ବ୍ୟସ୍ତ ଜୀବନ ଓ ନିଦ୍ରା ସମସ୍ୟା

ଈପ୍ସିତା ମହାନ୍ତି

ନିଦ୍ରା ହେଉଛି ପ୍ରକୃତିର ଏକ ଅନୁପମ ବରଦାନ। ନିଦରେ ଶୋଇବାକୁ ଅବା ନିଦ୍ରାରେ ଯିବାକୁ କିଏବା ନ ଚାହେଁ! ନିଦ୍ରା ଆଜି ଏକ ବିଳାସପ୍ରିୟ ଭୂମିକାରେ ଅବତୀର୍ଣ୍ଣ। ଆଜିର ଦୁନିଆରେ ଦୈନିକ ସମ୍ପୂର୍ଣ୍ଣ ୮ରୁ ୯ଘଣ୍ଟା ନିରବଚ୍ଛିନ୍ନ ଭାବେ ଶୋଇବାକୁ ପାଉଥିବା ବ୍ୟକ୍ତି ହିଁ ବଡ଼ ଭାଗ୍ୟବାନ୍‌। ହେଲେ, ସାରା ଦୁନିଆ ଆଜି ନିଦ ଲାଗି ସଂଗ୍ରାମରତ। ଏକଥା ଅନେକଙ୍କୁ ବିଚଳିତ କରୁଥିବ। ଆଶ୍ଚର୍ଯ୍ୟ ହେଲେ ମଧ୍ୟ ସତ ଏୟା ଯେ; ଦୁନିଆର ଅଧିକାଂଶ ଲୋକ ଆଜି ଭଲଭାବେ ଶୋଇ ପାରୁନାହାନ୍ତି। ଗୋଟିଏ ପଟରେ ଅନେକଙ୍କୁ ଏଠି ନିଦ୍ରା ପାଇଁ ସମୟ ମିଳୁନାହିଁ ତ ଅନ୍ୟପଟେ ଯାହାକୁ ସମୟ ମିଳୁଛି ତାକୁ ଠିକ୍‌ ଭାବେ ନିଦ ହେଉନାହିଁ। ନିଦ୍ରାର ଆବଶ୍ୟକତାକୁ ଉପଲବ୍ଧି କରି ତଥା ଏଥିପ୍ରତି ଲୋକଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ୨୦୦୭ରୁ ପ୍ରତିବର୍ଷ ମାର୍ଚ୍ଚ ୧୯ରେ ପାଳିତ ହୋଇଆସୁଛି ବିଶ୍ବ ନିଦ୍ରା ଦିବସ।
ସାରା ଦୁନିଆର ଲୋକେ ପର୍ଯ୍ୟାପ୍ତ ପରିମାଣରେ ଶୋଇ ପାରୁଛନ୍ତି ନା ନାହିଁ; ଏହା ଜାଣିବା ପାଇଁ ବୈଜ୍ଞାନିକମାନେ ଏକ ମୋବାଇଲ୍‌ ଆପ୍‌ର ସହଯୋଗରେ ପୃଥିବୀର ୧୦୦ ଭିନ୍ନ ଭିନ୍ନ ଦେଶର ପାଖାପାଖି ୬ ହଜାର ଅଧିବାସୀଙ୍କୁ ନେଇ ଏକ ଅଧ୍ୟୟନ କରିଥିଲେ। ଏହି ଅଧ୍ୟୟନ ସମୟରେ ଲୋକଙ୍କ ନିଦ୍ରାଭ୍ୟାସଜନିତ ସବିଶେଷ ତଥ୍ୟକୁ ଯାଞ୍ଚ କରିବାରୁ ଜଣାପଡିଥିଲା ଯେ, ସାରା ଦୁନିଆର ଲୋକ ବର୍ତ୍ତମାନ ପୂର୍ବ ତୁଳନାରେ କମ୍‌ ସମୟ ଶୋଉଛନ୍ତି। ଉକ୍ତ ଅଧ୍ୟୟନ ଅନୁସାରେ ବିଶ୍ବରେ ସ୍ପେନ୍‌ ଦେଶର ଲୋକେ ସବୁଠାରୁ ବିଳମ୍ବରେ ଶୋଇବାକୁ ଯାଆନ୍ତି। ଏଠାରେ ଲୋକଙ୍କ ହାରାହାରି ଶୋଇବା ସମୟ ହେଉଛି ରାତ୍ର ୧୧ଟା ୪୫ ମିନିଟ୍‌। ସେହିଭଳି ସାରା ଦୁନିଆରେ ଅଷ୍ଟ୍ରେଲିଆର ଲୋକେ ସବୁଠାରୁ ଶୀଘ୍ର ଶୋଇଥାନ୍ତି। ଏଠାକାର ଲୋକେ ରାତ୍ର ୧୦ଟା ୪୫ ମିନିଟ୍‌ ମଧ୍ୟରେ ଶୋଇପଡ଼ନ୍ତି। ସାରା ଦୁନିଆରେ ନେଦରଲାଣ୍ଡର ଲୋକେ ସର୍ବାଧିକ ସମୟ ଶୟନ କରିଥାଆନ୍ତି। ଏଠାରେ ଲୋକଙ୍କ ହାରାହାରି ଶୋଇବା ସମୟ ହେଉଛି ୮ଘଣ୍ଟା ୧୨ ମିନିଟ୍‌। ଜାପାନ ଓ ସିଙ୍ଗାପୁରବାସୀଙ୍କ ହାରାହାରି ଶୋଇବା ସମୟ କିନ୍ତୁ ଦୁନିଆରେ ସବୁଠାରୁ କମ୍‌। ଏମାନେ ମାତ୍ର ୭ ଘଣ୍ଟା ୨୪ ମିନିଟ୍‌ ଶୋଇଥାନ୍ତି। ସେହିଭଳି ଦୁନିଆରେ ସାଉଦିଆରବର ଲୋକେ ଖୁବ୍‌ ବିଳମ୍ବରେ ଶଯ୍ୟାତ୍ୟାଗ କରିଥାନ୍ତି। ଏମାନେ ହାରାହାରି ସକାଳ ୭ଟା ୪୫ ମିନିଟରେ ନିଦରୁ ଉଠିଥାଆନ୍ତି। ସାରା ଦୁନିଆରେ ଆମେରିକୀୟମାନେ ସବୁଠାରୁ ଶୀଘ୍ର ଉଠିଥା’ନ୍ତି। ଏମାନଙ୍କ ହାରାହାରି ଉଠିବା ସମୟ ହେଉଛି ସକାଳ ୬ଟା ୪୫ ମିନିଟ୍‌।
ଆମ ଦେଶ ଭାରତରେ ମଧ୍ୟ ନିଦ୍ରାର ସ୍ଥିତି ଠିକ୍‌ଠାକ୍‌ ନାହିଁ। ଏଠାରେ ଅଧିକାଂଶ ଲୋକଙ୍କ ନିଦ୍ରା ସମୟ ୬ ଘଣ୍ଟାରୁ ବି କମ୍‌। ୨୦୧୫ରେ ଭାରତୀୟଙ୍କ ନିଦ୍ରାଭ୍ୟାସ ସମ୍ପର୍କରେ ହୋଇଥିବା ଏକ ସର୍ବେକ୍ଷଣରେ ଦେଶର ୨୫ଟି ସହରର ୫,୬୦୦ ଲୋକ ଅଂଶ ଗ୍ରହଣ କରିଥିଲେ। ଏହି ସର୍ବେକ୍ଷଣର ତଥ୍ୟ ଅନୁଯାୟୀ ପ୍ରାୟ ୯୩% ଭାରତୀୟ ସଠିକ୍‌ ମାତ୍ରାରେ ଶୋଇ ପାରୁନାହାନ୍ତି। ପୁଣି ଠିକ୍‌ ମାତ୍ରାରେ ଶୋଇବାକୁ ପାଉ ନ ଥିବା ଲୋକେ ନାନାପ୍ରକାର