କଟକଣା କୋହଳ ସତ୍ତ୍ବେ ବସ୍‌ ବନ୍ଦ

କଟକ ଅଫିସ,୬ା୮: କରୋନା କଟକଣା କୋହଳ ସତ୍ତ୍ୱେ ବସ୍‌ ସେବା ବନ୍ଦ ରହିଛି। ମାର୍ଚ୍ଚରୁ ଘରୋଇ ବସ୍‌ଗୁଡ଼ିକ ବାଦାମବାଡ଼ି-ଲିଙ୍କ୍‌ରୋଡ ମୁଖ୍ୟରାସ୍ତା କଡ଼ରେ ପଡ଼ିରହି ଖତ ଖାଉଛି। ସରକାରୀ ବସ୍‌ ସେବାର ମଧ୍ୟ ସମଦଶା। କଟକରୁ କୌଣସି ବସ୍‌ ଗଡୁ ନ ଥିବାରୁ ଘରୋଇ ବସ୍‌ର ମାଲିକଙ୍କୁ ଏହା ବିପୁଳ କ୍ଷତି ଦେଉଥିବା ମାଲିକମାନେ କହିଛନ୍ତି। ମେ’ରେ କଟକରୁ ଭୁବନେଶ୍ୱରକୁ ବସ୍‌ ଚାଲିବା ପରେ ଓଏସ୍‌ଆର୍‌ଟିସିର ମାତ୍ର ଗୋଟିଏ ବସ୍‌ ଚାଲିଥିତ୍ଲା। ଏହି ବସ୍‌ରେ ମାତ୍ର ୨୦ ଜଣ ଯାତ୍ରା କରୁଥିଲେ ବୋଲି କୁହାଯାଇଥିଲା। ବସ୍‌ଟି ୪୦ ସିଟ୍‌ ବିଶିଷ୍ଟ ହୋଇଥିଲେ ମଧ୍ୟ ସାମାଜିକ ଦୂରତ୍ୱ ପାଇଁ ଏପରି ହୋଇଥିବା ଓଏସ୍‌ଆର୍‌ଟିସି କଟକ ୟୁନିଟ ଇନ୍‌ଚାର୍ଜ ବଳରାମ ମହାନ୍ତି କହିଛନ୍ତି। କିନ୍ତୁ ଜୁଲାଇ ୧୭ରୁ ସରକାରୀ ବସ୍‌ ଗଡ଼ିବା ମଧ୍ୟ ବନ୍ଦ ରହିଛି। ଏବେ ଓଏସ୍‌ଆର୍‌ଟିସିର କୌଣସି ବସ୍‌ ଗଡୁନାହିଁ। ବିଭିନ୍ନ ଜିଲାକୁ ଲୋକେ ଗାଡ଼ି ଭଡ଼ାକରି ଯାଉଛନ୍ତି। ପରବର୍ତ୍ତୀ ଚିଠି ନ ଆସିବା ଯାଏ ମତାମତ ଦେଇହେବ ନାହିଁ ବୋଲି ଓଏସ୍‌ଆର୍‌ଟିସିର ଜଣେ ଅଧିକାରୀ କହିଥିଲେ। ଘରୋଇ ବସ୍‌ ମାଲିକ କପିଳା ବାରିକ କହିଛନ୍ତି, ବସ୍‌ ଏବେ ନଷ୍ଟ ହେବା ଉପରେ। ପଡ଼ିପଡ଼ି ଏହାର ବିଭିନ୍ନ ଯନ୍ତ୍ରାଂଶ ଖରାପ ହେବାକୁ ଲାଗିଲାଣି। କେବେ ଗଡ଼ିବ ତାହା ସ୍ପଷ୍ଟ ହେଉନି। ଏହି ସେବା ପୁଣି ଆରମ୍ଭ ହେବା ବେଳକୁ ଲକ୍ଷ ଲକ୍ଷ ଟଙ୍କା ମରାମତିରେ ଯିବ। ଡ୍ରାଇଭରମାନେ ଗାଁକୁ ଚାଲି ଯାଇଛନ୍ତି। ପ୍ରତି ସପ୍ତାହରେ ସେମାନଙ୍କୁ କିଛି ଖର୍ଚ୍ଚ ଦେବାକୁ ପଡୁଛି। ଗୋଟିଏ ୫୦ ସିଟ୍‌ବିଶିଷ୍ଟ ବସ୍‌ରେ ମାତ୍ର ୨୫ ଜଣଙ୍କୁ ନେଇ ଯାତ୍ରା କଲେ ତେଲ ଖର୍ଚ୍ଚ ଉଠିବ ନାହିଁ ବୋଲି ସେ କହିଛନ୍ତି। ଘରୋଇ ବସ୍‌ ମାଲିକ ସଂଘର କଟକ ସଭାପତି ଅଜୟ ବାରିକ କହିଛନ୍ତି, ବସ୍‌ ସେବାରେ ଏବେ କ୍ଷତି ହିଁ କ୍ଷତି। କିଛି ଘରୋଇ ବସ୍‌ ଚଳାଚଳ କରୁଛି।

Share