Advertisement
Categories: ବାଣିଜ୍ୟ

ଏଣିକି ATMରୁ ଟଙ୍କା ଉଠାଇବା ହୋଇଯିବ ମହଙ୍ଗା, ଗଣିବେ ଏତିକି…

ନୂଆଦିଲ୍ଲୀ,୨୫।୩: ଯଦି ଆପଣଙ୍କର ବାରମ୍ବାର ATMରୁ ଟଙ୍କା ଉଠାଇବାର ଅଭ୍ୟାସ ଅଛି, ତେବେ ଆପଣଙ୍କୁ ଏହି ଅଭ୍ୟାସକୁ ସୁଧାରି ନେବାକୁ ହେବ। କାରଣ ମେ’ ପହିଲାରୁ ଏଟିଏମ୍‌ରୁ ଟଙ୍କା ଉଠାଇବା ମହଙ୍ଗା ହେବାକୁ ଯାଉଛି। ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ବ୍ୟାଙ୍କଗୁଡ଼ିକୁ ATM ଇଣ୍ଟରଚେଞ୍ଜ ଫି’ ବୃଦ୍ଧି କରିବାକୁ ଅନୁମତି ଦେଇଛି। ଏଣୁ ଯଦି ଘରୋଇ ବ୍ୟାଙ୍କ ନେଟୱାର୍କ ବାହାରେ ATM ରୁ କୌଣସି ଟଙ୍କା ଉଠାଣ କରାଯାଏ କିମ୍ବା ବାଲାନ୍ସ ଯାଞ୍ଚ କରାଯାଏ, ତେବେ ଏହା ଆପଣଙ୍କୁ ପୂର୍ବ ଅପେକ୍ଷା ସାମାନ୍ୟ ଅଧିକା ମହଙ୍ଗା ପଡ଼ିବ।
ପୂର୍ବରୁ ନିଜ ଘରୋଇ ବ୍ୟାଙ୍କର ATM ବଦଳରେ ଅନ୍ୟ ବ୍ୟାଙ୍କର ATMରୁ ଟଙ୍କା ଉଠାଇଲେ ୧୭ ଟଙ୍କା ଦେବାକୁ ପଡୁଥିଲା। ଏବେ ଏହା ୧୯ ଟଙ୍କା ହୋଇଯାଇଛି। ଅନ୍ୟ ବ୍ୟାଙ୍କର ATMରୁ ବାଲାନ୍ସ ଯାଞ୍ଚ କରିବା ପାଇଁ ପୂର୍ବରୁ ୬ ଟଙ୍କା ଦେବାକୁ ପଡୁଥିବା ବେଳେ ଏହାକୁ ଏବେ ୭ ଟଙ୍କାକୁ ବୃଦ୍ଧି କରାଯାଇଛି।
ତେବେ ଯେତେବେଳେ ଆପଣ ମାଗଣା ଟ୍ରାଞ୍ଜାକ୍ସନ ସୀମା ଅତିକ୍ରମ କରିବେ ସେତେବେଳେ ଅନ୍ୟ ବ୍ୟାଙ୍କର ATMରୁ ଟ୍ରାଞ୍ଜାକ୍ସନ ଫି’ ନିଆଯିବ। ମେଟ୍ରୋ ସହରଗୁଡ଼ିକରେ ଘରୋଇ ବ୍ୟାଙ୍କ ବ୍ୟତୀତ ଅନ୍ୟ ବ୍ୟାଙ୍କର ATM ରୁ ମାଗଣା କାରବାରର ସୀମା ୫ ଅଟେ, ଯେତେବେଳେ ଅଣ-ମେଟ୍ରୋ ସହରଗୁଡ଼ିକରେ ମାଗଣା କାରବାରର ସୀମା ୩ ଅଟେ।
ଭାରତୀୟ ଜାତୀୟ ପେମେଣ୍ଟ ନିଗମ (NTPC) ଦ୍ୱାରା ପଠାଯାଇଥିବା ATM ଶୁଳ୍କ ବୃଦ୍ଧି ପ୍ରସ୍ତାବକୁ RBI ଅନୁମୋଦନ କରିଛି। ଏହି ନିଷ୍ପତ୍ତି ଏପରି ଏକ ସମୟରେ ନିଆଯାଇଛି ଯେତେବେଳେ ହ୍ବାଇଟ ଲେବଲ୍‌ ଏଟିଏମ୍‌ ଅପରେଟରମାନେ ଶୁଳ୍କ ବୃଦ୍ଧି କରିବା ବିଷୟରେ ଆଲୋଚନା କରୁଥିଲେ। ସେମାନଙ୍କର ତର୍କ ଥିଲା ଯେ ବର୍ଦ୍ଧିତ ପରିଚାଳନା ଖର୍ଚ୍ଚ ଯୋଗୁ ପୁରୁଣା ଫିଚରରେ ସେବା ଯୋଗାଇବା କଷ୍ଟକର।
ହ୍ବାଇଟ ଲେବଲ ATM କ’ଣ?
ଛୋଟ ସହର ଏବଂ ଗ୍ରାମଗୁଡ଼ିକରେ ଏଟିଏମ ସୁବିଧା ଉପଲବ୍ଧ କରାଇବା ପାଇଁ, RBI ATM ପେମେଣ୍ଟ ଏବଂ ସେଟେଲମେଣ୍ଟ ସିଷ୍ଟମ ଆଇନ ୨୦୦୭ ଅନୁଯାୟୀ ଏପରି ସ୍ଥାନରେ ATM ସ୍ଥାପନକୁ ଅନୁମୋଦନ କରିଛି, ଯେଉଁଠାରେ କୌଣସି ବ୍ୟାଙ୍କର ବୋର୍ଡ ନାହିଁ। ଡେବିଟ ଏବଂ କ୍ରେଡିଟ କାର୍ଡ ବ୍ୟବହାର କରି ଏହି ଏଟିଏମ୍‌ଗୁଡ଼ିକରୁ ଟଙ୍କା ଉଠାଯାଇପାରିବ। ଏହା ସହିତ ବିଲ ପେମେଣ୍ଟ, ମିନି ଷ୍ଟେଟମେଣ୍ଟ, ଚେକ ବୁକ ଅନୁରୋଧ, ନଗଦ ଜମା ଭଳି ସୁବିଧା ମଧ୍ୟ ଉପଲବ୍ଧ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share