ବ୍ରହ୍ମପୁର,୧୯ା୬(ସୁବାସ ଚନ୍ଦ୍ର ପାଢ଼ୀ): ଗୋଷାଣିନୂଆଗାଁ ଥାନା ପୋଲିସ ୱାରେଣ୍ଟ ବଳରେ ଆନ୍ଧ୍ରପ୍ରଦେଶରୁ ଜଣେ ବ୍ୟବସାୟୀଙ୍କୁ ଗିରଫ କରିଛି। ସେ ହେଲେ ଆର. କିଶୋର ପଟ୍ଟନାୟକ(୪୫)। ଗୋଷାଣିନୂଆଗାଁ ଥାନା ଅଧୀନ ବିଶ୍ୱନାଥନଗରର କିଶୋର ୧୧ବର୍ଷ ହେଲା ଆନ୍ଧ୍ରପ୍ରଦେଶ ଷୋମପେଣ୍ଠ ଥାନା ଅନ୍ତର୍ଗତ ଟେକେଲିରେ ପରିବାର ସହ ରହୁଥିଲେ। ତାଙ୍କୁ ସେଠାରୁ ଗିରଫ ପରେ ସୋମବାର କୋର୍ଟ ଚାଲାଣ କରାଯାଇଛି।
ମିଳିଥିବା ସୂଚନା ମୁତାବକ, କିଶୋର ବ୍ୟବସାୟ କରିବା ପାଇଁ ତାଙ୍କର ଜଣେ ବନ୍ଧୁ ଡ଼ି. ସାଇକିରଣଙ୍କଠାରୁ ୫ ଲକ୍ଷ ଟଙ୍କା ଧାରନେଇ ତାଙ୍କୁ ଉକ୍ତ ଟଙ୍କା ପୈଠ ପାଇଁ ଏକ ଚେକ ଦେଇଥିଲେ। ନିର୍ଦ୍ଧାରିତ ସମୟରେ ସାଇକିରଣ ଉକ୍ତ ଚେକ ବ୍ୟାଙ୍କରେ ଜମା କରିଥିଲେ ମଧ୍ୟ ତାହା ବାଉନ୍ସ ହୋଇଯାଇଥିଲା। ପରେ ସେ ଏ ନେଇ କୋର୍ଟରେ ୱାନସିସି ପିଟିଶନ ଦାଖଲ କରିଥିଲେ। କୋର୍ଟ ଆଦେଶକୁ ଅବମାନନା କରି କିଶୋର ତାଙ୍କ ନିଜ ଘର ଭଡ଼ାକୁ ଦେଇ ପରିବାର ସହ ଟେକେଲି ପଳାଇଥିଲେ। ବାରମ୍ବାର ନୋଟିସ ସତ୍ତ୍ୱେ ସେ କୋର୍ଟରେ ହାଜର ହୋଇ ନ ଥିଲେ। ୨୦୧୨ରେ କିଶୋରଙ୍କୁ ଗିରଫ କରିବା ପାଇଁ ତାଙ୍କ ବିରୋଧରେ ଏନବିଡବ୍ଲ୍ୟୁ ଜାରି ହୋଇଥିଲା। ପୋଲିସ ତାଙ୍କ ସମ୍ପର୍କରେ ସୁରାକ ପାଇ ପାରି ନ ଥିଲା। ୧୧ ବର୍ଷ ପରେ ରବିବାର ବିଳମ୍ବିତ ରାତିରେ ବିଶ୍ୱସ୍ତସୂତ୍ରରୁ ଖବରପାଇ ଗୋଷାଣିନୁଆଗାଁ ପୋଲିସ ଟିମ୍ ଆନ୍ଧ୍ରର ଟେକେଲି ଯାଇଥିଲା। ସେଠାରୁ କିଶୋରଙ୍କୁ କାବୁ କରାଯାଇଥିଲା।