Categories: ଜାତୀୟ

ଅଟୋକୁ ଧକ୍କା ଦେଲା ବସ୍‌: ୧୩ ଜଣଙ୍କ ମୃତ୍ୟୁ

ଗ୍ବାଲିୟର,୨୩।୩: ମଧ୍ୟପ୍ରଦେଶ ଗ୍ବାଲିୟରରେ ମଙ୍ଗଳବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବସ୍‌ ଅଟୋକୁ ଧକ୍କା ଦେବାରୁ ଅଟୋରେ ଥିବା ୧୩ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ଘଟଣାସ୍ଥଳରେ ୧୦ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟମାନଙ୍କର ହସ୍ପିଟାଲରେ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ଅଟୋ ଚାଳକଙ୍କର ମଧ୍ୟ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୧୨ ଜଣ ଅଙ୍ଗନଓ୍ବାଡ଼ି ସେବିକା ରହିଛନ୍ତି ବୋଲି ଏସ୍‌ପି ଅମିତ ସାଙ୍ଘି ସୂଚନା ଦେଇଛନ୍ତି। ସେମାନେ ଅଙ୍ଗନଓ୍ବାଡ଼ି କେନ୍ଦ୍ରରେ ଖାଦ୍ୟ ରାନ୍ଧିବା ପରେ ଘରକୁ ଫେରୁଥିଲେ। ପୁରାନି ଛାଓ୍ବନି ନିକଟରେ ସକାଳ ୭ଟାରେ ଦୁର୍ଘଟଣା ଘଟିଥିଲା। ଏଥିରେ କିଛି ଲୋକ ଆହତ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୁଖ୍ୟନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ ଏଥିରେ ଶୋକ ପ୍ରକାଶ କରିବା ସହିତ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଅନୁକମ୍ପା ମୂଳକ ସହାୟତା ଏବଂ ଆହତଙ୍କ ପରିବାରକୁ ୫୦ ହଜାର ସହାୟତା ଘୋଷଣା କରିଛନ୍ତି।

Share