ମୁମ୍ବାଇ,୧୪।୧୧: ବଲିଉଡ୍ ଅଭିନେତ୍ରୀ ଶିଳ୍ପା ଶେଟ୍ଟି ଓ ତାଙ୍କ ସ୍ବାମୀ ରାଜ କୁନ୍ଦ୍ରାଙ୍କ ସହ ଅନ୍ୟ କିଛି ବ୍ୟକ୍ତିଙ୍କ ନାମରେ ଦେଢ଼ କୋଟି ଟଙ୍କାର ଠକେଇ ଅଭିଯୋଗ ଆଣିଛନ୍ତି ମୁମ୍ବାଇର ଜଣେ ପ୍ରତିଷ୍ଠିତ ବ୍ୟବସାୟୀ। ଏ ନେଇ ରବିବାର ଜଣେ ପୋଲିସ ଅଧିକାରୀ ସ୍ପଷ୍ଟ କରିଛନ୍ତି। ନୀତିନ ବରାଇ ନାମକ ମୁମ୍ବାଇର ଜଣେ ବ୍ୟବସାୟୀଙ୍କ ଅଭିଯୋଗକୁ ଆଧାର କରି ବାନ୍ଦ୍ରା ପୋଲିସ ମାମଲା ରୁଜୁ କରି ତଦନ୍ତ ଚଲାଇଛି।
ଅଭିଯୋଗ ଅନୁଯାୟୀ, ୨୦୧୪ ଜୁଲାଇରେ ଏସ୍ଏଫ୍ଏଲ ଫିଟନେସ କମ୍ପାନୀର ନିର୍ଦ୍ଦେଶକ କାଶିଫ ଖାନ, ଶିଳ୍ପା, କୁନ୍ଦ୍ରା ଓ ଅନ୍ୟମାନଙ୍କ ପରାମର୍ଶ କ୍ରମେ ଉକ୍ତ ଫିଟ୍ନେସ କମ୍ପାନୀରେ ବିନିଯୋଗ କରିଥିଲେ ୧.୫୧ କୋଟି ଟଙ୍କା। ଏହାର ପ୍ରତିବଦଳରେ ଫିଟ୍ନେସ କମ୍ପାନୀର ଫ୍ରାଞ୍ଚାଇଜ ସହ ପୁଣେର ନିକଟବର୍ତ୍ତୀ ଅଞ୍ଚଳ ହାଦାପସାର ଓ କୋରେଗାଁରେ ଏକ ଜିମ୍ ଏବଂ ସ୍ପା ଯୋଗାଇ ଦେବାକୁ ମିଛ ପ୍ରତିଶ୍ରୁତି ଦେଇଥିଲେ। ପରେ ଟଙ୍କା ଫେରସ୍ତ ମାଗିବାରୁ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦିଆଯାଇଥିଲା।
ଅଭିଯୋଗକୁ ଭିତ୍ତି କରି ବାନ୍ଦ୍ରା ପୋଲିସ ୪୨୦ (ଠକେଇ), ୧୨୦-ବି(ଅପରାଧିକ ଷଡ଼ଯନ୍ତ୍ର), ୫୦୬ (ଅପରାଧିକ ବଳ ପ୍ରୟୋଗ କରି ଭୟବିତ କରିବା) ଓ ୩୪ ଆଇପିସି ଦଫାରେ ମାମଲା ରୁଜୁ କରାଯାଇଛି।