ରାଜ୍ୟରେ ପୁଣି ବଢିଲା ବସ୍‌ ଭଡ଼ା: କିଲୋମିଟର ପିଛା ନୂଆ ଦର କେତେ ହେଲା ଜାଣନ୍ତୁ…

ଭୁବନେଶ୍ୱର,୧ା୭(ବ୍ୟୁରୋ)-ରାଜ୍ୟରେ ପୁଣି ବସ୍‌ ଭଡ଼ା ବୃଦ୍ଧି ପାଇଛି। ୧୫ ଦିନ ମଧ୍ୟରେ ଦୁଇଥର ବସ୍‌ ଭଡ଼ା ବଢିଲାଣି। ୨୦୨୦ ଜୁନ୍‌ ୧୬ ତାରିଖରେ ରାଜ୍ୟ ସରକାର ଭଡ଼ା ବୃଦ୍ଧି କରିଥିଲେ। ଗତ କିଛିଦିନ ହେବ ଡିଜେଲ ଓ ପେଟ୍ରୋଲ ଦର ୨୨ ଥର ବୃଦ୍ଧି ପାଇଲାଣି। ଜୁନ୍‌ ୧୬ ତାରିଖରେ ଡିଜେଲ ଦର ୭୩.୪୨ଟଙ୍କା ଥିବା ବେଳେ ଜୁଲାଇ ପହିଲାରେ ଏହା ୭୮.୬୭ ଟଙ୍କାରେ ପହଞ୍ଚିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପୁଣି ବସ୍‌ ଭଡ଼ା ବୃଦ୍ଧି କରିଛନ୍ତି। ଏ ନେଇ ରାଜ୍ୟ ପରିବହନ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ସାଧାରଣ ଓ ଏକ୍ସପ୍ରେସ୍‌ ବସ୍‌ ଭଡ଼ା କିଲୋମିଟର ପିଛା ୨ ପଇସା ଲେଖାଏ ବୃଦ୍ଧି ପାଇଥିବା ବେଳେ ଡିଲକ୍ସ ଓ ଏସି ଡିଲକ୍ସ ବସ୍‌ କିଲୋମିଟରକୁ ୪ପଇସା ବୃଦ୍ଧି ପାଇଛି। ଏଥିଯୋଗୁ ସାଧାରଣ ବସ୍‌ ଭଡ଼ା କିଲୋମିଟର ପିଛା ୭୦ ପଇସାରୁ ୭୨ ପଇସାକୁ ବୃଦ୍ଧି ପାଇଥିବା ବେଳେ ଏକ୍ସପ୍ରେସ୍‌ ୭୩ ପଇସାରୁ ୭୫ ପଇସାକୁ ବୃଦ୍ଧି ପାଇଛି। ସେହିପରି ଡିଲକ୍ସ ବସ୍‌ କିଲୋମିଟର ପିଛା ୧ ଟଙ୍କା ୧ ପଇସାରୁ ୧ ଟଙ୍କା ୫ ପଇସାକୁ ବୃଦ୍ଧି ପାଇଥିବା ବେଳେ ଏ/ସି ଡିଲକ୍ସ ବସ୍‌ କିଲୋମିଟର ପିଛା ୧ଟଙ୍କା ୨୩ ପଇସାରୁ ୧ ଟଙ୍କା ୨୭ ପଇସାକୁ ବୃଦ୍ଧି ପାଇଛି।

Share