ଯାଜପୁର,୧୭।୨: ଯାଜପୁର ଜିଲା ପାଣିକୋଇଲି ନିକଟରେ ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। କ୍ଷୀରଚୋରା ନାମକ ଉକ୍ତ ବସ୍ଟି (ଓଡି୦୧ଏଏମ୩୮୫୯ )ପଶ୍ଚିମବଙ୍ଗ ସୀମାନ୍ତ ଖଡିକା ବଜାରରୁ ଜଳେଶ୍ୱର ଓଲମରା ଦେଇ ଭୁବନେଶ୍ୱର ଯାଉଥିବା ବେଳେ ଜାତୀୟ ରାଜପଥର ପାଣିକୋଇଲି ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ବସ୍ ଚାଳକ ଓ କଣ୍ଡକ୍ଟରଙ୍କୁ ମିଶାଇ ୨୫ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି।
ସୂଚନାଯୋଗ୍ୟ, ବସ୍ଟି ଖଡ଼ିକାରୁ ପ୍ରତିଦିନ ସନ୍ଧ୍ୟାରେ ଜଳେଶ୍ୱରର ଓଲମରା, ଗୋପାଳପ୍ରସାଦ, ହାତୀଗଡ, ରାଇବଣିଆ, ମୟୂରଭଞ୍ଜର ରାସଗୋବିନ୍ଦପୁର ଦେଇ ଭୁବନେଶ୍ୱର ଯାଇଥାଏ। ଶୁକ୍ରବାର ମଧ୍ୟ ଏହି ବସ୍ରେ ୩୦ ପାଖାପାଖି ଯାତ୍ରୀ ଯାତ୍ରା କରୁଥିଲେ। ତେବେ ବିଳମ୍ବିତ ରାତିରେ ପାଣିକୋଇଲି ନିକଟରେ ବସ ଆଗରେ ହଠାତ ଗୋଟିଏ ଟ୍ରକ ବ୍ରେକ ମାରିବାରୁ ବସଟି ଟ୍ରକରେ ପିଟି ହୋଇଯାଇଥିଲା। ଫଳରେ ଚାଳକ ଓ କଣ୍ଡକ୍ଟରଙ୍କୁ ମିଶାଇ ୨୫ରୁ ଊଦ୍ଧର୍ବ ଯାତ୍ରୀ ଆହତ ହୋଇଛନ୍ତି।