିକାଲ କଲେଜ ହସ୍ପିଟାଲ (ଏନ୍‌ଏମ୍‌ସିଏଚ୍‌) ସ୍ଥିତ କେନ୍ଦ୍ରକୁ ପ୍ରାୟ ୯ ଲକ୍ଷ କୋଭିସିଲ୍ଡ ଟିକା ନେଇ ଯାଇଥିବା ଗାଡ଼ିରେ ଦେଖା ଦେଇଥିଲା ଯାନ୍ତ୍ରିକ ତୃଟି। ବ୍ୟାଟେରି ଡାଉନ ହୋଇଯିବାରୁ ଷ୍ଟାର୍ଟ ହୋଇ ନ ଥିଲା ‘ଭାକ୍ସିନ ଏକ୍ସପ୍ରେସ’ ନାମକ ଏହି ସ୍ବତନ୍ତ୍ର ଗାଡ଼ି। ବାଧ୍ୟ ହୋଇ ସ୍ବାସ୍ଥ୍ୟ ବିଭାଗ କର୍ମଚାରୀମାନେ ଗାଡ଼ିକୁ ଠେଲି ଠେଲି ନେଇଥିଲେ। ଏହି ଘଟଣାର ଫଟୋ ଏବେ ଘୁରି ବୁଲିଛି ସୋସିଆଲ ମିଡିଆରେ। ତେବେ ସ୍ବାସ୍ଥ୍ୟ ବିଭାଗର କର୍ମଚାରୀମାନେ କିଛି ବାଟ ଠେଲିବା ପରେ ଗାଡ଼ିଟି ଷ୍ଟାର୍ଟ ହୋଇଯାଇଥିଲା ଓ ଲକ୍ଷ୍ୟସ୍ଥଳରେ ପହଞ୍ଚିଥିବା ସୂଚନା ମିଳିଛି।

ଏହି ଭ୍ୟାନ ଜରିଆରେ ୮,୯୬,୮୯୦ କୋଭିସିଲ୍ଡ ଟିକା ଏନ୍‌ଏମ୍‌ସିଏଚ୍‌ ଷ୍ଟୋରେଜ ସେଣ୍ଟରକୁ ନିଆଯାଉ ଥିଲା। ଏ ସମ୍ପର୍କରେ ଅଧିକ କହିବା ପାଇଁ ମୁଁ ଉଚିତ ବ୍ୟକ୍ତି ନୁହେଁ ବୋଲି ଗାଡ଼ିରେ ଅଧିକାରୀଙ୍କ ସହ ଥିବା ଫାର୍ମାସିଷ୍ଟ ମୁକେଶ କୁମାର କହିଛନ୍ତି।

Share