ଅସ୍ବାଭାବିକ ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି। କେବଳ ଏତିକି ନୁହେଁ, ପ୍ରାୟ ୭ କୋଟି ଭାରତୀୟ ନିଦ୍ରାହୀନତା କାରଣରୁ ଆଜି ଭିନ୍ନଭିନ୍ନ ରୋଗରେ ଆକ୍ରାନ୍ତ। ଏହି ସର୍ବେକ୍ଷଣ ଅନୁସାରେ, ୭୨% ଭାରତୀୟ ରାତିରେ ଶୋଇବା ସମୟରେ ୩ରୁ ୪ଥର ନିଦରୁ ଉଠିଥାନ୍ତି। ଏଥିସହ ୮୭% ଭାରତୀୟ ନିଦ୍ରାହୀନତା କାରଣରୁ ନିଜ ସ୍ବାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡ଼ୁଥିବା ସ୍ବୀକାର କରିଛନ୍ତି। ଏଥିଯୋଗୁଁ ନିଜ ଦପ୍ତର କାର୍ଯ୍ୟରେ କୁପ୍ରଭାବ ପଡୁଛି ବୋଲି ୫୭% ଭାରତୀୟ ସ୍ବୀକାର କରିଛନ୍ତି। କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି; କେବଳ ୨% ଭାରତୀୟ ନିଦ୍ରା ଠିକ୍‌ ହେଉ ନ ଥିବା କାରଣ ଦର୍ଶାଇ ଡାକ୍ତରଙ୍କ ଦ୍ବାରସ୍ଥ ହୋଇଥାନ୍ତି।
ବୈଜ୍ଞାନିକଙ୍କ ମତରେ ଦୈନିକ ୨୪ ଘଣ୍ଟିଆ କାର୍ଯ୍ୟବ୍ୟସ୍ତ ଜୀବନଶୈଳୀ, ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ମୋବାଇଲ୍‌ ଫୋନର ବ୍ୟବହାର, ଭିନ୍ନଭିନ୍ନ ସିଫ୍ଟ ବା ପର୍ଯ୍ୟାୟରେ କାମ କରିବାର ବାଧ୍ୟବାଧକତା ସହ ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ଜୀବନରେ ଅନ୍ୟକୁ ପଛରେ ପକାଇ ଆଗକୁ ଯିବାର ଆକାଂକ୍ଷା ଯୋଗୁ ହିଁ ଆଜି ସାରା ଦୁନିଆରେ ନିଦ୍ରା ପାଇଁ ବିରାଟ ସଂକଟ ସୃଷ୍ଟି ହୋଇଛି। ୧୯୫୦ରେ ସାରା ଦୁନିଆର ଲୋକେ ହାରାହାରି ୮ଘଣ୍ଟା ଶୋଉଥିଲେ। ୨୦୧୩ ବେଳକୁ ତାହା ହ୍ରାସ ପାଇ ସାଢ଼େ ୬ ଘଣ୍ଟାରେ ପହଞ୍ଚତ୍ଗଲା। ଦୈନିକ ୮ଘଣ୍ଟାର ନିଦକୁ ଯଦି ଆଧାର