Categories: ଖେଳ

ଆଜିଠୁ ବିଡବ୍ଲ୍ୟୁଏଫ ଟୁର୍‌ ସୁପର ୧୦୦

କଟକ,୧୨ା୧୨(ସୁପ୍ରିୟା ପ୍ରିୟଦର୍ଶିନୀ): ଜବାହାରଲାଲ ନେହେରୁ ଇନଡୋର ଷ୍ଟାଡିୟମରେ ମଙ୍ଗଳବାରଠାରୁ ଆରମ୍ଭ ହେବ ବିଡବ୍ଲ୍ୟୁଏଫ ଟୁର୍‌ ସୁପର-୧୦୦ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟ। ଏହାକୁ ସଫଳ କରିବା ନିମନ୍ତେ ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ବିଭାଗ ପକ୍ଷରୁ ସମସ୍ତ ପ୍ରସ୍ତୁତ ଶେଷ ହୋଇଛି ।

ଏଥିପାଇଁ ଭାରତୀୟ ଓ ବିଦେଶୀ ଖେଳାଳି କଟକରେ ପହଞ୍ଚିଛନ୍ତି। ଭାରତ ସମେତ ୩୦ ରାଷ୍ଟ୍ରର ଖେଳାଳି ମାନେ ଏଥିରେ ଭାଗ ନେବେ। ବ୍ୟାଡମିଣ୍ଟନ ୱାଲର୍‌ଡ ଫେଡେରେଶନ (ବିଡବ୍ଲ୍ୟୁଏଫ) ଦ୍ୱାରା ହେବାକୁ ଯାଉଥିବା ଏହି ଟୁର୍ନାମେଣ୍ଟର ମ୍ୟାଚ ଗୁଡ଼ିକ ୪ଟି କୋର୍ଟରେ ଅନୁଷ୍ଠିତ ହେବ। ମଙ୍ଗଳବାରଠାରୁ ଆରମ୍ଭ ହୋଇ ଏହି ଟୁର୍ନାମେଣ୍ଟ ୧୭ ପର୍ଯ୍ୟନ୍ତ ଚାଲିବ।

ଭାରତର ଶ୍ରେୟାଂଶ ଜୈସୱାଲ, ଅଭିନବ ଠାକୁର, ଭାର୍ଗବ ସୋମସୁନ୍ଦର, ଭାରତ ରାଘବ, ଧ୍ରୁବ କୁମାର, କେଭିନ ଥାଙ୍ଗମ, ମନରାଜ ସିଂ, ସନୀଥ ଦୟାନନ୍ଦ, ପ୍ରଣୟ କାଟା, ସିଦ୍ଧାର୍ଥ ମିଶ୍ର, ଆକାଶ ସିଂ, ଲୋକେଶ ରେଡ୍ଡୀ, ବି. ଆର୍ଯ୍ୟଙ୍କ ସମେତ ବିଦେଶ ରାଷ୍ଟ୍ରର ବି. ଲଥୀସ, କେ କୁସୱାନ୍ତୋ, ସକେତ ଥାଭାନି, ପ୍ରିନ୍ସ ଦାହାଲ, ଜାସନ ଖ୍ରୀଷ୍ଟ ଆଲେକଜାଣ୍ଡର, ବି.ଆର ସନକୀର୍ଥ, ୱିଜାୟା ଚୈରୁଲୁହା, କୁଆ ଲିନ୍‌, ୟଙ୍ଗ ୟଙ୍ଗ, ଦୁମିନ୍ଦୁ ଏବିକ୍ରମା, ଜର୍ଜ ପାଏଟେଲ, ମ୍ୟାଡସ କ୍ରିଷ୍ଟୋଫର ପ୍ରମୁଖ ଭାଗ ନେବେ। ଏନେଇ କଟକ ମହାନଗର ନିଗମ(ସିଏମସି) କମିଶନର ନିଖିଳ ପୱନ କଲ୍ୟାଣ କହିଛନ୍ତି ଯେ, ଅର୍ନ୍ତଜାତୀୟ ସ୍ତରର ଏହି ପ୍ରତିଯୋଗିତାକୁ ସଫଳ କରିବା ପାଇଁ ସମସ୍ତ ପଦକ୍ଷେପ ନିଆଯାଇଛି। ଭାରତ ସମେତ ପ୍ରାୟ ୩୦ ଦେଶର ଖେଳାଳି ଏଥିରେ ଭାଗ ନେବେ । ରାଜ୍ୟର ବ୍ୟାଡମିଣ୍ଟନ ଖେଳାଳିମାନଙ୍କୁ ଏଭଳି ପ୍ରତିଯୋଗିତା ଉତ୍ସାହିତ କରିବ।

Share