ସରପଞ୍ଚଙ୍କ ଜାଲ୍‌ ଦସ୍ତଖତ କରି ବ୍ୟବସାୟୀ ଗିରଫ

ମାଲକାନଗିରି/କାଲିମେଳା,୧୬।୫(ଡି.ଏନ୍‌.ଏ.): ସରପଞ୍ଚଙ୍କ ଜାଲ୍‌ ଦସ୍ତଖତ କରି ଶିକ୍ଷକମାନଙ୍କୁ ବଦଳି କରାଇବା ପାଇଁ ଡିଇଓ ଏବଂ ବିଇଓଙ୍କୁ ଚିଠି କରିବା ଘଟଣାରେ ବ୍ୟବସାୟୀ ମୌସୁମ ଖାଁଙ୍କୁ ମାଲକାନଗିରି ଜିଲା ମୋଟୁ ପୋଲିସ ଗିରଫ କରିଛି।
ସୂଚନାଯୋଗ୍ୟ, କାଲିମେଳା ବ୍ଲକ ମୋଟୁ ପଞ୍ଚାୟତର ସରପଞ୍ଚ ରୁଚି କତାମଙ୍କ ଜାଲ୍‌ ଦସ୍ତଖତ କରି ସ୍ଥାନୀୟ ଅଞ୍ଚଳର କେତେଜଣ ଶିକ୍ଷକଙ୍କୁ ବଦଳି କରାଇବା ପାଇଁ ମୌସୁମ ଡିଇଓ ଏବଂ ବିଇଓଙ୍କୁ ଏକ ଚିଠି ପଠାଇଥିଲେ। ଏହା ଜଣାପଡ଼ିବା ପରେ ତାଙ୍କ ଦସ୍ତଖତକୁ ନକଲ କରି ଚିଠି କରାଯାଇଥିବା ନେଇ ମୋଟୁ ସରପଞ୍ଚ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ମୋଟୁ ଥାନା ପୋଲିସ ୫୦/୨୨ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରିବା ପରେ ମୌସୁମଙ୍କୁ ଗିରଫ କରି ରବିବାର କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି। ଦୁଇଦିନ ତଳେ ସରପଞ୍ଚଙ୍କ ଜାଲ୍‌ ଦସ୍ତଖତ ବ୍ୟବହାର କରିବା ଏବଂ ଅନ୍ୟ ସମସ୍ୟାକୁ ନେଇ ମୁରଲିଗୁଡ଼ା ଗ୍ରାମରେ ୪ ପଞ୍ଚାୟତର ଗ୍ରାମବାସୀଙ୍କୁ ନେଇ ଜନପ୍ରତିନିଧିମାନେ ଏକ ବୈଠକ କରିଥିଲେ। ଏ ନେଇ ରାଜ୍ୟପାଳଙ୍କୁ ଅବଗତ ନିମନ୍ତେ ଦାବିପତ୍ର ପ୍ରଦାନ କରାଯାଇଥିବା ନେଇ ଆଲୋଚନା ହୋଇଥିଲା।

Share