Categories: ଖେଳ

ବଟଲରଙ୍କ ବିସ୍ଫୋରକ ଶତକ

ମୁମ୍ବାଇ,୧୮।୪: ସ୍ଥାନୀୟ ବ୍ରାବୋର୍ନେ ଷ୍ଟାଡିୟମରେ ସୋମବାର ରାତିରେ ଖେଳାଯାଇଥିବା ଆଇପିଏଲ ମ୍ୟାଚ୍‌ରେ ଫୁଲ ଫର୍ମରେ ଥିବା ଜୋସ ବଟଲର କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌) ବିପକ୍ଷରେ ୧୦୩ ରନ୍‌ର ବିସ୍ଫୋରକ ଶତକୀୟ ଇନିଂସ ଖେଳିଛନ୍ତି। ତାଙ୍କ ପାଳି ଯୋଗୁ ରାଜସ୍ଥାନ ରୟାଲ୍ସ ୨୦ ଓଭରରେ ୫ ଉଇକେଟ ହରାଇ ୨୧୭ ରନ୍‌ କରିଛି।

ଟସ୍‌ ଜିତି ବୋଲିଂ ବାଛିବା ଧାରା ଚଳିତ ଆଇପିଏଲରେ ଜାରି ରହିଛି। କେକେଆର ଅଧିନାୟକ ଶ୍ରେୟାସ ଆୟାର ଟସ୍‌ ଜିତି ପ୍ରତିପକ୍ଷ ରାଜସ୍ଥାନକୁ ବ୍ୟାଟିଂ ଆମନ୍ତ୍ରଣ ଦେଇଥିଲେ। ପ୍ରଥମ ଦୁଇ ଓଭର ବଲ ଦେଖିବା ପରେ ବଟଲର ଆଟାକିଂ ଶଟ୍‌ ଖେଳିବା ଆରମ୍ଭ କରିଥିଲେ। ଦେବଦତ୍ତ ପାଡିକଲ(୨୪) ଏବଂ ବଟଲରଙ୍କ ଓପନିଂ ଯୋଡ଼ି ଦଳକୁ ୯୭ ରନ୍‌ର ମଜଭୁତ ଆରମ୍ଭ ପ୍ରଦାନ କରିଥିଲା। ଅଧିନାୟକ ସଞ୍ଜୁ ସାମସନ(୩୮ ରନ୍‌, ୩ ଚୌକା ଓ ୨ ଛକା)ଙ୍କ ସହ ବଟଲର ମିଶି ଦଳୀୟ ସ୍କୋରକୁ ୧୬୦ ଅତିକ୍ରମ କରାଇଥିଲେ। ତା’ ପରେ ବଟଲର ପୂରଣ କରିଥିଲେ ଚଳିତ ସିଜନର ଦ୍ୱିତୀୟ ଶତକ। ସେ ୬୧ ବଲରେ ୧୦୩ ରନ୍‌ କରିବା ପରେ ପାଟ କୁମିନ୍ସଙ୍କ ବଲରେ ଆଉଟ୍‌ ହୋଇଥିଲା। ତାଙ୍କ ଇନିଂସରେ ୯ ଚୌକା ଓ ୫ ଛକା ସାମିଲ ଥିଲା। ଶେଷକୁ ଶିମରନ ହେଟମାୟର ୨୬ ରନ୍‌ର ଛୋଟିଆ ହେଲେ ଗୁରୁତ୍ୱପୂର୍ଣ୍ଣ ଇନିଂସ ଯୋଗୁ ରାଜସ୍ଥାନ ୨୦ ଓଭରରେ ୫ ଉଇକେଟ ହରାଇ ୨୧୭ ରନ୍‌ କରିଥିଲା। କୋଲକାତା ପାଇଁ ସୁନିଲ ନାରିନ ୨ ଉଇକେଟ ନେଇଥିବା ବେଳେ ଶିଭମ ମାଭି, ଆନ୍ଧ୍ରେ ରସେଲ ଓ କୁମିନ୍ସ ଗୋଟିଏ ଲେଖାଏ ଉଇକେଟ ହାତେଇଥିଲେ।

Share