Categories: ଖେଳ

ବିଡବ୍ଲ୍ୟୁଏଫ ଟୁର୍‌ ସୁପର-୧୦୦: ଆଜି ସମସ୍ତ ସେମିଫାଇନାଲ

କଟକ,୧୬ା୧୨(ସୁପ୍ରିୟା ପ୍ରିୟଦର୍ଶିନୀ): ଜବାହରଲାଲ ନେହରୁ ଇଣ୍ଡୋର ଷ୍ଟାଡିୟମରେ ଚାଲିଥିବା ବିଡବ୍ଲ୍ୟୁଏଫ ଟୁର୍‌ ସୁପର-୧୦୦ ଓଡ଼ିଶା ମାଷ୍ଟର୍ସ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର କ୍ୱାର୍ଟର ଫାଇନାଲ ରାଉଣ୍ଡରେ ନିରାସ କରିଛନ୍ତି ଓଡିଶାର ଦୁଇ ଭଉଣି ଋତପର୍ଣ୍ଣା ଏବଂ ଶ୍ୱେତପର୍ଣ୍ଣା ପଣ୍ଡା। ମହିଳା ଡବଲ୍ସ କ୍ୱାର୍ଟର ଫାଇନାଲରେ ଏହି ଯୋଡ଼ି ଇଣ୍ଡୋନେସିଆର ଜେସିତା ପୁତ୍ରୀ ଏବଂ ଫେବି ସେତିଆନିଗ୍ରୁମଙ୍କ ଠାରୁ ହାରି ଯାଇଛନ୍ତି। କୋର୍ଟ-୨ରେ ଖେଳାଯାଇଥିବା ଏହି ମ୍ୟାଚ୍‌ର ପ୍ରଥମ ସେଟ୍‌ରେ ଇଣ୍ଡୋନେସିଆକୁ ବିଜୟ ମିଳିଥିଲା। ଜେସିତା ଓ ଫେବି ପ୍ରଥମ ସେଟ୍‌କୁ ୨୧-୯ ଗେମ୍‌ରେ ଜିତିଥିଲେ। ଦ୍ୱିତୀୟ ସେଟ୍‌ରେ ମଧ୍ୟ ଦୁହେଁ ୨୧-୧୫ରେ ଜିତିଥିଲେ। ୩୫ମିନିଟ ଧରି ଚାଲିଥିବା ଏହି ମ୍ୟାଚ୍‌ରେ ଜେସିତା ଓ ଫେବି ୩ଟି ଗେମ୍‌ ପଏଣ୍ଟ ମଧ୍ୟ ହାତେଇଥିଲେ।
ଅପରପକ୍ଷରେ ପୁରୁଷ ସିଙ୍ଗଲ୍ସ ଇଭେଣ୍ଟରେ ଗତ ସଂସ୍କରଣର ଚାମ୍ପିୟନ ତଥା ୨୩ବର୍ଷୀୟ ଭାରତୀୟ ଖେଳାଳି କିରନ ଜର୍ଜଙ୍କ ସମେତ ଆୟୁଷ ସେଟ୍ଟୀ, ସତୀଶ କୁମାର ଓ ଇଣ୍ଡୋନେସିଆର ଆଲୱି ଫରହାନ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ମହିଳା ସିଙ୍ଗଲ୍ସରେ ମଧ୍ୟ ଗତ ସଂସ୍କରଣର ଚାମ୍ପିଅନ ଉନ୍ନତି ହୁଡା ଅନ୍ୟତମ ଭାରତୀୟ ପ୍ରତିଯୋଗୀ ଅନୁପମା ଉପାଧ୍ୟାୟଙ୍କୁ ୨-୧ ସେଟ୍‌ରେ ହରାଇ ସେମିଫାଇନାଲରେ ସ୍ଥାନ ସୁରକ୍ଷିତ କରିଛନ୍ତି। ହଂକଂର ଲୋ ସିନ ୟାନ ହାପି, ଜାପାନର ନୋଜୋମି ଓକୁହାରା ଓ ଡେନମାର୍କର ଲାଇନ କ୍ରିଷ୍ଟୋଫରସେନ ବିଜୟୀ ପଏଣ୍ଟ ପାଇ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ମିକ୍ସଡ ଡବଲ୍ସ ଇଭେଣ୍ଟରେ ଭାରତର ସୁମିତ ରେଡ୍ଡୀ ଓ ସିକି ରେଡ୍ଡୀ, ଧ୍ରୁବ କପିଳା ଓ ତନିଷା କ୍ରାଷ୍ଟୋ, ଇଣ୍ଡୋନେସିଆର ଆଦନାନ ମୌଲାନା ଓ ନୀତା ଭାଓଲିନା, ସିଙ୍ଗାପୁରର ହି ୟଙ୍ଗ କାଇ ଓ ତାନ ୱି ହାନ୍‌, ମହିଳା ଡବଲ୍ସରେ ଭାରତର ତନୀଷା କ୍ରାଷ୍ଟୋ ଓ ଅଶ୍ୱିନୀ ପୋନ୍ନାପା, ଇଣ୍ଡୋନେସିଆର ସୋଫି ଅଲ୍‌ ମୁସୀରା ଓ ସିତି ସାରହା, ଆରିଲ ନାବିଲା ଓ ଅଗ୍ନିୟା ଶ୍ରୀ ରାହାୟୁ, ପୁରୁଷ ଡବଲ୍ସରେ ଭାରତର ସାଇ ପ୍ରତୀକ ଓ କ୍ରୀଷ୍ଣା ପ୍ରସାଦ, ଇଣ୍ଡୋନେସିଆର କାୟୋ ହୁଟୁମୋ ଓ କ୍ରୀଷ୍ଟାଫର ଡେଭିଡ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଏଠାରେ ଚାଲିଥିବା ବିଡବ୍ଲ୍ୟୁଏଫ ଟୁର୍‌ ସୁପର-୧୦୦ ଚଳିତ ସଂସ୍କରଣର ସମସ୍ତ ନକଆଉଟ୍‌ ପର୍ଯ୍ୟାୟର ମ୍ୟାଚ୍‌ ଶୁକ୍ରବାର ଖେଳାଯାଇଥିଲା। ଶନିବାର ସମସ୍ତ ସେମିଫାଇନାଲ ଅନୁଷ୍ଠିତ ହେବ। ରବିବାର ଫାଇନାଲ ସହିତ ଟୁର୍ନାମେଣ୍ଟ ଉଦ୍‌ଯାପିତ ହେବ।

Share