ରୂପେ ଧରାଯିବ, ତେବେ ୯୦ବର୍ଷ ଜୀବିତ ଥିବା ଜଣେ ବ୍ୟକ୍ତି ନିଜ ବୟସର ପ୍ରାୟ ୩୨ ବର୍ଷ ଶୋଇବାରେ ହିଁ କଟାଇଥାଏ। କେତେକ ଏହାକୁ ସମୟର ଅପଚୟ ବୋଲି କହିଥାନ୍ତି। କିନ୍ତୁ ବାସ୍ତବରେ ଏହା ସେଭଳି କଥା ନୁହେଁ। କାରଣ ସୁସ୍ଥ ଶରୀର ପାଇଁ ସଠିକ୍‌ ମାତ୍ରାର ନିଦ୍ରା ନିହାତି ଅପରିହାର୍ଯ୍ୟ।
ବୈଜ୍ଞାନିକଙ୍କ କହିବା ଅନୁସାରେ, ଅତୀତରେ ମନୁଷ୍ୟଙ୍କ ପୂର୍ବଜ ଗଛ ଉପରେ ରହୁଥିଲେ। ତେଣୁ ସେତେବେଳେ ତଳେ ପଡ଼ିଯିବା ଭୟରେ ଲୋକଙ୍କ ନିଦ୍ରା ଅତି ପତଳା ରହୁଥିଲା। ଆଜକୁ ୨୦ ଲକ୍ଷ ବର୍ଷ ପୂର୍ବେ ମନୁଷ୍ୟ ଭୂମି ଉପରେ ବସବାସ କରିବା ଆରମ୍ଭ କରିବା ପରଠାରୁ ବିଛଣାରେ ଶୋଇବା ପରମ୍ପରା ଆରମ୍ଭ ହୋଇଛି। ଏହି ପରିସ୍ଥିତିରେ ତଳେ ପଡ଼ିଯିବା ଭୟ ରହିଲା ନାହିଁ। ଫଳସ୍ବରୂପ ମନୁଷ୍ୟର ନିଦ୍ରା ଗାଢ଼ ଓ ଲମ୍ବା ହୋଇଚାଲିଲା। ଏସବୁ ହେଉଛି ମାନବର କ୍ରମ ବିବର୍ତ୍ତନ ପ୍ରକ୍ରିୟାର କଥା। ବୈଜ୍ଞାନିକଙ୍କ ମତରେ; ନିଦ୍ରା ସମୟରେ ମନୁଷ୍ୟର ମସ୍ତିଷ୍କ କାମ କରିବା ବନ୍ଦ କରେ ନାହିଁ ବରଂ ଅଧିକ କ୍ରିୟାଶୀଳ ହୋଇଉଠେ। ଏତିକିବେଳେ ମନୁଷ୍ୟର ମସ୍ତିଷ୍କ ବିଶୋଧନ ପ୍ରକ୍ରିୟାରେ ଅବତୀର୍ଣ୍ଣ ହୋଇଥାଏ। ସାରାଦିନ କାର୍ଯ୍ୟଭାର ଯୋଗୁ ମନୁଷ୍ୟର ଶରୀର ଓ ମସ୍ତିଷ୍କରେ ବିଭିନ୍ନ ପ୍ରକାରର ଅଦରକାରୀ ପଦାର୍ଥ ସୃଷ୍ଟି ହୋଇଥାଏ, ଯାହାକୁ ନିଷ୍କାସନ କରିବା ପାଇଁ ନିଦ୍ରା ସମୟରେ ମସ୍ତିଷ୍କ ସୁଯୋଗ ପାଏ।
ଜଣେ ବ୍ୟକ୍ତି ସାରାରାତି ମଧ୍ୟରେ ୩ରୁ ୪ଥର ଏପ୍ରକାର ନିଦ୍ରା ଯାଇଥାନ୍ତ। ଯାହାର ସମୟ ଘଣ୍ଟାଏରୁ ଦେଢ଼ ଘଣ୍ଟା ହୋଇଥାଏ। ନିକଟରେ ଚାଇନା ବୈଜ୍ଞାନିକଗଣ ଏକ ଅଧ୍ୟୟନ ମାଧ୍ୟମରେ ଦାବି କରିଛନ୍ତି ଯେ, ବୟସ ସହିତ ସ୍ମୃତିଶକ୍ତି ଲୋପକୁ ନିୟନ୍ତ୍ରଣ କରିବାକୁ ଚାହୁଁଥିଲେ ଦ୍ବିପ୍ରହରରେ ମାତ୍ର ୫ ମିନିଟ୍‌ ପାଇଁ ଶୋଇବା ଆବଶ୍ୟକ। ଏତିକିବେଳେ ଅଧିକ ସମୟ ଶୋଇବା ଅପେକ୍ଷା କିଛି ମିନିଟର ନିଦ ଶରୀର ପାଇଁ ଖୁବ୍‌ ଲାଭଦାୟକ ହୋଇଥାଏ। ଏହା ମସ୍ତିଷ୍କ ପାଇଁ ଖୁବ୍‌ ହିତକର। ଏହା ଦ୍ୱାରା ମନୁଷ୍ୟର କାର୍ଯ୍ୟଦକ୍ଷତା ବି ବଢ଼େ। ଏହା ଉପରେ ଏକାଧିକ ଗବେଷଣା ତଥା ଅଧ୍ୟୟନ ମଧ୍ୟ ହୋଇଛି। ସାମରିକ ପାଇଲଟ୍‌ ଏବଂ ମହାକାଶଚାରୀଙ୍କ ଉପରେ ନାସାର ଏକ ଅଧ୍ୟୟନରୁ ଜଣାପଡିଛି ଯେ, ଦିନବେଳା ୪୦ ମିନିଟର ନିଦ୍ରାରେ ୩୪% କାର୍ଯ୍ୟଦକ୍ଷତା ଏବଂ ଶତ ପ୍ରତିଶତ ସତର୍କତା ବୃଦ୍ଧି ହୋଇଥାଏ। ସେହିପରି ୨୦୧୯ର ଏକ ଅଧ୍ୟୟନ ମୁତାବକ ସପ୍ତାହରେ ଥରେ କିମ୍ବା ଦୁଇଥର ଦିନବେଳା ଶୋଇବା ଦ୍ବାରା ହୃଦ୍‌ଘାତର ଆଶଙ୍କା ହ୍ରାସ ପାଇଥାଏ।
ବ୍ରିଟେନ୍‌ର ପ୍ରସିଦ୍ଧ ଲେଖକ ଥୋମାସ୍‌ ଡେକର୍‌ ୩୦୦ ବର୍ଷ ପୂର୍ବେ ଥରେ କହିଥିଲେ, ନିଦ୍ରା ଏପରି ଏକ ସ୍ବର୍ଣ୍ଣିମ ରଜ୍ଜୁ, ଯାହା ଆମ ସ୍ବାସ୍ଥ୍ୟ ଓ ଶରୀରକୁ ପରସ୍ପର ସହ ବାନ୍ଧିରଖେ। ମାତ୍ର ପ୍ରସିଦ୍ଧ ବୈଜ୍ଞାନିକ ଥୋମାସ୍‌ ଏଡିସନ୍‌ଙ୍କ ଅନୁସାରେ ନିଦ୍ରା ଯିବା ଅର୍ଥ ସମୟର ଅପଚୟ। ଅତଏବ ଏଡିସନ୍‌ଙ୍କ ଦୃଷ୍ଟିରେ ନିଦ୍ରା ଏକ ଅପରାଧ। ଦୁଇ ପ୍ରଖ୍ୟାତ ବ୍ୟକ୍ତିତ୍ୱଙ୍କ ଦ୍ବାରା ନିଦ୍ରା ସମ୍ବନ୍ଧୀୟ ପ୍ରଦତ୍ତ ଦୁଇ ଭିନ୍ନ ମତ ପ୍ରମାଣ କରିବାକୁ ସମର୍ଥ ଯେ, ସମୟ ସହ ମନୁଷ୍ୟ ଠିକ୍‌ ନିଦ୍ରାକୁ ପ୍ରାଧାନ୍ୟ ଦେବାରେ ହେଳା କରିଛି, ଯାହାର ପ୍ରଭାବ ମନୁଷ୍ୟର