ଖୋଜାଖୋଜିରେ ବ୍ୟସ୍ତ

କଥାରେ ଅଛି- ବସିବାଠାରୁ କାଶିବା ଭଲ। ତେଣୁ ଘରେ ବସିବା ଅପେକ୍ଷା ଜାହ୍ନବୀ କପୁର ଏକ ନୂଆ କାମରେ ମନୋନିବେଶ କରିଛନ୍ତି। ତାହା ହେଲା କାହାଣୀ ଖୋଜିବା। କଥା କ’ଣ କି, ଜଣେ ଗାଉଁଲି ନାରୀର ଜୀବନୀକୁ ନେଇ ବୋନି କପୁର ଏକ ଫିଲ୍ମ ନିର୍ମାଣ କରିବାକୁ ଯୋଜନା କରୁଛନ୍ତି। ପୁଣି ଏହାର କାହାଣୀ ଚୟନ ଦାୟିତ୍ୱ ସେ ଦେଇଛନ୍ତି ଜାହ୍ନବୀଙ୍କୁ। ଏ ନେଇ ସେ କହନ୍ତି, ”ଯେତେବେଳେ ପାପା (ବୋନି) ମୋତେ ଏ କଥା କହିଲେ, ସେତେବେଳେ ତାହାକୁ ମୁଁ ବେଶ୍‌ ସିରିୟସ୍‌ଲି ନେଇଥିଲି। ଏବେ ସେହି କାମରେ ନିଜକୁ ନିୟୋଜିତ ରଖିଛି। ତା’ସହ କିଛି ଅସୁବିଧା ହେଲେ ପାପାଙ୍କ ସହ ଯୋଗାଯୋଗ କରୁଛି। ସାଧାରଣତଃ ଭଲ କାହାଣୀକୁ ନେଇ ସିନେମା ନିର୍ମାଣ କଲେ ତାହା ଦର୍ଶକଙ୍କ ମନକୁ ଛୁଇଁଥାଏ। ତେଣୁ କାହାଣୀଟି ସେହିପରି ଦମ୍‌ଦାର ହେବା ଦରକାର। ପୁଣି ସେହି ଫିଲ୍ମକୁ ସବୁବର୍ଗର ଦର୍ଶକ ଏକାଠି ଦେଖିପାରୁଥିବେ। ଏପରି ଏକ କାହାଣୀଟିଏ ଖୋଜି ପାଇବି ବୋଲି ନିଜ ଉପରେ ବିଶ୍ୱାସ ରହିଛି। କେବଳ ସେତିକି ନୁହେଁ, ଏହାର ମୁଖ୍ୟ ଭୂମିକାରେ ମୁଁ ଅଭିନୟ କରିବି। ତେଣୁ ସେଥିପାଇଁ ମୋତେ ଏବେ ସମୟ ଦେବାକୁ ପଡୁଛି।“ ଏବେ ଜାହ୍ନବୀଙ୍କ ହାତରେ ୨-୩ଟି ଅଫର ରହିଛି। ତେବେ ସେଗୁଡ଼ିକୁ ଭଲ ଭାବରେ ତର୍ଜମା କରିବା ପରେ ସେ ନେଇ ନିଷ୍ପତ୍ତି ନେବେ ବୋଲି କହନ୍ତି ଏହି ଅଭିନେତ୍ରୀ।

Share