Categories: ଫୁରସତ

ଟଙ୍କା ସଞ୍ଚୟ ପାଇଁ କିଣନ୍ତି ଏକ୍ସପାୟରି ସାମଗ୍ରୀ

ଲଣ୍ଡନ: ଆଜିକାଲି ସମୟରେ ଖାଦ୍ୟ ଭେଜାଲ ହେବା ସାଧାରଣ କଥା ହୋଇଗଲାଣି। ଅନେକ କମ୍ପାନୀ ମଧ୍ୟ ଅଛନ୍ତି, ଯେଉଁମାନେ ଖାଦ୍ୟ ଓ ପାଣିକୁ ଭେଜାଲ କରି ବିକ୍ରି କରୁଛନ୍ତି। ତେଣୁ ଲୋକେ ସମସ୍ତ ଖାଦ୍ୟ ପଦାର୍ଥ ଯାଞ୍ଚ କରି କିଣୁଛନ୍ତି। ହେଲେ ଇଂଲଣ୍ଡର ଜଣେ ମହିଳା ନିକଟରେ ଚର୍ଚ୍ଚାକୁ ଆସିଛନ୍ତି, ଯିଏ ଖାଦ୍ୟ ସାମଗ୍ରୀର ଏକ୍ସପାୟରି (ଅବଧି ଶେଷ ହୋଇଥିବା) କୁ ବିଶ୍ୱାସ କରୁନାହାନ୍ତି। ସେ ଏକ୍ସପାୟରି ହୋଇଥିବା ଖାଦ୍ୟକୁ ମଧ୍ୟ କିଣିଥାନ୍ତି। ରିପୋର୍ଟ ମୁତାବକ, ୪୧ ବର୍ଷୀୟା ଡା. ମାରିଆନେ ଟ୍ରେଣ୍ଟ ଇଂଲଣ୍ଡର କୋଭେଣ୍ଟ୍ରିରେ ରୁହନ୍ତି। ସେ ଜଣେ କ୍ଲିନିକାଲ ସାଇକୋଲୋଜିଷ୍ଟ। ନିକଟରେ ସେ ଏକ ୱେବସାଇଟ୍‌ରେ କଥା ହେବାବେଳେ କହିଛନ୍ତି ଯେ, ସେ ଖାଦ୍ୟ କିଣିବାବେଳେ କୌଣସି ଏକ୍ସପାୟରି ସମୟ ଦେଖନ୍ତିନି। ତାଙ୍କର ଏପରି କରିବା ପଛର କାରଣ ସେ କହିଛନ୍ତି, ଯାହା ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବ। ସେ ଟଙ୍କା ସଞ୍ଚୟ କରିବାକୁ ଏପରି କରୁଥିବା କହିଛନ୍ତି। ତାଙ୍କର କହିବା କଥା ହେଲା, ସେ ତାଙ୍କ ଆଖି ଏବଂ ନାକ ଉପରେ ବିଶ୍ୱାସ କରନ୍ତି। ଯଦି ଖାଦ୍ୟରୁ ଭଲ ବାସ୍ନା ଆସୁଥାଏ, ତେବେ ସେହି ଖାଦ୍ୟ ଖାଇବା ଉପଯୋଗୀ। ସେଥିପାଇଁ ତାଙ୍କୁ ଖାଦ୍ୟର ଏକ୍ସପାୟରି ସମୟ ଦେଖିବା ଆବଶ୍ୟକତା ନାହିଁ। ତାଙ୍କ ପୂର୍ବଜ ମଧ୍ୟ ଖାଦ୍ୟକୁ ଶୁଙ୍ଘି ଭଲ ମନ୍ଦ ବାରି ପାରୁଥିଲେ। ଯଦି କିଛି ଖାଦ୍ୟ ସାମଗ୍ରୀର ଏକ୍ସପାୟରି ସମୟ ସରିଯାଇଥାଏ, ତେବେ ମଧ୍ୟ ସେ ସେହି ଖାଦ୍ୟକୁ କିଣି ନିଅନ୍ତି। କାରଣ ତାକୁ ରୋଷେଇ କରିବା ସମୟରେ ଭିତରେ ଥିବା ସମସ୍ତ ଜୀବ ମରିଯା’ନ୍ତି। ହେଲେ ସେ ତାଜା ମାଛ, ମାଂସ ନେଇଥାନ୍ତି। ଏପରି କରି ସେ ବର୍ଷକୁ ପାଖାପାଖି ୫୬୦ ପାଉଣ୍ଡ ଅର୍ଥାତ୍‌ ୪୮ ହଜାର ଟଙ୍କା ସଞ୍ଚୟ କରିନିଅନ୍ତି ବୋଲି କହିଛନ୍ତି।

Share