Categories: ଜାତୀୟ

କେନ୍ଦ୍ରମନ୍ତ୍ରୀଙ୍କ ପୁଅକୁ ଗିରଫ କରିବା ପାଇଁ ଆମ ପାଖରେ ସମୟ ନାହିଁ: ପୋଲିସ

ଲଖିମପୁର ଖେରି (ୟୁପି),୫।୧୦: କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ବିରୋଧରେ ଲଖିମପୁର ଖେରି ଜିଲାରେ ହତ୍ୟା ମାମଲା ରୁଜୁ ହୋଇଛି। ଏଫ୍‌ଆଇଆରରେ କେନ୍ଦ୍ରମନ୍ତ୍ରୀଙ୍କ ପୁଅର ନାମ ଉଲ୍ଲେଖ କରାଯିବାର ୨୪ ଘଣ୍ଟା ପରେ ମଧ୍ୟ ତାଙ୍କୁ ଗିରଫ କରାଯାଇନାହିଁ। କାର୍ଯ୍ୟବ୍ୟସ୍ତତା କାରଣରୁ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ନ ଥିବା ଉତ୍ତରପ୍ରଦେଶ (ୟୁପି) ପୋଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

”ଆମେ ଚାଷୀ ନେତାଙ୍କ ସହ ମୂଳଚାଲ କରିବାରେ ବ୍ୟସ୍ତ ଥିଲୁ। ତା’ ପରେ ମୃତକଙ୍କ ବ୍ୟବଚ୍ଛେଦ ଓ ଶବଦାହ କରାଗଲା। ପ୍ରତ୍ୟେକ ମାମଲାରେ ଆମେ ଏକ ନିର୍ଦ୍ଦିଷ୍ଟ ପ୍ରକ୍ରିୟାରେ କାର୍ଯ୍ୟ କରୁ। ଏହି ମାମଲାରେ ଆମେ ସବିଶେଷ ଯାଞ୍ଚ କରିବୁ“ ବୋଲି ଲକ୍ଷ୍ନୌ ଜୋନର ଏଡିଜି ଏସ୍‌ ଏନ୍‌ ସାବତ କହିଛନ୍ତି। ଆଶିଷ ମିଶ୍ରାଙ୍କ ବିରୋଧରେ ହତ୍ୟା ଓ ଅବହେଳା ଜନିତ ମୃତ୍ୟୁ ମାମଲା ଦାୟର କରାଯାଇଛି।

ଉଲ୍ଲେଖଯୋଗ୍ୟ, ରାଜ୍ୟର ଉପ ମୁଖ୍ୟମନ୍ତ୍ରୀ କେଶବ ମୌର୍ଯ୍ୟ ଓ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ଲଖିମପୁର ଖେରି ଗସ୍ତକୁ ବିରୋଧ କରି ଚାଷୀମାନେ ଆନ୍ଦୋଳନ କରୁଥିଲେ। କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଆଶିଷଙ୍କ ଏସ୍‌ୟୁଭି ମାଡ଼ି ଯିବାରୁ ୪ ଜଣଙ୍କ ମୃତ୍ୟୁ ହୋଇଥିଲା। ତେବେ ଅଜୟ ଓ ତାଙ୍କ ପୁଅ ଘଟଣାସ୍ଥଳରେ ନ ଥିବା କହିଛନ୍ତି।

Share