ବିଲ୍ଡରଙ୍କ ଚାପରେ ବ୍ୟବସାୟୀଙ୍କ ଆତ୍ମହତ୍ୟା

ଭୁବନେଶ୍ୱର,୩।୩(ବ୍ୟୁରୋ): ବ୍ୟବସାୟ ପାଇଁ ଲକ୍ଷାଧିକ ଟଙ୍କା ଋଣ କରିଥିଲେ। ହେଲେ କରୋନା ଓ ଲକ୍‌ଡାଉନ ଯୋଗୁ ବ୍ୟବସାୟ ବନ୍ଦ ହୋଇଯାଇଥିଲା। ଫଳରେ ନିଜ ଘରକୁ ବିକ୍ରି କରିବା ପାଇଁ ଜଣେ ବିଲ୍ଡରଙ୍କଠାରୁ ଅଗ୍ରିମ ଟଙ୍କା ଆଣିଥିଲେ। ହେଲେ ଉକ୍ତ ବିଲ୍ଡର ଜଣକ ଉକ୍ତ ଘରେ ତାଲା ପକାଇ ଦେବାରୁ ଶେଷରେ ବ୍ୟବସାୟୀ ଜଣକ ମାନସିକ ଚାପରେ ଫ୍ୟାନ୍‌ରେ ଝୁଲି ଆତ୍ମହତ୍ୟା କରିଛନ୍ତି। ମଙ୍ଗଳବାର ଏମିତି ଏକ ଘଟଣା ଖାରବେଳନଗର ଥାନା ଅଞ୍ଚଳରେ ଘଟିଛି। ପୋଲିସ ଘଟଣା ସ୍ଥଳରେ ପହଞ୍ଚତ୍ ମୃତଦେହ ଜବତ କରି କ୍ୟାପିଟାଲ ହସ୍ପିଟାଲ ପଠାଇଛି। ମୃତ ବ୍ୟକ୍ତିଙ୍କ ନାମ ରିକି ଓ ତାଙ୍କ ଘର ପୁରୀରେ ବୋଲି ପୋଲିସ ଜାଣିବାକୁ ପାଇଛି। ତାଙ୍କ ଘରୁ ଏକ ସୁଇସାଇଡ୍‌ ନୋଟ୍‌ ମିଳିଛି। ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଅଧିକ ତଦନ୍ତ ଚଳାଇଛି।
ପୋଲିସ ସୂଚନା ଅନୁଯାୟୀ, ରିକି ପ୍ରେସ୍‌ କଲୋନୀ ଅଞ୍ଚଳରେ ପୁରୁଣା ଗାଡ଼ି ଓ ହୋଟେଲ ବ୍ୟବସାୟ କରୁଥିଲେ। ତାଙ୍କ ସ୍ତ୍ରୀଙ୍କର ମଧ୍ୟ ଏକ ପାର୍ଲର ରହିଛି। ଏଥିସହିତ ଏୟାରଫିଲ୍ଡ ଅଞ୍ଚଳରେ ତାଙ୍କର ଏକ ଘର ରହିଛି। କରୋନା ସମୟରୁ ଗାଡ଼ି ଓ ହୋଟେଲ ବ୍ୟବସାୟ ଠିକ୍‌ରେ ଚାଲୁ ନ ଥିବାରୁ ସେ ଅତ୍ୟଧିକ ଋଣରେ ବୁଡି ରହିଥିଲେ। ସେ ବିଭିନ୍ନ ଲୋକଙ୍କଠାରୁ ଲକ୍ଷାଧିକ ଟଙ୍କା କରଜ କରିଥିଲେ। ସେମାନେ ରିକିଙ୍କୁ ବାରମ୍ବାର ଟଙ୍କା ମାଗୁଥିଲେ। ଶେଷରେ ରିକି ନିଜ ଘର ବିକ୍ରି କରିବାକୁ ଜଣେ ବିଲ୍ଡରଙ୍କ ନିକଟରୁ ୩୫ଲକ୍ଷ ଟଙ୍କା ଅଗ୍ରୀମ ଆଣି କରଜ ଶୁଝିଥିଲେ। ହେଲେ ଘରର କାଗଜପତ୍ରରେ ତ୍ରୁଟି ରହିଥିଲା। ତ୍ରୁଟି ସୁଧାରିବାକୁ ସେ ବିଡିଏ ଅଫିସକୁ ବାରମ୍ବାର ଦୌଡ଼ିଥିଲେ ମଧ୍ୟ କିଛି ସୁଫଳ ମିଳିପାରି ନ ଥିଲା। ଫଳରେ ବିଲ୍ଡର ଜଣକ ତାଙ୍କୁ ଦେଇଥିବା ଟଙ୍କା ଫେରସ୍ତ ଦାବି କରିବା ସହ ନ ପାଇବାରୁ ଉକ୍ତ ଘରେ ତାଲା ପକାଇଦେଇଥିଲେ। ଏଥିରେ ମାନସିକ ଚାପରେ ଆସି ରିକି ଆତ୍ମହତ୍ୟା କରିଥିବା ନେଇ ତାଙ୍କ ପରିବାର ଲୋକେ ଓ ପାଲିସ ସୂଚନା ଦେଇଛି।

Share