ମନ ଓ ଶରୀର ଉପରେ ପଡୁଛି। ଏଭଳି ସମୟରେ ଭାରତ ସମେତ ସମଗ୍ର ବିଶ୍ବ ନିଦ୍ରାର ଗୁରୁତ୍ୱକୁ ବୁଝିବା ଦରକାର। ଜାଣିରଖିବା ଉଚିତ ଯେ; ରାତିରେ ଭଲ ନିଦ୍ରା ହେଉ ନ ଥିଲେ, ତାହା ଆମ ଶରୀରପକ୍ଷେ ଖରାପ। ଯଦି କେହି କମ୍‌ ସମୟ ଶୋଇବାକୁ ନିଜ ବାହାଦୂରି ବୋଲି ବିଚାରୁଥା’ନ୍ତି; ତାହାର ଅର୍ଥ ସେ ନିଜ ସ୍ବାସ୍ଥ୍ୟର ହାନି ଘଟାଉଛନ୍ତି। ଏହି ଦୃଷ୍ଟିରୁ ନିଦ୍ରା ପାଇଁ ପ୍ରତ୍ୟେକ ମନୁଷ୍ୟଙ୍କୁ ପର୍ଯ୍ୟାପ୍ତ ସମୟ ଦେବା ଆବଶ୍ୟକ। ନିଦ୍ରାର ଅଭାବ ଯୋଗୁଁ ମନୁଷ୍ୟ ଶରୀରରେ ବିଭିନ୍ନ ହରମୋନ୍‌ର ସନ୍ତୁଳନ ବିଗିଡିଯାଏ। ଫଳରେ ମନୁଷ୍ୟ ଅସୁସ୍ଥ ଅନୁଭବ କରେ। କାଲିଫର୍ନିଆ ବିଶ୍ବବିଦ୍ୟାଳୟ ବିଶେଷଜ୍ଞଙ୍କ ଗବେଷଣା ଲବ୍ଧ ତଥ୍ୟ ଅନୁଯାୟୀ, ଆବଶ୍ୟକ ମୁତାବକ ନିଦ୍ରା ଯିବା ଦ୍ବାରା ତାହାର ସୁପ୍ରଭାବ ବ୍ୟକ୍ତିଟିର ବୁଦ୍ଧିମତ୍ତା ଉପରେ ପଡ଼ିଥାଏ। କେବଳ ଶୋଇବା ପୂର୍ବରୁ ହାଲୁକା ଖାଦ୍ୟ ଖାଇବା ସହ ଶୟନକକ୍ଷର ପରିବେଶ ଶାନ୍ତ ରହିବା ଆବଶ୍ୟକ। ସୁଖ ନିଦ୍ରା ଚାହୁଁଥିଲେ ଚା’, କଫି, ମାଦକଦ୍ରବ୍ୟ ଓ ଧୂମପାନ ସହ ମୋବାଇଲ ଫୋନ ଏବଂ ଟେଲିଭିଜନଠାରୁ ଦୂରେଇ ରହିବା ଲାଭପ୍ରଦ ହୋଇଥାଏ। ଶାରୀରିକ ପରିଶ୍ରମ, ବ୍ୟାୟାମ, ଖେଳକୁଦ ଓ ଯୋଗାଭ୍ୟାସ ମଧ୍ୟ ନିଦ ପାଇଁ ସହାୟକ ହୋଇଥାଏ। ଜଣେ ବ୍ୟକ୍ତିଙ୍କୁ ପ୍ରତିଦିନ ୭ରୁ ୯ଘଣ୍ଟା ଶୋଇବା ଆବଶ୍ୟକ। କ୍ରମାଗତ ନିଦ୍ରାହୀନତା ଯୋଗୁ ମନୁଷ୍ୟକୁ କେବଳ ମଧୁମେହ, ଉଚ୍ଚ ରକ୍ତଚାପ ଓ କର୍କଟ ଭଳି ରୋଗ ଗ୍ରାସ କରିନଥାଏ, ବରଂ ଅସମୟରେ ଜୀବନ ବି ନେଇଯାଏ।
ବୈପାରୀଗୁଡ଼ା, କୋରାପୁଟ
ମୋ- ୬୩୭୦୬୭୯୪୦୫


