ମହିଳାଙ୍କୁ ଆକ୍ରମଣ କରି ଟଙ୍କା, ଅଳଙ୍କାର ଲୁଟ କରିବା ପଡ଼ିଲା ମହଙ୍ଗା

ରାଇକିଆ,୪।୭(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ଥାନା ଗେଦିଙ୍ଗିଆ ଗ୍ରାମ ନିକଟ ଜଙ୍ଗଲ ରାସ୍ତାରୁ ଜଣେ ମହିଳାଙ୍କଠାରୁ ସୁନା ଅଳଙ୍କାର ଲୁଟ ଓ ଆକ୍ରମଣ ଘଟଣାରେ ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି। ଲୁଟ୍‌ର ଶିକାର ହୋଇଥିବା ମହିଳା ଜଣଙ୍କ ହେଲେ ଜ୍ୟୋତ୍ସ୍ନା ରାଣୀ ମଲ୍ଲିକ।

ଜ୍ୟୋତ୍ସ୍ନା ଗତ ଜୁନ ୨୯ ତାରିଖରେ ନିଜ ପୁଅ ଏବଂ ନଣନ୍ଦ ସହ ଦୂବା ଗ୍ରାମରୁ ଚାଲିଚାଲି ଗେଦିଙ୍ଗିଆ ଗ୍ରାମକୁ ଆସୁଥିଲେ। ହେଲେ ପୁଅ ଓ ତାଙ୍କ ନଣନ୍ଦ ଥକି ଯିବାରୁ ଅନ୍ୟ ଜଣଙ୍କ ବାଇକ୍‌ରେ ସେମାନଙ୍କୁ ପଠାଇଦେଇ ନିଜେ ଏକୁଟିଆ ରାସ୍ତାରେ ଯାଉଥିଲେ।

ସେତିକିବେଳେ ତାଙ୍କୁ ଦେଖି ଅଭିଯୁକ୍ତ ସିଦ୍ଧାନ୍ତ ଦିଗାଲ ବେକକୁ ଟାଣି ଜଙ୍ଗଲ ଭିତରକୁ ନେଇଯିବା ସହ ସେ ପିନ୍ଧିଥିବା ସୁନା ଅଳଙ୍କାର ସହ ୨୨ଶହ ଟଙ୍କା ଛଡାଇ ନେମଇ ଆକ୍ରମଣ କରିଥିଲା । ଆକ୍ରମଣର ଶିକାର ହୋଇ ଜ୍ୟୋତ୍ସ୍ନା ସେଠାରେ ଚେତା ଶୂନ୍ୟ ହୋଇ ପଡିଥିଲେ। ତା’ ପର ଦିନ ଚେତା ଫେରିବା ପରେ ଗାଁକୁ ଫେରି ଘଟଣା ସମ୍ପର୍କରେ ପରିବାର ଲୋକଙ୍କୁ ଜଣାଇବା ସହ ଥାନାରେ ଅଭିଯୋଗ କରିଥିଲେ।

ରାଇକିଆ ଥାନା ଅଧିକାରୀ ଆଶୁତୋଷ ପାଇକରାୟ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ଆହତ ଜ୍ୟୋତ୍ସ୍ନାକୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଇଥିଲେ। ଅନ୍ୟପକ୍ଷରେ ଅଭିଯୁକ୍ତ ସିଦ୍ଧାନ୍ତ ଦିଗାଲ ଲୁଟ କରିଥିବା ସୁନାକୁ ନେଇ ଜି ଉଦୟଗିରିର ଜଣେ ଲୁଗା ବ୍ୟବସାୟୀ ଜଗବନ୍ଧୁ ଦାସଙ୍କୁ ବିକ୍ରି କରିଥିଲେ । ପୋଲିସ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ସିଦ୍ଧାନ୍ତଙ୍କୁ ଗୁରୁବାର ରାଇକିଆ ବଜାରରୁ ଏବଂ ଲୁଟ୍‌ ସୁନା କିଣି ଥିବା ଅଭିଯୋଗରେ ଜଗବନ୍ଧୁଙ୍କୁ ଜି ଉଦୟଗିରି ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା।

ପୋଲିସ ତାଙ୍କଠାରୁ ଲୁଟ୍‌ ହୋଇଥିବା ସୁନା ଏବଂ ଟଙ୍କା ଜବତ କରିଛି । ଏନେଇ ରାଇକିଆ ଥାନାରେ ଏକ ମାମଲା(ନଂ.୯୦/୨୪) ରୁଜୁ ହୋଇଛି। ଖବରଦାତା ସମ୍ମିଳନୀରେ ଜି ଉଦୟଗିରି ଏସ୍‌ଡିପିଓ ବିଜୟ କୁମାର ବିଶି ଏହି ସୂଚନା ଦେଇଛନ୍ତି। ଅଭିଯୁକ୍ତଙ୍କ ନାମରେ ପୂର୍ବରୁ ରାଇକିଆ ଥାନାରେ ଏକ ଲୁଟ ମାମଲା ରହିଛି।

Share