ବସ୍‌ ତେଲ ଟ୍ୟାଙ୍କର ଧକ୍କା, ୨୦ ଜୀବନ୍ତ ଦଗ୍ଧ…

ଇସଲାମାବାଦ, ୧୬।୮ : ପାକିସ୍ତାନର ପଞ୍ଜାବ ପ୍ରଦେଶରେ ମଙ୍ଗଳବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨୦ ଜଣଙ୍କର ମୃତ୍ୟୁ ଘଟିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଲାହୋରଠାରୁ ପ୍ରାୟ ୩୫୦ କିଲୋମିଟର ଦୂରରେ ଥିବା ମୁଲତାନରେ ଏକ ଯାତ୍ରୀବାହୀ ବସ ଏବଂ ଏକ ତେଲ ଟ୍ୟାଙ୍କର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଧକ୍କା ହେବା ପରେ ବସରେ ନିଆଁ ଲାଗି ଯାଇଥିଲା। ଏହାକୁ ଆୟତ୍ତ କରିବା କଷ୍ଟକର ଥିଲା। ଫଳରେ ବସ୍‌ରେ ଥିବା ୨୦ ଜଣ ଯାତ୍ରୀ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ।

ଗତ ତିନି ଦିନ ମଧ୍ୟରେ ପଞ୍ଜାବ ପ୍ରଦେଶରେ ଏହା ହେଉଛି ଦ୍ୱିତୀୟ ବଡ଼ ଦୁର୍ଘଟଣା। ଖବର ଅନୁଯାୟୀ, ଦୁର୍ଘଟଣାର ସୂଚନା ପାଇବା ପରେ ଜରୁରୀକାଳୀନ ସେବା ରେସକ୍ୟୁ ୧୧୨୨ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ରେସକ୍ୟୁ ୧୧୨୨ମୁଖପାତ୍ର ସୂଚନା ଦେଇଛନ୍ତି ଯେ ବସ ଲାହୋରରୁ କରାଚି ଯାଉଥିଲା। ସେ କହିଛନ୍ତି ଯେ ଦୁର୍ଘଟଣାରେ ଆହତ ହୋଇଇଥିବା ଅନ୍ୟ ଲୋକଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ନିଆଯାଇଛି। ଏଥିସହିତ ଗୁରୁତର ଆହତ ୬ଜଣ ଯାତ୍ରୀଙ୍କୁ ମୁଲତାନର ନିସ୍ତାର ଡାକ୍ତରଖାନାରେ ଚିକିତ୍ସା କରାଯାଉଛି। ତାଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି।

ଖବର ଅନୁଯାୟୀ ମୃତ ବ୍ୟକ୍ତିଙ୍କ ମୃତଦେହ ଏତେ ଜଳିଯାଇଛି ଯେଉଁଥିପାଇଁ ପୋଲିସ ସେମାନଙ୍କୁ ଚିହ୍ନିବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛି। ବର୍ତ୍ତମାନ ପୋଲିସ ଡିଏନଏ ପରୀକ୍ଷା କରିବା ପରେ ମୃତଦେହକୁ ସେମାନଙ୍କ ପରିବାରକୁ ହସ୍ତାନ୍ତର କରିବା କଥା କହୁଛି।

ପଞ୍ଜାବ ପ୍ରଦେଶର ମୁଖ୍ୟମନ୍ତ୍ରୀ ପରଭେଜ ଇଲାହି ଏହି ଦୁର୍ଘଟଣାରେ ଶୋକ ପ୍ରକାଶ କରିଛନ୍ତି। ଦୁର୍ଘଟଣାରେ ଆହତମାନଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇବାକୁ ସେ ସ୍ବାସ୍ଥ୍ୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ପୋଲିସ ବିଭାଗକୁ ମୃତକଙ୍କ ପରିଚୟ ନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସୂଚନାଯୋଗ୍ୟ, ଏହା ପୂର୍ବରୁ ଶନିବାର ମଧ୍ୟ ପଞ୍ଜାବ ପ୍ରଦେଶରେ ଏକ ଭୟଙ୍କର ଦୁର୍ଘଟଣା ଘଟିଥିଲା। ଶନିବାର ଟ୍ରକ-ବସ ଧକ୍କାରେ ୧୩ ଜଣଙ୍କର ମୃତ୍ୟୁ ଘଟିଥିଲା।

Share