Enter your email to get our daily news in your inbox.

All Right Reserved By Dharitri.Com

କୃତଜ୍ଞତାର ସ୍ବର

ବୁଝିଲ ବନ୍ଧୁ, ଈଶ୍ବରଙ୍କ ଆଶୀର୍ବାଦରୁ ଆମେ ଏ ଜୀବନ ପ୍ରାପ୍ତ ହେଇଛେ ସତ, ହେଲେ ଆମ ଜୀବନରେ ଆମ ମା’ବାପା, ଭାଇ ବନ୍ଧୁ, ପୃଥିବୀ, ଆକାଶ,...

ଆଚାର୍ଯ୍ୟ, ଅବଧାନ ଓ ଶିକ୍ଷକ

ବୈଦିକ ଯୁଗରେ ଅରଣ୍ୟରେ ଥିବା ଋଷିମାନଙ୍କର ଆଶ୍ରମଗୁଡ଼ିକ ଥିଲା ବିଦ୍ୟାଦାନର କେନ୍ଦ୍ର। ଧନୀ, ଗରିବ, ରାଜପୁତ୍ର ସମସ୍ତେ ସେଠାରେ ଏକତ୍ର ବିଦ୍ୟାଗ୍ରହଣ କରୁଥିଲେ। ସନ୍ଦିପନୀ ଉଭୟ...

ସମ୍ପ୍ରସାରଣର ଶାସନ

ମୋଦି ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳରୁ ଅବସର ପରେ ବରିଷ୍ଠ ସିଭିଲ ସର୍ଭାଣ୍ଟଙ୍କୁ ବିଭିନ୍ନ ପଦବୀରେ ଅବସ୍ଥାପିତ କରାଯାଇଆସୁଛି। ମୋଦି ସରକାର କ୍ଷମତାକୁ ଫେରିବାର ସପ୍ତାହକ ପରେ...

ସଦ୍‌ଗୁରୁ ଓ ସତ୍‌ନାମ

ଆମର ଗୋଟାଏ ଦୋଷ ଯେ, କିଛି ନ ବୁଝି, ମହାପୁରୁଷଙ୍କ ଉପରେ ମୂଳରୁ ଭରଷା କରୁ। ଭଗବତ୍‌ ଶକ୍ତିରେ ଅଲୌକିକ ଭାବରେ ସବୁ ସେ କରିଦେବେ...

ବିଷମୁକ୍ତ ହେବ କି ଭାତହାଣ୍ଡି

ମ୍ପ୍ରତିକ ସମୟକୁ ଲକ୍ଷ୍ୟକଲେ କୃଷି ହିଁ ଆମ ଭବିଷ୍ୟତ ବୋଲି କୁହାଯାଇପାରେ। ଏହି କୃଷି ଆମ ଅର୍ଥନୀତିର ସଂସ୍କାରକ। ଆମ ରାଜ୍ୟରେ ସତୁରି ଭାଗରୁ ଅଧିକ...

ଟ୍ରମ୍ପ୍‌ ଓ କପ୍‌ ସମ୍ମିଳନୀ

ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ବିଜୟ ବକୁରେ ଅନୁଷ୍ଠିତ ମିଳିତ ଜାତିସଂଘର ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ (କପ୍‌୨୯) ଉପରେ କଳାବାଦଲ ଛାଇ ଦେଇଛି। ଏକଥା...

ପୋଷଣୀୟ ମତ୍ସ୍ୟକ୍ଷେତ୍ର

ଶ୍ୱ ଅର୍ଥନୀତି, ପୁଷ୍ଟିକର ଖାଦ୍ୟ, ନିଯୁକ୍ତି ଓ ସର୍ବୋପରି ପରିବେଶ ପ୍ରତି ମତ୍ସ୍ୟ ସମ୍ପଦର ଅବଦାନ ଓ ଏହାର ଗୁରୁତ୍ୱ ନିଦର୍ଶନ ପାଇଁ ବିଶ୍ୱ ମତ୍ସ୍ୟ...

ଦୁର୍ନୀତିର ବଳୟ

ଆଜି ଘରେ, ବାହାରେ, ରାଜ୍ୟରେ, ଦେଶ ଭିତରେ ଓ ଦେଶ ବାହାରେ ‘ଦୁର୍ନୀତି’ ତା’ର କାୟା ବିସ୍ତାର କରି ଚାଲିଛି। ଏହାକୁ ରୋକିବା ପାଇଁ ଶପଥ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri