ପାରାଦୀପ,୧ା୧(ସ୍ବ.ପ୍ର.): ପାରାଦୀପର ବାଲିଝରା ସଂଲଗ୍ନ ବଟନଦୀରେ ଶନିବାର ପୁଣି ମାଛ ମଡ଼କ ହୋଇଛି। ଏହି ନଦୀରେ ପ୍ରଚୁର ପରିମାଣର ମାଛ ମରି ଭାସୁଥିବାରୁ ଚତୁଃପାଶର୍ବରେ ଥିବା ବସ୍ତି ଓ କଲୋନିରେ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହୋଇଛି ବୋଲି ସ୍ଥାନୀୟ ବାସିନ୍ଦା ଅନନ୍ତ ଜେନା କହିଛନ୍ତି। ସକାଳୁ ଅଳ୍ପମାତ୍ରାରେ ମାଛ ମରି ଭାସୁଥିବାବେଳେ ମଧ୍ୟାହ୍ନ ବେଳକୁ ଏହି ସଂଖ୍ୟା ବଢ଼ିଯାଇଥିଲା। ମଲା ମାଛଗୁଡ଼ିକ ମଧ୍ୟରେ କଉ, ଖଇଙ୍ଗା, କଣ୍ଟିଆ, ମାଗୁର ଆଦି ରହିଛି। ଏହି ଖବର ପ୍ରଚାରିତ ହେବାପରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପାରାଦୀପ କାର୍ଯ୍ୟାଳୟ ପକ୍ଷରୁ ପରିବେଶ ଯନ୍ତ୍ରୀ ଟ୍ବିଙ୍କିଲ୍ ମହାନ୍ତି ଆସି ନଦୀର ପାଣି ଓ ମଲା ମାଛର ନମୁନା ସଂଗ୍ରହ କରିଛନ୍ତି। ପ୍ରାଥମିକ ଟେଷ୍ଟିଂ ରିପୋର୍ଟ ଆଧାରରେ ବୋର୍ଡ ପକ୍ଷରୁ କୁହାଯାଇଛି ଯେ, ଅମ୍ଳଜାନ ହ୍ରାସ (ଡିଜଲ୍ଭ ଅକ୍ସିଜେନ) ପାଇବାରୁ ଏପରି ଘଟଣା ଘଟିଛି। ତଥାପି ଅଧିକ ପରୀକ୍ଷା ପାଇଁ ଭୁବନେଶ୍ୱର ଲାବ୍କୁ ପାଣି ଓ ମଲା ମାଛ ପଠାଯିବ। ସେଠାରୁ ରିପୋର୍ଟ ଆସିବା ପରେ ମାଛ ମରିବାର କାରଣ ସ୍ପଷ୍ଟ ହେବ ବୋଲି ଆଞ୍ଚଳିକ ଅଧିକାରୀ ପୁଷ୍କରଚନ୍ଦ୍ର ବେହେରା କହିଛନ୍ତି।
ଏହି ନଦୀ ପାରାଦୀପର ଉଦୟବଟଠାରୁ ଆରମ୍ଭ ହୋଇ ବାଲିଝରା ଓ ଅଠରବାଙ୍କି ଦେଇ କାଉଡ଼ିଆ ନଦୀରେ ମିଶିଛି। ସମ୍ପ୍ରତି ଉକ୍ତ ନଦୀର ଚତୁଃପାଶର୍ବରେ ଜନବସତି ଓ ଶିଳ୍ପ ସଂସ୍ଥା ଆଦି ଗଢିଉଠିଛି। ଏଥିଯୋଗୁ ତାହା ସଙ୍କୁଚିତ ହୋଇ ଅସ୍ତିତ୍ୱ ହରାଇ ବସିଲାଣି। କେବଳ ବାଲିଝରା ଓ ବିଜୟଚନ୍ଦ୍ରପୁର ପାଖରେ କିଛି ଅଂଶ ଜଳାଶୟ ଭଳି ରହିଛି। ସେଥିରେ ବସ୍ତିର ବର୍ଜ୍ୟ ପାଣି, ଡ୍ରେନ ପାଣି, ଖୋଲା ଶୌଚାଳୟର ଆବର୍ଜନା ଆଦି ମିଶୁଛି। ଏତଦ୍ବ୍ୟତୀତ ନଦୀରେ କଲିକତି ଦଳ ଭର୍ତ୍ତି ହୋଇଯାଇଛି। ସେଥିପାଇଁ ଅମ୍ଳଜାନ ହ୍ରାସ ପାଇଛି ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି।