Categories: ବାଣିଜ୍ୟ

୭୦,୦୦୦ ଛୁଇଁଲା ସୁନା ଦର!

ନୂଆଦିଲ୍ଲୀ,୪।୪: ଘରୋଇ ବଜାରରେ ସୁନା ଦର କ୍ରମାଗତ ଭାବେ ବୃଦ୍ଧି ପାଉଛି। ଏପରିକି ସୁନା ଦର ଗତ କିଛି ସପ୍ତାହ ମଧ୍ୟରେ ସର୍ବୋଚ୍ଚ ସ୍ତରରେ ପହଞ୍ଚତ୍ଛି। ବିଶେଷକରି ଅନ୍ତର୍ଜାତୀୟ ବଜାରରେ ସୁନା ଦର ବୃଦ୍ଧି ସାଙ୍ଗକୁ ୟୁଏସ୍‌ ଡଲାରର ପଏଣ୍ଟ ବଢ଼ିବା କାରଣରୁ ଘରୋଇ ବଜାରରେ ମଧ୍ୟ ସୁନା ଦର ପ୍ରଭାବିତ ହୋଇଛି। ଫଳରେ ଦର କ୍ରମାଗତ ଭାବେ ବଢ଼ିବାରେ ଲାଗିଛି। ଅପରପକ୍ଷରେ ମଧ୍ୟପ୍ରାଚ୍ୟ (ମିଡିଲ ଇଷ୍ଟ) ବଜାରରେ ଦେଖାଦେଇଥିତ୍ବା ଅସ୍ଥିରତା ଏବଂ ୟୁଏସ୍‌ ଫେଡେରାଲର ସୁଧ ହାର ବୃଦ୍ଧି ଏବଂ ଡଲାରର ମଜଭୁତ ସ୍ଥିତି ଯୋଗୁ ଦର ବୃଦ୍ଧି ହେଉଛି ବୋଲି ବଜାର ବିଶେଷଜ୍ଞମାନେ ଆଶଙ୍କା ପ୍ରକାଶ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ୨୦୨୩-୨୪ ଆର୍ଥିକ ବର୍ଷର ଶେଷ ତ୍ରୈମାସଠାରୁ ସୁନା ଦର ବଢିବା ଆରମ୍ଭ କରିଥିଲା। ଏପରିକି ଚଳିତ ଆର୍ଥିକ ବର୍ଷର ପ୍ରଥମ ମାସର ପ୍ରଥମ ସପ୍ତାହ ମଧ୍ୟରେ ସୁନା ଦର ୨୪ କ୍ୟାରେଟ ସୁନାର ମୂଲ୍ୟ ଭୁବନେଶ୍ୱର ବଜାରରେ ପ୍ରାୟ ୭୦,୦୦୦ (୬୯,୯୨୭ ଟଙ୍କା) ରହିଥିଲାବେଳେ ୨୨ କ୍ୟାରେଟ ସୁନାର ମୂଲ୍ୟ ୬୪,୧୦୦ଟଙ୍କା ରହିଛି। ସେହିଭଳି ନୂଆଦିଲ୍ଲୀ ବଜାରରେ ୨୪ କ୍ୟାରେଟ ସୁନାର ମୂଲ୍ୟ ୭୦,୧୪୦ ଟଙ୍କା ରହିଥିଲାବେଳେ ୨୨ କ୍ୟାରେଟ ସୁନାର ମୂଲ୍ୟ ୬୩,୪୯୦ ଟଙ୍କାରେ କାରବାର ହେଉଛି। ଏପରିକି ଦେଶର ପ୍ରମୁଖ ମହାନଗର କୋଲକାତା, ମୁମ୍ବାଇ ଏବଂ ଚେନ୍ନାଇ ଭଳି ଅଗ୍ରଣୀ ସୁନା ବଜାରର ଦର ଉଭୟ ୨୪ ଓ ୨୨ କ୍ୟାରେଟର ମୂଲ୍ୟ ୬୯,୦୦୦-୭୦,୦୦୦ ଏବଂ ୬୩,୦୦୦-୬୩,୫୦୦ ଟଙ୍କାରେ ରହିଛି।

ସେହିପରି ଆଗକୁ ବିଭାଘର ଓ ମାଙ୍ଗଳିକ ସାଙ୍ଗକୁ ବିଭିନ୍ନ ପ୍ରକାରର ଶୁଭ କାର୍ଯ୍ୟ ରହିଥିବାରୁ ସୁନା ଦର ବୃଦ୍ଧି ଉଭୟ ଗ୍ରାହକ ଓ ବ୍ୟବସାୟୀଙ୍କ ମଧ୍ୟରେ ଆଶଙ୍କା ଦେଖାଦେଇଛି। ଏପରିକି ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ଘରୋଇ ବଜାରରେ ଅଳଙ୍କାର ପ୍ରତିଷ୍ଠାନଗୁଡ଼ିକ ନୂଆ ନୂଆ ଡିଜାଇନ ଓ ରିହାତି ସାଙ୍ଗକୁ ଅଫର ମଧ୍ୟ ଘୋଷଣା କରିଛନ୍ତି। ଅପରପକ୍ଷରେ ଗ୍ରାହକ ମଧ୍ୟ ଚଳିତ ଲୋକ ସଭା ନିର୍ବାଚନ ପରେ ଦରରେ ସୁଧାର ଆସିବା ଓ ବଜାର ପରିସ୍ଥିତିକୁ ନଜରରେ ରଖି କାରବାର (କିଣାକିଣି) କରିବେ ବୋଲି ଲକ୍ଷ୍ୟ ରଖିଛନ୍ତି।

Share