ଗୋରୁପଲ କବ୍‌ଜାରେ ବସ୍‌ଷ୍ଟାଣ୍ଡ

ଢେଙ୍କାନାଳ, ୨୬।୭(ରତନ ନାୟାର): ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ ଇନ୍ଦିପୁର ଗ୍ରାମ ବସ୍‌ଷ୍ଟାଣ୍ଡ ଏବେ ଗୋରୁପଲ କବ୍‌ଜାରେ। ପଞ୍ଚାୟତ ପକ୍ଷରୁ ବୁଲା ଗୋରୁଙ୍କୁ ନିୟନ୍ତ୍ରଣ କରାଯାଉ ନ ଥିବାରୁ ଏଭଳି ସମସ୍ୟା ସୃଷ୍ଟି ହୋଇଛି। ଏହାଯୋଗୁ ଯାତ୍ରୀମାନେ ନାହିଁ ନ ଥିବା ହିନସ୍ତା ହେଉଛନ୍ତି।
ଅଞ୍ଚଳର ଗୋ-ପାଳକମାନେ କ୍ଷୀର ଦୁହିଁ ସାରିବା ପରେ ଗାଈ, ବାଛୁରିଙ୍କୁ ଖୋଲାରେ ଛାଡ଼ି ଦେଉଛନ୍ତି। ସେମାନେ ବସ୍‌ଷ୍ଟାଣ୍ଡ ପରିସରରେ ଆସି
ଦଳବଦ୍ଧ ଭାବେ ରହୁଛନ୍ତି। ଫଳରେ ଯାତ୍ରୀଙ୍କ ଯାତାୟାତରେ ସମସ୍ୟା ସୃଷ୍ଟି ହେଉଛି। ଛୋଟବଡ଼ ଦୁର୍ଘଟଣା ମଧ୍ୟ ଘଟୁଛି। ଗୋରୁପଲ ପରିବା ଦୋକାନୀଙ୍କ ମୁଣ୍ଡବ୍ୟଥା ବଢ଼ାଇଛନ୍ତି। ସାମାନ୍ୟ ଅନ୍ୟମନସ୍କ ହେଲେ ଡାଲାରୁ ପରିବା ଖାଇଯିବା ସହ ନଷ୍ଟ କରିଦେଉଛନ୍ତି। ଠେଲାରେ ବ୍ୟବସାୟ କରୁଥିବା ବ୍ୟବସାୟୀମାନେ ଅନୁରୂପ ସମସ୍ୟା ଭୋଗୁଛନ୍ତି। ଏଥିପ୍ରତି ସ୍ଥାନୀୟ ପ୍ରଶାସନ ଗୁରୁତ୍ୱ ଦେବାକୁ ଗୁପ୍‌ଚୁପ୍‌ ବ୍ୟବସାୟୀ ନରେନ୍ଦ୍ର ସାହୁ, ଚାଟ୍‌ ବ୍ୟବସାୟୀ ନରୋତ୍ତମ ରାଉତ, ଜଳଖିଆ ଦୋକାନୀ ବିଶ୍ୱଜିତ ସେନାପତି ଦାବି କରିଛନ୍ତି।